ବିଜେଡି ଛାଡ଼ିଲେ ପୂର୍ବତନ ଉପବାଚସ୍ପତି, ପୂର୍ବତନ ରାଜ୍ୟ ସଂପାଦକ

ବିଜେଡି ଛାଡ଼ିଲେ ପୂର୍ବତନ ଉପବାଚସ୍ପତି, ପୂର୍ବତନ ରାଜ୍ୟ ସଂପାଦକ

ବ୍ରହ୍ମପୁର: ବ୍ରହ୍ମପୁର ଲୋକସଭା ଓ ବିଧାନସଭା ପାଇଁ ବିଜେଡି ପ୍ରାର୍ଥୀ ଚୟନକୁ ବିରୋଧ ବିରୋଧ କରାଯାଉଛି । ଉଭୟ ଆସନରେ ଟିକେଟ ଆଶାୟୀ ଥିବା ନେତା ଏନେଇ ଅସନ୍ତୋଷ ଜାହିର କରିଛନ୍ତି।ଏହାକୁ ନେଇ କିଛି ନେତା ପାଟି ଖୋଲୁ ନଥିବା ବେଳେ ଆଉ କିଛି ନେତା ଦଳ ଛାଡ଼ିଲେଣି।ଆଜି ପୂର୍ବତନ ଉପବାଚସ୍ପତି ତଥା ବରିଷ୍ଠ ବିଜେଡି ନେତା ରାମଚନ୍ଦ୍ର ପଣ୍ଡା ଦଳରୁ ଇସ୍ତଫା ଦେଇଛନ୍ତି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କର ଇସ୍ତଫାପତ୍ର ପଠାଇଥିବା ନେଇ ସାମ୍ବାଦିକ ସମ୍ମିଳନୀ ଡାକି ସୂଚନା ଦେଇଛନ୍ତି। ସେହିଭଳି ବିଜେଡିର ଅନ୍ୟତମ ବରିଷ୍ଠ ନେତା ତଥା ବିଜେଡି ପୂର୍ବତନ ରାଜ୍ୟ ସମ୍ପାଦକ ଟି. ଗୋପୀ ମଧ୍ୟ ଦଳ ତ୍ୟାଗ କରି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ତାଙ୍କର ଇସ୍ତଫାପତ୍ର ପଠାଇଛନ୍ତି।
ପୂର୍ବତନ ଉପବାଚସ୍ପତି ଶ୍ରୀ ପଣ୍ଡା କହିଛନ୍ତି, ‘ଗତ ୫୦ବର୍ଷ ଧରି ଛାତ୍ର ଜୀବନରୁ ରାଜନୀତି କରି ଲୋକଙ୍କ ସେବା କରିବା ସହିତ ଜିଲ୍ଲାର ବିଭିନ୍ନ ଆନ୍ଦୋଳନରେ ସାମିଲ ହୋଇ ଋଷିକୁଲ୍ୟା ବଞ୍ଚାଅ ଅଭିଯାନ ସହିତ ଚାଷୀ ସମସ୍ୟା ସମାଧାନ ପାଇଁ ଲଢ଼େଇ କରିଛି । ବିଜୁ ବାବୁଙ୍କ ଅମଳରେ ଉଠାଜଳସେଚନ ନିଗମ ଅଧ୍ୟକ୍ଷ ପଦବିରେ ରହିବା ପରେ ଜଳସେଚନର ବିକାଶ ଦିଗରେ ବହୁ ପଦକ୍ଷେପ ନିଆଯାଇଛି। ସେହିପରି ଗତ ୭ବର୍ଷ ଧରି ବିଜେଡି ସରକାର ଅମଳରେ ବିଭିନ୍ନ ପଦରେ ରହି ସୁଚାରୂ ରୂପେ ଦାୟିତ୍ବ ସମ୍ପାଦନ କରି ଆସିଛି। କିନ୍ତୁ ଦଳ ମୋତେ ବିଶ୍ବାସ କଲା ନାହିଁ କି ଗୁରୁତ୍ବ ଦେଲା ନାହିଁ।’ ସେ ଆହୁରି କହିଛନ୍ତି, ଗତ ୨୦୧୯ ନିର୍ବାଚନରେ ମୋତ ସୁଯୋଗ ଦିଆଗଲା ନାହିଁ। ତଥାପି ମୁଁ ଦଳ ପାଇଁ ନିଷ୍ଠାର ସହିତ କାମ କରି ଚାଲିଥିଲି। ଏଥର ମଧ୍ୟ ମୋ’ ସହିତ ଛଳନା କରାଯାଇଛି। ଗତ ୧ ତାରିଖରେ ଭୁବନେଶ୍ବର ଆଲୋଚନା ପାଇଁ ଡାକି ଅନ୍ୟ ଜଣେ ଆମଦାନୀ ନେତାଙ୍କୁ ବ୍ରହ୍ମପୁର ବିଜେଡି ଲୋକସଭା ଟିକେଟ ଦିଆଗଲା।

ଯାହାକି ମୋର ସ୍ବାଭିମାନ ଓ ସ୍ବାଧୀନତା ପ୍ରତି ଏକ ପ୍ରକାର କଟାକ୍ଷ ହୋଇଛି। ଏଣୁ ମୁଁ ବାଧ୍ୟ ହୋଇ ବିଜେଡିରୁ ଇସ୍ତଫା ଦେଇଛି ବୋଲି ଶ୍ରୀ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ବିଜେଡିରୁ ଇସ୍ତଫା ଦେବା ପରେ ସେ ଅନ୍ୟ କୌଣସି ଦଳରେ ଯୋଗଦାନ ସମ୍ପର୍କରେ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ଗ୍ରହଣ କରିବେ ବୋଲି କହିଛନ୍ତି। ଆଗକୁ ମଧ୍ୟ ଜନସାଧାରଣଙ୍କ ସେବା ଜାରି ରଖିବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ସେହିପରି ‌ବିଜେଡି ନେତା ଗୋପୀ ବ୍ରହ୍ମପୁର ବିଜେଡି ବିଧାୟକ ପଦ ଟିକେଟ ଆଶାୟୀ ଥିଲେ। ଦୀର୍ଘବର୍ଷ ଧରି ଦଳର ଜଣେ ସକ୍ରିୟ ନେତା ଭାବେ ସମସ୍ତ ଦାୟିତ୍ବ ତୁଲାଇବା ସତ୍ତ୍ବେ ଆମ ପ୍ରତି ଅଣଦେଖା କରାଯାଇଛି। ଆମ ପରିଶ୍ରମର କୌଣସି ମୂଲ୍ୟ ନାହିଁ। ବିନା କୌଣସି ଆଲୋଚନାରେ ଏକତରଫା ନିଷ୍ପତ୍ତି ନିଆଯାଇଛି। ବିଜେଡିରେ ପୁରୁଣା ନେତାଙ୍କୁ ଏବେ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଉଛି। ଯାହାକି ଆମକୁ ଭାରି କଷ୍ଟ ଦେଉଛି ବୋଲି ଗୋପ‌ୀ କହିଛନ୍ତି। ଏଣୁ ବାଧ୍ୟ ହୋଇ ନିଜର ସ୍ବାଭିମାନ ରକ୍ଷା ପାଇଁ ସେ ଦଳରୁ ଇସ୍ତଫା ଦେଇଥିବା କହିଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *