ବିଜେଡିରେ ଚାଲୁନି ଇରାନୀଙ୍କ ଜାଦୁ !

ବିଜେଡିରେ ଚାଲୁନି ଇରାନୀଙ୍କ ଜାଦୁ !

ରାଜ୍ୟ ରାଜନୀତିର ଜଣେ ଆଗଧାଡିର ନେତ୍ରୀ ହେଉଛନ୍ତି ଇରାନୀ ରାୟ । ବିଜେପିର ନୟାଗଡ ଚେହେରା କହିଲେ ଇରାନୀଙ୍କୁ ବୁଝାଏ । କିନ୍ତୁ ଏବେ ସେ ବିଜେଡି ଶିବିରରେ । ଇରାନୀ ଗତ ୧୦ ବର୍ଷ ଧରି ବିଜେପିରେ ଥିବା ବେଳେ ଦଳ ତାଙ୍କୁ ଉଚିତ୍ ସମ୍ମାନ ଦେଉନଥିବା ଅଭିଯୋଗ ଆଣି ସେ ଚଳିତ ନିର୍ବାଚନ ପୂର୍ବରୁ ଶଙ୍ଖ ଶିବିରରେ ପାଦ ଦେଇଥିଲେ । ବିଜେଡିରେ ତାଙ୍କ ଏଣ୍ଟ୍ରି ପରେ ଦଳ ତାଙ୍କୁ କୌଣସି ନା କୌଣସି ଆସନରେ ପ୍ରାର୍ଥୀ କରିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ବଢିଥିଲା । ନୟାଗଡ ବିଧାନସଭା ଆସନରେ ଇରାନୀଙ୍କୁ ପ୍ରାର୍ଥୀ କରି ନୟାଗଡର ପୂର୍ବତନ ବିଧାୟକ ଅରୁଣ ସାହୁଙ୍କୁ ନବୀନ ଲୋକସଭା ପଠାଇବେ ବୋଲି ଆଶଙ୍କା ବଢିଥିଲା । କିନ୍ତୁ ଏପରି କିଛି ବି ହେଲାନି । ଏହା ପରେ ଇରାନୀଙ୍କୁ ଖଣ୍ଡପଡା ନହେଲେ ରଣପୁରରୁ ଟିକେଟ ମିଳିପାରେ ବୋଲି ଅନେକ ମତପ୍ରକାଶ କରୁଥିଲେ । କିନ୍ତୁ ଶେଷରେ ଇରାନୀଙ୍କୁ ଦଳ କିଛି ବି ଦାୟିତ୍ୱ ଦେଲାନି । ନା କୌଣସି ଆସନରେ ଟିକେଟ ନା ଷ୍ଟାର ପ୍ରଚାରକର ଦାୟିତ୍ୱ । ଯାହାକୁ ନେଇ ଇରାନୀଙ୍କ ସମର୍ଥକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲେ ମଧ୍ୟ ଇରାନୀ ମୁହଁ ଖୋଲିନଥିଲେ । ଦଳର ସଭାପତି ଯାହା ବି ନିଷ୍ପତ୍ତି ନେଇଛନ୍ତି ତାକୁ ସେ ସମ୍ମାନ ଜଣାଉଥିବା କହିଥିଲେ । କିନ୍ତୁ ଭିତରେ ଭିତରେ ଗୁମୁରି ଗୁମୁରି କାନ୍ଦୁଥଲେ ଇରାନୀ । ଆଉ ଏବେ ରାଜନୀତିର ଜଣେ ଆଗଧାଡିର ନେତ୍ରୀ କେବଳ ମିଶ୍ରଣ ପର୍ବରେ ଲୋକଙ୍କୁ ଦଳରେ ସାମିଲ କରୁଥିବା ନଜର ଆସୁଛନ୍ତି । ତେବେ ଚଳିତ ଥର ବିଜେଡିର ଅନେକ ଆସନରେ ନୂଆ ନୂଆ ମୁହଁକୁ ନବୀନ ଭରସା କରିଥିବା ବେଳେ ଇରାନୀଙ୍କୁ କାହିଁକି ଭରସା କଲେନି ତାକୁ ନେଇ ଏବେବି ଆଲୋଚନା ଜୋର । ଅନ୍ୟପଟେ ନିକଟରେ ବିଜେପି ଛାଡି ବିଜେଡିକୁ ଆସିଥିବା ଲେଖାଶ୍ରୀ ସାମନ୍ତସିଂହାରକୁ ନବୀନ ସିଧାସଳଖ ଲୋକସଭା ପାଇଁ ଚୟନ କରିଛନ୍ତି । କିନ୍ତୁ ତାଙ୍କ ପୂର୍ବରୁ ଦଳକୁ ଆସିଥିବା ଇରାନୀ ନବୀନଙ୍କ ଭରସାର ପାତ୍ର ହୋଇପାରିନାହାନ୍ତି । ଇରାନୀଙ୍କ ଭଳି ଅନେକ ନାରୀ ନେତ୍ରୀ ବିଜେଡିରେ ଥାଇ ମଧ୍ୟ ଦଳ ପାଇଁ ଅଲୋଡା ହୋଇଯାଇଛନ୍ତି । ତେବେ ଦେଖାଯାଉ ଇରାନୀଙ୍କ ଭୂମିକା ବିଜେଡିରେ କେତେ ଗୁରୁତ୍ୱ ବହନ କରୁଛି ଏବଂ କେବେ ସେ ଦଳର ସଭାପତିଙ୍କ ଭରସା ଜିତିପାରୁଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *