ବିଜେଡିରୁ ଦୂରେଇ ଗଲେ ଶ୍ରୀମୟୀ-ମାନସ !

ବିଜେଡିରୁ ଦୂରେଇ ଗଲେ ଶ୍ରୀମୟୀ-ମାନସ !

ନିର୍ବାଚନ ପାଇଁ ରାଜ୍ୟରେ ଚାଲିଛି ମତଦାନ । ତୃତୀୟ ପର୍ଯ୍ୟାୟ ଭୋଟିଂ ପାଇଁ ଆଜି ସରୁଛି ପ୍ରଚାର । କିନ୍ତୁ ଏବେ ବି ବିଜେଡିର ଅନେକ ଚର୍ଚ୍ଚିତ ଚେହେରା ନିର୍ବାଚନଠୁ ଦୂରରେ ରହିଛନ୍ତି । ବିଜେଡିର ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ରଙ୍କ ସହ ସମ୍ବଲପୁର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜଙ୍କ ପ୍ରଚାର ମଇଦାନରେ ଦେଖାଦର୍ଶନ ମିଳୁନି । ଏଥର ନିର୍ବାଚନରେ ସବୁ ଦଳର ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ସମ୍ବଲପୁର ଏବଂ ଭୁବନେଶ୍ୱର ଭଳି ଗୁରୁତ୍ୱପୂର୍ଣ୍ଣ ଲୋକସଭା ଆସନ ପାଇଁ ଦୁଇ ହେଭିୱେଟ ନେତାଙ୍କୁ ଦାୟିତ୍ୱ ଦେଇଥିଲେ ମଧ୍ୟ ଉଭୟ ଦଳର ପରିଚାଳନା ଏବଂ ସାଙ୍ଗଠନିକ କାର୍ଯ୍ୟଠାରୁ ଦୂରରେ ରହିଥିବା ଜଣାପଡିଛି । ଯଦିଓ ଶ୍ରୀମୟୀ ବିଜେଡିରୁ ଦୂରେଇ ଯିବା ପଛରେ ବଳିଷ୍ଠ କାରଣ ରହିଛି କିନ୍ତୁ ମାନସ ମଙ୍ଗରାଜ ଏପରି ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହିବାକୁ ନେଇ ବିଜେଡି ଶିବିରରେ ଚର୍ଚ୍ଚା ଜୋର ଧରିଛି । ଚର୍ଚ୍ଚା ହେଉଛି, ବବିଙ୍କ ସହ ଚାଲିଥିବା ଶୀତଳଯୁଦ୍ଧ ଯୋଗୁ ମାନସ ଦଳର ଷ୍ଟାର ପ୍ରଚାରକ ଓ ସଂସଦୀୟ କ୍ଷେତ୍ରର ପର‌୍ୟ୍ୟବେକ୍ଷକ ଥାଇ ମଧ୍ୟ ସମ୍ବଲପୁର ଯିବାକୁ ସାହାସ ଜୁଟାଇ ପାରିନାହାନ୍ତି । ଅନ୍ୟପଟେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ମଧ୍ୟ ବିଜେଡି ସାଂସଦ ପ୍ରାର୍ଥୀଙ୍କୁ ଆଶାନୁରୂପ ସମର୍ଥନ ମିଳୁନି । ଶ୍ରୀମୟୀଙ୍କୁ ୬ ମାସ ଧରି ସାମ୍ଭାବ୍ୟ ପ୍ରାର୍ଥୀ ଦର୍ଶାଇ ଶେଷ ମୁହୂର୍ତ୍ତରେ ତାଙ୍କୁ ପଛରୁ ଛୁରାମାଡ କରି ମନ୍ମଥଙ୍କୁ ଟିକେଟ ଦେବାକୁ ସାଧାରଣ ଜନତା ଗ୍ରହଣ କରିପାରୁନାହାନ୍ତି । ଯେଉଁଥିପାଇଁ ମନ୍ମଥଙ୍କ ଭୋଟବ୍ୟାଙ୍କ ପ୍ରଭାବିତ ହେବାରେ ଲାଗିଛି । ଏପରିକି ଏହାକୁ ନଜରରେ ରଖି ଖୋଦ୍ ଦଳର ସୁପ୍ରିମୋ ମନ୍ମଥଙ୍କ ପାଇଁ ଭିଡିଓ ମାଧ୍ୟମରେ ଭୋଟ ଅପିଲ କରିଛନ୍ତି । ଯାହାକୁ ରାଜ୍ୟ ରାଜନୀତିରେ ପ୍ରଥମ ଥର ପାଇଁ ଘଟିଛି । ଅନ୍ୟପଟେ ବିଜେଡି ପ୍ରଚାର କରିବା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ଲିଷ୍ଟ ଜାରି କରିଛି ସତ । କିନ୍ତୁ କେବଳ ଦଳର ସଭାପତି ନବୀନ ପଟ୍ଟନାୟକ ଏବଂ ଭିକେ ପାଣ୍ଡିଆନଙ୍କୁ ବାଦ ଦେଲେ ଏପର୍ଯ୍ୟନ୍ତ ଅନ୍ୟ କୌଣସି ନେତା ପ୍ରଚାର ମଇଦାନକୁ ଓହ୍ଲାଇନାହାନ୍ତି । ତେବେ ଦଳୀୟ କର୍ମୀମାନେ ଦଳରେ ଅସନ୍ତୁଷ୍ଟ ରହିଛନ୍ତି ନା ଉପରେ ହସ ଭିତରେ ରାଗରେ ଜଳୁଛନ୍ତି ତାକୁ ନେଇ ଏବେ ସାଧାରଣରେ ଖୁବ ଚର୍ଚ୍ଚା ।

author

Related Articles

Leave a Reply

Your email address will not be published. Required fields are marked *