ବହୁ ଚର୍ଚ୍ଚିତ ବର୍ଷା-ଅନୁଭବ ବିବାଦ ମାମଲା ପୁଣି ଥରେ ଚର୍ଚ୍ଚାକୁ ଫେରିଛି । ଏହି ମାମଲାରେ ଓଲିଉଡ୍ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କୁ ହାଇକୋର୍ଟଙ୍କ ପକ୍ଷରୁ ଝଟକା ଲାଗିଛି । ଅନୁଭବଙ୍କ ଆବେଦନ ଖାରଜ ହେବା ସହିତ ତାଙ୍କ ବିରୋଧରେ ଯୌତୁକ ନିର୍ଯ୍ୟାତନା ମାମଲା ଜାରି ରହିବା ନେଇ ସୂଚନା ମିଳିଛି । ନିମ୍ନ ଅଦାଲତରେ ବିଚାରାଧୀନ ମାମଲାରେ ଅନୁଭବ ଦାୟର କରିଥିବା ଡିସଚାର୍ଜ ପିଟିସନ୍ 2024ରେ ଖାରଜ ହେବା ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି । ଯାହା ଫଳରେ ଅନୁଭବଙ୍କ ବିରୋଧରେ ମାମଲା ଚାଲିବ ବୋଲି ସ୍ପଷ୍ଟ ହୋଇଛି ।
ତେବେ ୨୦୨୪ ଜୁନ୍ ମାସରେ ଅନୁଭବଙ୍କ ପୂର୍ବତନ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନିର୍ଯାତନା ନେଇ ପୁରୀଘାଟ ଥାନାରେ ମାମଲା ରୁଜୁ ହୋଇଥିଲା। ଏହା ଆଗରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ କ୍ରମେ କଟକ ଜେଏମଏଫସି କୋର୍ଟ ଅନୁଭବଙ୍କ ବିରୋଧରେ ଏନବିଡବ୍ଲ୍ୟୁ ଜାରି କରିଥିଲେ । ଚାର୍ଜଫ୍ରେମ୍ ପାଇଁ ହାଜର ନହୋଇ ଅଭିନେତା ବାରମ୍ବାର ସମୟ ମାଗି ଚାଲିଥିଲେ । ତେଣୁ ଶେଷରେ କୋର୍ଟ ଏନବିଡବ୍ଲ୍ୟୁ ଜାରି କରିଥିଲେ । ୱାରେଣ୍ଟ ଜାରି କରି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।
୨୦୨୪ ମେ’ ୮ ତାରିଖରେ ଅଭିନେତା ଅନୁଭବଙ୍କ ନାମରେ ଚାର୍ଜଫ୍ରେମ୍ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଜେଏମଏଫସି ସ୍ୱତନ୍ତ୍ର କୋର୍ଟରେ ଅନୁଭବଙ୍କ ଡିସଚାର୍ଜ ପିଟିସନ ଖାରଜ ହୋଇଯାଇଥିଲା। ଘରୋଇ ହିଂସାକୁ ନେଇ ଅଭିନେତ୍ରୀ ବର୍ଷାଙ୍କ ତରଫରୁ ପୁରୀଘାଟ ଥାନାରେ ଏହି ମାମଲା ରୁଜୁ କରାଯାଇଥିଲା । ଅନୁଭବଙ୍କ ଘରେ ଥିବା ବେଳେ ମାନସିକ ନିର୍ଯାତନା ପାଉଥିବା ନେଇ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ ବର୍ଷା । ଏନେଇ ନିମ୍ନ ଅଦାଲତରେ ଚାଲିଥିଲା ମାମଲା। ମାମଲାରୁ ବାଦ ଦେବା ପାଇଁ ଅନୁଭବ କରିଥିଲେ ଆବେଦନ। ଯାହାକୁ ଖାରଜ କରିଛନ୍ତି ହାଇକୋର୍ଟ ।
