ରାଜ୍ୟ ରାଜନୀତିର ଦୁଇ ଜଣ ଦକ୍ଷ ନେତା ହେଉଛନ୍ତି ସୁରେଶ ରାଉତରାୟ ଏବଂ ବିଜୟ ମହାପାତ୍ର । ରାଜନୀତିରେ ଅଭିଜ୍ଞ ରହିବା ସହ ରାଜ୍ୟର ଚର୍ଚ୍ଚିତ ଚେହେରା ହେଉଛନ୍ତି ଏହି ଦୁଇ ନେତା । କିନ୍ତୁ ଏବେ ଏହି ଦୁଇ ନେତା ନିଜ ନିଜ ଦଳ ପାଇଁ ଅଲୋଡା ହୋଇଯାଇଛନ୍ତି । ପୁଅ ପାଇଁ ବାଟ ସଫା କରୁକରୁ ନିଜେ ରାସ୍ତାରୁ ହଟିଯାଇଛନ୍ତି । କଂଗ୍ରେସର ଭେଟେରାନ ନେତା ସୁର ରାଉତରାୟ ନିଜ ସାନ ପୁଅ ମନ୍ମଥଙ୍କ ବିଜେଡିରେ ଯୋଗ ଦେବା ଏବଂ ପୁଅକୁ ଜିତାଇବା ପାଇଁ ସୁର ବିଜେଡି ପାଇଁ ପ୍ରଚାର କରିବାରୁ କଂଗ୍ରେସ ତାଙ୍କୁ ଦଳରୁ ବିଦା କରିଛି । କଂଗ୍ରେସ କହିଲେ ଯେଉଁ ନେତାଙ୍କ ଚେହେରା ସାମ୍ନାକୁ ଆସେ ତାଙ୍କୁ ହିଁ ଦଳ ନିର୍ବାଚନ ପୂର୍ବରୁ ଦଳରୁ ବାହାର କରିଦେଇଛି । ସବୁବେଳେ କଂଗ୍ରେସ ପାଇଁ ଆଗରେ ରହିଥିବା ସୁରଙ୍କୁ ୬ ବର୍ଷ ଯାଏଁ ଦଳରୁ ବହିଷ୍କୃୃତ କରିଛି କଂଗ୍ରେସ । କିନ୍ତୁ ଏଥିରେ ଅସନ୍ତୁଷ୍ଟ ନହୋଇ ପୁଅ ପାଇଁ ଅଣ୍ଟା ଭିଡିଛନ୍ତି ସୁର । ପୁଅ ପାଇଁ ଏବେ ସେ ଖୁଲମଖୁଲା ପ୍ରଚାର ଉପରେ ପ୍ରଚାର କରୁଛନ୍ତି । ସେହିପରି ଆଉ ଜଣେ ପୁତ୍ର ମୋହରେ ଅନ୍ଧ ହୋଇ ନିଜ ଦଳର ନୀତି ଆଦର୍ଶକୁ ଭୁଲି ଯାଇଥିବା ନେତା ବିଜୟ ମହାପାତ୍ର ମଧ୍ୟ ଏବେ ବିଜେପିରୁ ବିଦା ହୋଇଛନ୍ତି । ବିଜେପିର ଜଣେ ଆଗଧାଡିର ନେତା ହେବା ସହ ରାଜନୀତିରେ ତାଙ୍କର ଖୁବ୍ ଦବଦବା ରହିଆସିଛି । କିନ୍ତୁ ବିଜୟଙ୍କ ପୁଅ ଅରବିନ୍ଦ ବାପାଙ୍କ ବିରୋଧୀ ଦଳ ବିଜେଡିରେ ଯୋଗ ଦେବା ଦିନଠାରୁ ବିଜେପିର କର୍ମକର୍ତ୍ତାମାନେ ତାଙ୍କୁ ଦଳରୁ ବାହାର କରିବାକୁ ଯୋଜନା ଚଳାଇଥିଲେ । ଆଉ ଏବେ ତାଙ୍କୁ ଗତ ୫ ବର୍ଷ ହେବ ଦଳରେ ସକ୍ରିୟ ନଥିବା ଦର୍ଶାଇ ଦଳରୁ ବିତାଡିତ କରିଦେଇଛନ୍ତି । ଯାହା ପରେ ଏବେ ସେ ମଧ୍ୟ ପୁଅ ପାଇଁ ପ୍ରଚାର ମଇଦାନକୁ ଆହୁରି ସରଗରମ କରିବା ପାଇଁ ଅଣ୍ଟା ଭିଡିଥିବା କୁହାଯାଉଛି । ତେବେ ଉଭୟ ନେତା ନିଜ ନିଜ ଦଳର ହେଭିୱେଟ ନେତା ହୋଇଥିବା ବେଳେ ଏବେ ଉଭୟଙ୍କୁ ହରାଇ ଦୁଇ ଦଳ କିପରି ନିର୍ବାଚନରେ ଜିତିବେ ଏବଂ ଏମାନେ କିପରି ସେମାନଙ୍କ ଉପରେ ଭାରି ପଡିବେ ତାହା ଜୁନ୍ ୪ ର ଫଳାଫଳ କହିବ ।
You can share this post!
author