ବିଜେପି ନେତାଙ୍କୁ ଅଣଦେଖା ଅକଳରେ ମନମୋହନ

ବିଜେପି ନେତାଙ୍କୁ ଅଣଦେଖା  ଅକଳରେ ମନମୋହନ
  • ବିଜେପିରେ ତୁଟୁନି ନିଗମ ଓ ବୋର୍ଡ ହିସାବ
  • ତାରିଖ ପରେ ତାରିଖ ଘୁଞ୍ଚାଉଛନ୍ତି ମନମୋହନ
  • ମନମାରୀ ବସିଲେଣି ମାଳ ମାଳ ଆଶାୟୀ
  • ମୁଣ୍ଡ ଉପରେ ରାଜ୍ୟସଭା ସାଙ୍ଗକୁ ପଞ୍ଚାୟତ ନିର୍ବାଟନ

 

ଖୁବଶୀଘ୍ର ବିଜେପି ନେତାଙ୍କୁ ବୋର୍ଡ ଓ ନିଗମ ଲଡୁ ମିଳିବ । ଜାନୁୟାରୀ ଦ୍ୱିତୀୟ ସପ୍ତାହରେ ନିଗମ ଓ ବୋର୍ଡ ଘୋଷଣା ହୋଇଯିବ । ଏମିତି କହି ଭଣ୍ଡେଇ ଚାଲିଛନ୍ତି ବରିଷ୍ଠ ନେତାଏ । ହଁ ଆଜ୍ଞା ମାସ ପରେ ମାସ ଗଡୁଛି ତାରିଖ ପରେ ତାରିଖ ଘୁଞ୍ଚୁଛି କିନ୍ତୁ ବିଜେପି ନେତାଙ୍କୁ ନିଗମ ଓ ବୋର୍ଡରେ ଆଜି ପର୍ଯ୍ୟନ୍ତ ନିଯୁକ୍ତି ମିଳୁପାରୁନି । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି । ତଥାପି ଏପର୍ଯ୍ୟନ୍ତ ବୋର୍ଡ ଓ ନିଗମ ପଦବୀ ଘୋଷଣା ହୋଇପାରୁନାହିଁ ।

 

ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ଏକାକି ସରକାର ଗଢିଛି । 24ବର୍ଷ ଧରି କ୍ଷମତାରେ ଥିବା ବିଜେଡିକୁ ମାତ ଦେଇ ଦଳ କ୍ଷମତାକୁ ଆସିଲା । ରାଜ୍ୟସ୍ତରରୁ ନେଇ ତୃଣମୂଳସ୍ତର ପର୍ଯ୍ୟନ୍ତ ଦଳ ସାଙ୍ଗଠନିକ କାର୍ଯ୍ୟକ୍ରମକୁ ସକ୍ରିୟ କରି ଦଳ ଲୋକଙ୍କ ଆଶା ଜିଣିଛି । ଅନେକ ନେତା ବିଧାନସଭା ନିର୍ବାଚନରେ ହାରିଥିଲେ ମଧ୍ୟ ଦଳର ସଙ୍ଗଠନକୁ ମଜଭୁତ କରି ରଖିବାରେ ସଫଳ ହୋଇଛନ୍ତି । ଖାଲି ସେତିକି ନୁହେଁ ସାଧାରଣ ନିର୍ବାଚନ ପୂର୍ବରୁ ଅନେକ ନେତା ବିଜେଡି ଛାଡି ବିଜେପିକୁ ଆସିଥିଲେ କାହାକୁ ସେତେବେଳେ ଟିକେଟ ମିଳିଥିଲା ତ ଆଉ କାହାକୁ ଭବିଷ୍ୟତ ପାଇଁ ଦଳ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । ତେବେ ସରକାରକୁ ଦୁଇ ବର୍ଷ ପୂରିବାକୁ ଯାଉଛି କିନ୍ତୁ ଏବେ ପର୍ଯ୍ୟନ୍ତ ବୋର୍ଡ ଓ ନିଗମରେ ଥଇଥାନ ହୋଇପାରିଲା ନାହିଁ । ଏପରିକି ଆଶାୟୀ ମାନେ ଚାତକ ପରି ଚାହିଁ ବସିଛନ୍ତି । କେବେ ଦଳର ସଭାପତି ନିଗମ ଓ ବୋର୍ଡ ଲଡୁ ଖୁଆଇବେ ।

 

ତେବେ ନୂଆବର୍ଷରେ ଦାୟିତ୍ୱ ବଣ୍ଟାଯିବ ବୋଲି ବିଜେପି ରାଜ୍ୟସଭାପତି ମନମୋହନ ସାମଲ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଏଯାଏଁ ହେଲାନାହିଁ । ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ନିଗମ ଓ ବୋର୍ଡ ନିଯୁକ୍ତି ନିମନ୍ତେ ତାଲିକା ପ୍ରସ୍ତୁତି ସରିଛି । ରାଜ୍ୟ ନେତୃତ୍ୱ ଏହି ତାଲିକାକୁ ନେଇ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ କଥା ହୋଇଥିଲେ କିନ୍ତୁ ନିର୍ଦ୍ଦିଷ୍ଟ କିଛି ନାଁକୁ ନେଇ ଏବେ ପର୍ଯ୍ୟନ୍ତ ସହମତି ହୋଇପାରୁନାହିଁ । ଅପରପକ୍ଷରେ ବିଜେପିରେ ଆଶାୟୀଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ । ଯେଉଁଥିପାଇଁ ଏବେ ପର୍ଯ୍ୟନ୍ତ ନିଗମ ଓ ବୋର୍ଡ ନିଯୁକ୍ତି ଝୁଲିକି ରହିଛି । ତେବେ ଦେଖିବାର କଥା କେବେ ଭାରତୀୟ ଜନତା ପାର୍ଟି ନିଜର ନେତାଙ୍କୁ ଥଇଥାନ କରୁଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *