ନିଜ ବାପାଙ୍କ ହୀନ ରାଜନୀତି ପାଇଁ ଅକାରଣେ ବଳି ପଡିଲେ ଅରବିନ୍ଦ । ବିଜୟଙ୍କ ବିଜେଡି ପ୍ରତି ଆକ୍ରୋଶ ଅରବିନ୍ଦଙ୍କ ପାଇଁ ସାଜିଲା କାଳ । ହଁ ଆଜ୍ଞା, ଜାନୁଆରୀ 15 ତାରିଖ ସନ୍ଧ୍ୟାରେ ବିଜେଡିର ଏକ ଚିଠି ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଚି କରିଥିଲା । ବିଜେଡିର ଦୁଇ ବିଧାୟକଙ୍କୁ ବିଜେଡି ସଭାପତି ନିଲମ୍ବନ କରିବା ଖବର ପ୍ରକାଶ ପାଇବା ପରେ ବିଜେଡି ଶିବିର ସହ ରାଜନୀତିଜ୍ଞ ମହଲରେ ନାନା ଆଲୋଚନା ମୁଣ୍ଡ ଟେକିଲା । ବିଧାୟକ ସନାତନ ମହାକୁଡ ନିଲମ୍ବନ ହେବା ପଛରେ କାରଣ ସ୍ପଷ୍ଟ ରହିଥିବା ବେଳେ ଦଳର କନିଷ୍ଠ ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କରିବା ପଛରେ କାରଣ କଣ ତାହା ସସପେନ୍ସ ସୃଷ୍ଟି କରିଥିଲା ।
ନିର୍ବାଚନରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ସହ ପୂର୍ବ ତିକ୍ତତାକୁ ଏଡାଇ ଦେଇ ତାଙ୍କୁ ପୁଅକୁ ଦଳକୁ ସ୍ବାଗତ କରିବା ସହ ତାଙ୍କୁ ତାଙ୍କ ବାପାଙ୍କ ପୁରୁଣା ଆସନ ପାଟକୁରାରୁ ବିଧାୟକ ଟିକେଟ ବି ଦେଇଥିଲେ । ଏବଂ ନିର୍ବାଚନରେ ଜିତିବା ନେଇ ସମସ୍ତ ପ୍ରକାର ଚେଷ୍ଟା ଚଳାଇଥିଲେ । ଏବଂ ଶେଷରେ ଅରବିନ୍ଦ ନିର୍ବାଚିତ ବି ହେଲେ । କିନ୍ତୁ ଏହା ପରେ ବି ଅରବିନ୍ଦଙ୍କ ବାପା ତଥା ବିରଷ୍ଠ ନେତା ବିଜୟ ମହାପାତ୍ରଙ୍କ ବିଜେଡି ପ୍ରତି ଥିବା ରାଗ ଶାନ୍ତ ପଡିନି । ବିଜେଡି କିପରି ଭାଙ୍ଗିବ, ଅନ୍ୟ ଏକ ବିକଳ୍ପ ଆସିବ, ବିଜେଡିରେ ଆଉ ଭବିଷ୍ୟତ ନାହିଁ ଏପରି ବୁଲି ବୁଲି ପ୍ରଚାର କରିବା ସହ ବିଜେଡିର କିଛି ନେତାଙ୍କୁ ନେଇ ନୂଆ ଆଞ୍ଚଳିକ ଦଳ ସୃଷ୍ଟି କରିବା ନେଇ ସେ ଦିଗରେ ମାତିଛନ୍ତି ବିଜୟ । ଏପରିକି କିଛି ବିଜେଡି ନେତାଙ୍କ ସହ ଏପରି ଆଲୋଚନା ବିଜୟ ମହାପାତ୍ର କରିଥିବା ବିଶେଷ ସୂତ୍ରରୁ ଜଣାପଡିଛି । ଆଉ ଏ ଖବର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ କାନରେ ପଡିବା ପରେ ନବୀନ ଏହାକୁ ବରଦାସ୍ତ କରିପାରିନଥିବା ଏବଂ ବିଜୟଙ୍କୁ ସବକ ଶିଖାଇବାକୁ ଯାଇ ତାଙ୍କୁ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବନ କରିଥିବା କୁହାଯାଉଛି । ପାଟକୁରାରେ ବିଜୟଙ୍କ ଲିଗାସୀ ବଞ୍ଚାଇବାକୁ ଯାଇ ନବୀନ ତାଙ୍କ ପୁଅଙ୍କୁ ଆଗକୁ ଆଣି ବିଧାୟକ କରିଥିବା ବେଳେ ବିଜୟ କିନ୍ତୁ ବିଜେଡି ଭାଙ୍ଗିବା ପଛରେ ରଣନୀତି ଚଳାଇଛନ୍ତି । ଏବଂ ଏହାକୁ ଦୃଷ୍ଟିରେ ରଖି ନବୀନ ଏପରି ଶକ୍ତ ନିଷ୍ପତ୍ତି ନେବା ସହିତ ବିଜେଡି ଭାଙ୍ଗିବାକୁ ଚାହୁଁଥିବା ନେତାଙ୍କୁ ସବକ ଶିଖାଇଥିବା ସ୍ପଷ୍ଟ ହୋଇଛି ।
