ମାତ୍ର ୩୦ ସେକେଣ୍ଡ । ସେହି ୩୦ ସେକେଣ୍ଡରେ ୨୬୫ ଜଣ ଜଳି ପୋଡି ପାଉଁଶ ହୋଇଗଲେ । କେହି କିଛି ବୁଝିବା ଆଗରୁ ସବୁକିଛି ଧ୍ୱଂସ ହୋଇଯାଇଥିଲା । ଆକାଶ ସାରା କଳା ଧୂଆଁ ଖେଳିଗଲା । ଆଉ ସେ ଶବ୍ଦ, ଏବଂ ଦୃଶ୍ୟ ଦେଖି ସମସ୍ତେ ସ୍ତବ୍ଧ ହୋଇଗଲେ । ଖଣ୍ଡ ବିଖଣ୍ଡିତ ଶରୀର ସବୁ ଭିନ୍ନ ଭିନ୍ନ ସ୍ଥାନରେ ପଡିଥିବା ବେଳେ ଅନେକଙ୍କ ବଡିକୁ ବି ଚିହ୍ନି ହେଉନି । ତେବେ ଗତକାଲିର ଅହମ୍ମଦାବାଦରେ ଘଟିଥିବା ବିମାନ ଦୁର୍ଘଟଣା ପୂରା ଦେଶକୁ ସ୍ତବ୍ଧ କରିଦେଇଛି ।
କୁହାଯାଉଛି କି ଏତେ ବିମାନ ଟେକଅଫ କରିବାର କିଛି ସମୟ ମଧ୍ୟରେ ବିମାନରେ ତ୍ରୁଟି ଥିବା ଆଭାସ କରିପାରିଥିଲେ ବିମାନର ପାଇଲଟ୍ । ଏପରିକି ସେହି ଆଶଙ୍କାରେ ଜରୁରୀ କାଳୀନ କଲ୍ ବି କରିଥିଲେ । କିନ୍ତୁ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ କେହି କିଛି କରିବା ପୂର୍ବରୁ ବହୁତ ଡେରୀ ହୋଇଯାଇଥିଲା । ସତେ ଯେପରି ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ସମସ୍ତ ସଦସ୍ୟଙ୍କ ମୃତ୍ୟୁ ସେହିଠାରେ ହିଁ ଲୁଚି ରହିଥିଲା । ଏବଂ ଫ୍ଲାଇଟ୍ ଟେକଅଫର କିଛି କ୍ଷଣ ମଧ୍ୟରେ ସବୁ କିଛି ସରିଗଲା । ଦୁନିଆ ଦେଖିନଥିବା ଦୁଇ ନବଜାତ ଶିଶୁ ବି ଏହି ନିଆଁରେ ସମାଧି ନେଇଗଲେ ।
ତେବେ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ସମସ୍ତ ସଦସ୍ୟଙ୍କ ମଧ୍ୟରୁ ମାତ୍ର ଜଣଙ୍କର ଜୀବନ ବଞ୍ଚିଛି । ବିମାନର ୧୨ କ୍ରୁ ସଦସ୍ୟ. ୨ ପାଇଲଟ୍ ଏବଂ ୨୩୦ ଜଣ ଯାତ୍ରୀଙ୍କ ମଧ୍ୟରୁ ମାତ୍ର ଜଣଙ୍କୁ ଛାଡିଦେଲେ ବାକି ସମସ୍ତଙ୍କର ମୃତ୍ୟୁ ଘଟିଛି । ଟେକଅଫର ମାତ୍ର ୩୦ ସେକେଣ୍ଡ ମଧ୍ୟରେ ବିଶାଳକାୟ ଏୟାର ଇଣ୍ଡିଆ ବୋଇଁ ୭୮୭ ଡ୍ରିମ ଲାଇନର ଦୁର୍ଘଟଣାଗ୍ରସ୍ତ ହୋଇ ପାଉଁଶ ହୋଇଯାଇଥିଲା । ଏପରିକି ଏହି ଦୁର୍ଘଟଣାରେ ପ୍ଲେନଟି ଏକ ମେଡିକାଲ କଲେଜ ଉପରେ ମାଡ ହୋଇଥିବା ବେଳେ ଏଥିରେ ଅନେକ ଡାକ୍ତରୀ ଛାତ୍ର ଏବଂ ସାଧାରଣ ନାଗରିକଙ୍କ ଜୀବନ ବି ଯାଇଛି । ତେବେ ଏହି ଘଟଣାରେ ଚାରିଆଡୁ ଶୋକ ପ୍ରକାଶ ପାଇଛି । ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ସମସ୍ତେ ଶୋକ ପ୍ରକାଶ କରିବା ସହିତ ପ୍ରଧାନମନ୍ତ୍ରୀ ନିଜେ ହସ୍ପିଟାଲ ଯାଇ ଆହତଙ୍କୁ ଭେଟିଥିବା ନଜର ଆସିଛନ୍ତି ।