ବିଜେପି ନେତାଙ୍କୁ ଭୁରିଭୁରି ପ୍ରଶଂସା କଲେ କାଳୁ ଖଣ୍ଡାୟତରାୟ !

ବିଜେପି ନେତାଙ୍କୁ ଭୁରିଭୁରି ପ୍ରଶଂସା କଲେ କାଳୁ ଖଣ୍ଡାୟତରାୟ !

ସରିଯାଇଛି ନିର୍ବାଚନ । ବଦଳିଯାଇଛି ଓଡିଶାର ଇତିହାସ । ରାଜ୍ୟ ରାଜନୀତିର ଚିତ୍ର ବଦଳିବା ସହ ନେତାମନ୍ତ୍ରୀଙ୍କ ଆଭିମୁଖ୍ୟ ବି ବଦଳିଯାଇଛି । କ୍ଷମତା ଆଳରେ ଏବ ଦଳଡିଆଁ ପବ ବି ଆରମ୍ଭ ହୋଇଗଲାଣି । କିଏ ଅନ୍ୟ ଦଳରୁ ନୂଆ କରି ଓଡିଶାର ଶାସନ ଭାର ନିଜ କାନ୍ଧକୁ ନେଇ ଥିବା ବିଜେପିକୁ ଆସୁଛି ତ ଆଉ କିଏ ଦଳରୁ ରାଗରେ ମୁହଁ ଫେରାଇ ନେଇଥିବା ନେତା ପୁଣି ଥରେ ଦଳକୁ କମବ୍ୟାକ କରିବାକୁ ଇସାରା ଦେଉଛନ୍ତି । ନିର୍ବାଚନ ସମୟରେ ଯେଉଁନେତା ନିଜ ଦଳ ବିରୁଦ୍ଧରେ ରଣହୁଙ୍କାର ଦେଉଥିଲେ ଏବେ ସେମାନଙ୍କ ସ୍ୱର ବଦଳିଯାଇଛି । ନିର୍ବାଚନ ପୂର୍ବରୁ ଯାହାକୁ ଟାର୍ଗେଟ କରୁଥିଲେ ଏବେ ତାଙ୍କୁ ପ୍ରଶଂସାରେ ପୋତି ପକାଉଥିବାର ଦୃଶ୍ୟ ନଜର ଆସିଛି । ଆଉ ଏଭଳି ଚିତ୍ର ଖୋଦ ରାଜଧାନୀରେ ଦେଖିବାକୁ ମିଳିଛି । ଚଳିତ ନିବାଚନରେ ବିଜେପିରୁ ଟିକେଟ କଟିବାରୁ ବିଜେପି ନେତା କାଳୁ ଖଣ୍ଡାୟତରାୟ ଦଳ ଛାଡିବା ସହ ସ୍ୱାଧୀନ ପ୍ରାର୍ଥୀ ହୋଇ ବିଜେପି ବିରୁଦ୍ଧରେ ରଣହୁଙ୍କାର ଦେଇଥିଲେ । ଖୋଦ୍ଧା ମାଟିରେ ବିଜେପି କିପରି ଧୂଳି ଚାଟିବ ଖାସ କରି ପ୍ରଶାନ୍ତ ଜଗଦେବ କିପରି ଏଠାରେ ହାରିବେ ସେନେଇ ରଣନୀତି ପ୍ରସ୍ତୁତ କରିବା ସହ ବାରମ୍ବାର ସଭାସମିତି ମାଧ୍ୟମରେ ବିଜେପି ବିରୁଦ୍ଧରେ ପ୍ରଚାର କରୁଥିଲେ । କିନ୍ତୁ ଏବେ ବିଜେପି ରାଜ୍ୟରେ ସରକାର ଗଢୁଥିବା ବେଳେ ତାଙ୍କ ସ୍ୱର ବଦଳିଯାଇଛି । ପ୍ରଶାନ୍ତ ଜଗଦେବଙ୍କୁ ଜିତିବାର ଶୁଭେଚ୍ଛା ଦେବା ସହ ତାଙ୍କୁ ସାନ ଭାଇ ବୋଲି ସମ୍ବୋଧିତ କରିଛନ୍ତି । ଖାଲି ସେତିକି ନୁହେଁ ଦୀର୍ଘ ଦିନ ଧରି ସେ ଯେଉଁ ସ୍ୱପ୍ନ ଦେଖିଥିଲେ ଓଡିଶାରେ ବିଜେପି ସରକାର ଗଢିବ ବୋଲି ତାହା ପୂରଣ ହୋଇଛି ବୋଲି ନିଜ ଫେସବୁକ ପେଜରେ ଲେଖି ସମସ୍ତଙ୍କୁ ଚକିତ କରିଛନ୍ତି । ଏହାସହ ତାଙ୍କ ପ୍ରିୟ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ବିଜୟରେ ସେ ଅତ୍ୟନ୍ତ ଖୁସି ଥିବା ସହ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରୁଥିବାର ଏକ ଭିଡିଓ ମଧ୍ୟ ସେ ନିଜ ସୋସିଆଲ ମିଡିଆ ସାଇଡ୍ ଫେସବୁକ ପେଜରେ ସେୟାର କରିଛନ୍ତି । ତେବେ ଏହା ପରେ କାଳୁ ଖଣ୍ଡାୟତରାୟଙ୍କ ସ୍ୱର ବିଜେପି ପ୍ରତି ବଦଳିଯାଇଥିବା କୁହାଯାଉଥିବା ବେଳେ ସେ ବିଜେପିକୁ ପୁଣି ଥରେ ରିଟର୍ଣ୍ଣ କରିବାର ଇସାରା ଦେଉଥିବା ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି । ତେବେ ରାଜନୀତିରେ ନେତାମାନଙ୍କର କୌଣସି ନିଦ୍ଦିଷ୍ଟ ଦଳ ନଥିବା ବେଳେ ଦେଖାଯାଉ କାଳୁ ଖଣ୍ଡାୟତରାୟଙ୍କ ରାଜନୀତିରେ କଣ ଭୂମିକା ରହୁଛି ଏବଂ ସେ ବିଜେପିକୁ ଫେରୁଛନ୍ତି ନା ନାହିଁ ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *