ବବିଙ୍କ ପାଇଁ ବିଜେଡି ହାତରୁ ଖସିବ ଯାଜପୁର ଗଡ !

ବବିଙ୍କ ପାଇଁ ବିଜେଡି ହାତରୁ ଖସିବ ଯାଜପୁର ଗଡ !

ଆଉ ୨ଦିନ ପରେ ଅନ୍ତିମ ତଥା ରାଜ୍ୟରେ ପଡିବ ଚତୁର୍ଥ ପର‌୍ୟ୍ୟାୟ ଭୋଟ୍ । ୬ ଲୋକସଭା ଆସନରେ ଏଥିରେ ଭୋଟ୍ ପଡ଼ିବାକୁ ଥିବା ବେଳେ, ଦଳ ଓ ପ୍ରାର୍ଥୀମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସମସ୍ତ ଚେଷ୍ଟା କରୁଛନ୍ତି । ଆଉ ଏହାରି ମଧ୍ୟରେ ଯାଜପୁରରେ ଜମୁଛି ହାଇଭୋଲଟେଜ୍ କ୍ୟାମ୍ପେନିଂ । ଯାଜପୁର ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ୭ ବିଧାନସଭା ଆସନରେ ମୁଖ୍ୟତଃ ତ୍ରିମୁଖୀ ଲଢ଼େଇ ହେଉଥିଲେ ବି, ବିଜେପି ଓ ବିଜେଡି ମଧ୍ୟରେ ଚାଲିଛି କଡ଼ା ଟକ୍କର । କାହିଁକି ନା ଦଳ ଗଠନ ପରଠାରୁ ଏହା ବିଜେଡିର ଗଡ ରହିଆସିଛି । ପ୍ରତି ନିର୍ବାଚନରେ ଏଠାରେ ପ୍ରାର୍ଥୀ ବଦଳିଛନ୍ତି ସତ କିନ୍ତୁ ଫଳ ସମାନ ରହିଛି । ଆଉ ଏଥର ମଧ୍ୟ ଫଳ ସମାନ ରହିବ ବୋଲି ବିଜେଡି ଆଶାବାଦୀ ରହିଛି । ଏଥିପାଇଁ ପୁରୁଣା ପ୍ରାର୍ଥୀ ଶର୍ମିଷ୍ଠା ସେଠୀଙ୍କୁ ରିପିଟ୍ କରିଛି ଦଳ । ଗତ ଥର ୧ ଲକ୍ଷରୁ ଅଧିକ ଭୋଟରେ ବିଜେପି ପ୍ରାର୍ଥୀଙ୍କୁ ମାତ୍ ଦେଇ ବିଜୟୀ ହୋଇଥିଲେ ଶର୍ମିଷ୍ଠା । ଆଉ ଏଥର ମଧ୍ୟ ସେ ବିଜୟୀ ହେବେ ବୋଲି ଆଶାବାଦି ରହିଛନ୍ତି । କିନ୍ତୁ ଏଠି ଟୁଇଷ୍ଟ ହେଉଛି ଚଳିତ ଥର ଯାଜପୁର କିଙ୍ଗ ତଥା ବିଜେଡିର ଯାଜପୁର ଚେହେରା ବବି ଦାସଙ୍କ ବିନା ବିଜେଡି ଏଠାରେ ଜିତିବା ଟିକେ କଷ୍ଟକର ହୋଇପାରେ ବୋଲି ସବୁଆଡେ ଆଲୋଚନା । କାରଣ ଚଳିତ ନିବାଚନରେ ବବି ନିଜ ଗଡ ଯାଜପୁର ବଦଳରେ ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ ହୋଇଛନ୍ତି । ଯାହାର ପ୍ରଭାବ ବିଜେଡିର ଭୋଟବ୍ୟାଙ୍କ ଉପରେ ପ୍ରଭାବ ପକାଇପାରେ ବୋଲି ଆଶଙ୍କା ରହିଛି । ଅନ୍ୟପଟେ ଏଥର ଯାଜପୁରରେ ବବି ଅନୁପସ୍ଥିତ ଥିବାରୁ ଏହାକୁ କେନ୍ଦ୍ର କରି ବିଜେପି ଭିନ୍ନ ରଣନୀତି ପ୍ରସ୍ତୁତ କରିଛି । ଏଠାରେ କିପରି ବିଜେଡିକୁ ଗାଦିଚ୍ୟୁତ କରିବ ସେନେଇ ଭେଟେରାନ ନେତା ରବୀନ୍ଦ୍ର ନାରାୟଣ ବେହେରାଙ୍କୁ ପ୍ରାର୍ଥୀ କରିଛି । ମୋଦିଙ୍କ ଗ୍ୟାରେଣ୍ଟି ସହ ମୋଦିଙ୍କ ବିକାଶ ମୂଳକ ବାର୍ତାକୁ ନେଇ ଲୋକଙ୍କ ପାଖରେ ପହଁଞ୍ଚୁଛନ୍ତି ବିଜେପି ନେତା । ଏହା ସହ ମୋଦିଙ୍କ ଲୋକପ୍ରିୟତା ରାଜ୍ୟରେ ବୃଦ୍ଧି ପାଉଥିବାରୁ ଏହାର ପ୍ରଭାବ ଏଠାରେ ପଡିପାରେ ବୋଲି ସେଥିରେ ସନ୍ଦେହ ନାହିଁ । ତେବେ ଦେଖାଯାଉ ଏଥର ବବିଙ୍କ ବିନା ଯାଜପୁରରେ ବିଜେଡିର ପ୍ରଦର୍ଶନ କିପରି ରହୁଛି ଏବଂ ବିଜେଡିର ଗଡ ସୁରକ୍ଷିତ ରହୁଛି ନା ନାହିଁ ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *