ରାଜ୍ୟ ରାଜନୀତିର ଜଣେ ପରିଚିତ ଚେହେରା ସହ ଭେଟେରାନ ନେତା ହେଉଛନ୍ତି ବାବା ପ୍ରସନ୍ନ ପାଟ୍ଟଶାଣୀ । ରାଜ୍ୟରେ ବିଜୁ ଜନତା ଦଳ ଆରମ୍ଭ ପଛରେ ବାବାଙ୍କ ଭୂମିକା ବେଶ୍ ଗୁରୁତ୍ୱପୂଣ୍ଣ ବୋଲି ସମସ୍ତଙ୍କୁ ଜଣା । କିନ୍ତୁ ଏବେ ସେ ଆଉ ବିଜେଡିରେ ନାହାନ୍ତି । ବିଜେଡି ହାରିବା ପରେ ଦଳ ବଦଳ କରି ସେ ବିଜେପିକୁ ଚାଲିଯାଇଛନ୍ତି । ଗତ କିଛି ବର୍ଷ ହେବ ବିଜେଡିରେ ତାଙ୍କୁ ଆଉ ସେତେଟା ଗୁରୁତ୍ୱ ମିଳୁନଥିବାରୁ ଶେଷରେ ନେଡି ଗୁଡ କହୁଣିକୁ ବୋହି ଗଲା ପରି ସେ ବିଜେଡିର ବିରୋଧୀ ଦଳ ବିଜେପିକୁ ଚାଲିଗଲେ । ଗତ ଜୁନ ୮ ତାରିଖରେ ସେ ନିଜ ପୋଷାକ ପରି ଗେରୁଆ ରଙ୍ଗରେ ରଙ୍ଗେଇ ହୋଇଗଲେ । ଦିଲ୍ଲୀ ଯାଇ ସେଠାରେ ବିଜେପିରେ ସାମିଲ ହେଲେ ଏବଂ ଏହା ପରେ ରାଜ୍ୟରେ ମଧ୍ୟ ବିଜେପି ନେତାଙ୍କ ଗହଣରେ ଦଳରେ ମିଶିଲେ । ଆଉ ସେହି ସମୟରେ ସେ ବେଶ୍ ଖୁସି ଥିଲେ । କିନ୍ତୁ ଏହା ପରେ ସେ ପୁଣି ଏକା ହୋଇଗଲେ । ଦଳରେ ଥାଇ ବି ସେ ଦଳରେ ନଥିବା ଭଳି ଦୃଶ୍ୟମାନ ହେଲେ । ମଝିରେ ମଝିରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ସପକ୍ଷରେ ଏବଂ ବିଜେଡି ବିପକ୍ଷରେ ମୁହଁ ଖୋଲୁଥିବା ନଜର ଆସିଥିଲେ । କିନ୍ତୁ ଯେଉଁ ଉଦ୍ଦେଶ୍ୟ ନେଇ ସେ ବିଜେପିର ହାତ ଧରିଥିଲେ ସେଭଳି ତାଙ୍କୁ କିଛିବି ଗୁରୁ ଦାୟିତ୍ୱ ମିଳିଥିବା ଖବର ଏ ଯାଏଁ ସାମ୍ନାକୁ ଆସିନି । ଖାଲି ଦାୟିତ୍ୱ ନୁହେଁ ନା କୌଣସି ସଭା ସମିତି ନା କୌଣସି ଦଳୀୟ କାଯ୍ୟ କୌଣସି ଥିରେ ବାବାଙ୍କ ଛାଇବି ପଡୁନି । ଅନ୍ୟପଟେ ବିଜେଡି ପୂବରୁ ବରିଷ୍ଠ ନେତାଙ୍କୁ ପ୍ରଚ୍ଛଦ ପଟରେ ରଖିଥିବା ବେଳେ ଏବେ ସେମାନଙ୍କୁ ପ୍ରାଧାନ୍ୟ ଦେଉଛି । ଦଳର ଉନ୍ନତି ପାଇଁ ସେମାନଙ୍କ ମତାମତ ଲୋଡା ଯାଉଛି । ସେମାନଙ୍କୁ ଆଗକୁ ଆଣି ଜୁନିଅର ନେତାଙ୍କୁ ପଛରେ ରଖାଯାଉଛି । କିନ୍ତୁ ବାବା ପ୍ରସନ୍ନ ଏଥିରୁ ବି ବଞ୍ଚିତ ହୋଇଛନ୍ତି । ଏବଂ ଏହି ଦୃଶ୍ୟକୁ ଦେଖି ଏବେ ସେ ବିଜେଡି ଛାଡିବା ନିଷ୍ପତ୍ତି ଉପରେ ପସ୍ତାଉଥିବା ଆଲୋଚନା ଚାଲିଛି । ବିଜେଡି ହାରିବା ପରେ ସେ କ୍ଷମତା ଲୋଭରେ ବିଜେପିକୁ ଚାଲିଗଲେ । କିନ୍ତୁ ବିଜେପିରେ ବି ତାଙ୍କୁ ଠକି ହେବାକୁ ପଡିଛି । କେବଳ ନାମକୁ ମାତ୍ର ସେ ବିଜେପିରେ ଅଛନ୍ତି । ତେବେ ବୟସର ଅପରାହ୍ଣରେ ଥିବା ବାବା ପ୍ରସନ୍ନଙ୍କ ଆଗାମୀ ରାଜନୈତିକ ଭବିଷ୍ୟତ କଣ ହେଉଛି ଏବଂ ଦଳର ସେ କେତେ ଗୁରୁତ୍ୱ ବହନ କରୁଛନ୍ତି ତାହା ଦେଖିବାକୁ ଅପେକ୍ଷା ।
You can share this post!
author