ପୁଣି ଥରେ ବିବାଦୀୟ ବୟାନ ପାଇଁ ଫସିଲେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ । ପ୍ରଥମେ ମହିଳା ନେତ୍ରୀଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଦେବାକୁ ନେଇ ଆଉ ଏବେ ବିଧାନସଭାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେବାକୁ ନେଇ । ନିଜ ବୟାନ ପାଇଁ ସମାଲୋଚନାର ଶିକାର ବିଜେପି ବିଧାୟକ । ତେବେ ବିଧାନସଭାର ଶୀତ ଅଧିବେଶନ ଆରମ୍ଭରୁ ସୁରୁଖୁରୁରେ ଚାଲୁଥିବା ବେଳେ ଗତକାଲି ନୀଳଗିରି ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ପାଇଁ ଗୃହରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା । କୁଆଡେ ଦେଶ ସ୍ୱାଧୀନ ହେବା ପରେ ଦେଶ ବିଭାଜନ ପାଇଁ ମହାତ୍ମାଗାନ୍ଧୀ ଦାୟୀ ବୋଲି ବିଧାନସଭାରେ କହିଥିଲେ ବିଜେପି ବିଧାୟକ ସନ୍ତୋଷ ଖଟୁଆ । ଯାହାକୁ ନେଇ ବିରୋଧୀ ବିଜେଡି ଏବଂ କଂଗ୍ରେସ ରକ୍ତମୁଖା ହୋଇ ଉଠିବା ସହ କକ୍ଷ ତ୍ୟାଗ କରି ଗାନ୍ଧୀ ମୂର୍ତି ତଳେ ପ୍ରତିବାଦ କରିଥିଲେ । ଜାତିର ପିତାଙ୍କୁ ବିଧାନସଭା ଭଳି ପବିତ୍ର ଗୃହରେ ଅପମାନ ଦେବାକୁ ନେଇ ବିଧାୟକଙ୍କ ବିରୋଧରେ ବାଚସ୍ପତି କଡା କାଯ୍ୟାନୁଷ୍ଠାନ ନେବା ସହିତ ତାଙ୍କୁ ବିଧାନସଭାରୁ ନିଲମ୍ବନ କରିବା ନେଇ ଦାବି ରଖିଥିଲେ ।
ତେବେ ବିଧାନସଭା ପରିସରରେ ବିରୋଧୀଙ୍କ ରୂପ ଦେଖି ବାଚସ୍ପତି ସେମାନଙ୍କୁ ଗୃହକୁ ଫେରାଇଆଣିବାକୁ ନିବେଦନ କରିଥିଲେ । ଏହା ସହିତ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ସରକାରୀ ଦଳ ମୁଖ୍ୟ ସଚେତକ ବିରୋଧୀଙ୍କୁ ବୁଝାସୁଝା କରିବା ସହିତ ବିଧାୟକ କ୍ଷମା ମାଗିବେ ବୋଲି ବିରୋଧୀଙ୍କୁ କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ । କିନ୍ତୁ ଏପଟେ ନିଜେ ଦେଇଥିବା ବୟାନ କୁ ମିଛ ବୋଲି କହିବା ସହିତ ବିରୋଧୀ ସୁଧୁ ମିଛ କହୁଥିବା ଗଣମାଧ୍ୟମରେ କହିଛନ୍ତି ବିଧାୟକ ସନ୍ତୋଷ ଖଟୁଆ । ଏବଂ ବିରୋଧୀ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଥିବା କହି ବିରୋଧୀଙ୍କ ଉପରେ ଦୋଷ ଲଦିଛନ୍ତି ।
ଅନ୍ୟପଟେ ବିଧାୟକଙ୍କୁ ବିରୋଧ କରି ବିଧାନସଭା ସହିତ ବିଧାନସଭା ବାହାରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରାତି ଅଧରେ ବିଧାୟକଙ୍କ କୁଶପୁତ୍ତଳିକା ଦାହ କରିବା ସହିତ ତୀବ୍ର ବିରୋଧ କରାଯାଇଥିଲା । ସେହିପରି ନୀଳଗିରିରେ ମଧ୍ୟ ପୂବତନ ବିଧାୟକ ଏଭଳି ମନ୍ତବ୍ୟକୁ ସମାଲୋଚନା କରିଥିଲେ । କିନ୍ତୁ ଚୋର ମୁହଁ ଟାଣ ପରି ବିଧାୟକ ନିଜ ଭୁଲ୍ ମାନିବାକୁ ନାରାଜ । ତେବେ ଗୋଟିଏ ପଟେ ନିଜ ଦଳର ବିଧାୟକଙ୍କ ବିରୋଧରେ ମନ୍ତ୍ରୀ ବାହାରି ବିରୋଧୀଙ୍କ ସହ ଛିଡା ହୋଇଥିବା ବେଳେ ଦେଖାଯାଉ ବିଧାୟକ କ୍ଷମା ମାଗୁଛନ୍ତି ନା ନିଜ ଜିଦରେ ଅଚଳ ରହୁଛନ୍ତି ।
