ବିଶ୍ୱକପ ଫାଇନାଲରେ ପ୍ରବେଶ କଲା ଭାରତ

ବିଶ୍ୱକପ ଫାଇନାଲରେ ପ୍ରବେଶ କଲା ଭାରତ

ନ୍ୟୁଜିଲାଣ୍ଡକୁ ହରାଇ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି ଭାରତ । ମୁମ୍ବାଇରେ ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ଐତିହାସିକ ବିଜୟରେ ବିରାଟ କୋହଲି, ଶ୍ରେୟସ ଆୟାର ଓ ମହମ୍ମଦ ସାମିଙ୍କ ପ୍ରମୁଖ ଭୂମିକା ରହିଥିଲା । କୋହିଲ ଓ ଆୟାର ଶତକ ମାରିଥିବାବେଳେ ସାମି ୭ଟି ୱିକେଟ ନେଇଥିଲେ । ୨୦୧୯ ବିଶ୍ୱକପ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଭାରତକୁ ହରାଇଥିଲା । ଆଉ ୪ ବର୍ଷ ପରେ ନ୍ୟୁଜିଲାଣ୍ଡକୁ ହରାଇ ବଦଲା ନେଇଛି ଭାରତ । ପ୍ରଥମେ ବ୍ୟାଟିଂ କରି ଭାରତ ୪ ୱିକେଟ୍ ହରାଇ କରିଥିଲା ୩୯୭ ରନ ।ଅଧିନାୟକ ରୋହିତ ଶର୍ମା ଓ ଶୁବମନ୍ ଗିଲ ପୁଣିଥରେ ଭାରତକୁ ଜବରଦସ୍ତ ଆରମ୍ଭ ଦେଇଥିଲେ । ରୋହିତ୍ ଓ ଗିଲ୍ ପ୍ରଥମ ୱିକେଟ୍ ପାଇଁ ୭୧ ରନ୍ ଯୋଡ଼ିଥିଲେ । ରୋହିତ୍ ୨୯ ବଲର ସାମ୍ନା କରି ୪ ଚୌକା ଓ ୪ ଛକା ମାରିଥିଲେ । ଗିଲ୍ ମଧ୍ୟ ଆଉଏକ ଅର୍ଦ୍ଧଶତକ ମାରିଥିଲେ । ରୋହିତ ଆଉଟ୍ ହେବା ପରେ ଗିଲ୍ ଓ କୋହଲି, କିୱି ବୋଲରଙ୍କୁ ଆକ୍ରମଣ ଜାରି ରଖିଥିଲେ । ତେବେ ଦଳର ସ୍କୋର ୧୬୪ ଥିବା ବେଳେ ରିଟାୟର୍ଡ ହର୍ଟ ହୋଇଥିଲେ ଗିଲ୍ । ଗିଲ୍ଙ୍କ ପରେ କୋହଲି ଓ ଶ୍ରେୟସ ଆୟର ରନ୍ ଗତି ଜାରି ରଖିଥିଲେ । ଦୁହେଁ ତୃତୀୟ ୱିକେଟ୍ ପାଇଁ ୧୬୩ ରନ୍ ଯୋଡ଼ିଥିଲେ । ଏହାରି ଭିତରେ କୋହଲି ନିଜର ୫୦ତମ ଏବଂ ଆୟର ନିଜର ପଂଚମ ଶତକ ପୂରଣ କରିଥିଲେ । ଶତକ ମାରିବା ପରେ ଆଉଟ ହୋଇଥିଲେ କୋହଲି । କୋହଲି ୧୧୩ ବଲର ସାମ୍ନା କରି ୧୧୭ ରନ୍ କରିଥିଲେ । ଆୟର ମଧ୍ୟ ଶତକ ମାରିବା ପରେ ପ୍ୟାଭିଲିୟନ ଫେରିଥିଲେ । ସେ ମାତ୍ର ୭୦ ବଲରେ ୧୦୫ ରନର ଇନିଂସ୍ ଖେଳିଥିଲେ । ଲୋକେଶ ରାହୁଲ ୨୦ ବଲରେ ଦ୍ରୁତ ୩୯ ରନ୍ କରି ଭାରତକୁ ୩୯୭ ରନ୍ର ବିଶାଳ ସ୍କୋରରେ ପହଞ୍ଚାଇଥିଲେ । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଟିମ୍ ସାଉଦୀ ୩ଟି ୱିକେଟ୍ ନେଇଛନ୍ତି । ୩୯୮ ରନର ପିଛା କରି ନ୍ୟୁଜିଲାଣ୍ଡ ଶୀଘ୍ର ୨ ୱିକେଟ ହରାଇଥିଲା । ଆଉ ଦୁଇଟି ଯାକ ୱିକେଟ ମହମ୍ମଦ ସାମି ନେଇଥିଲେ । ଦୁଇ ୱିକେଟ ଯିବା ପରେ ଅଧିନାୟକ କେନ ଓି୍ୱଲିୟମସ ଓ ଡେରିଲ ମିଚେଲ ଯୋଡି ୧୪୯ ବଲରେ ୧୮୧ ରନ କରିଥିଲେ । ୩୩ ଓଭରରେ ସାମି ଓି୍ୱଲିୟମସଙ୍କ ୱିକେଟ ନେଇଥିଲେ । ୨୨୦ ରନରେ ନ୍ୟୁଜିଲାଣ୍ଡର ୪ ୱିକେଟ ଯିବା ପରେ ଭାରତର ପଲ୍ଲା ଭାରି ଥିବା ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଲା । ଶତକ କରି ବ୍ୟାଟିଂ କରୁଥିବା ମିଚେଲଙ୍କ ୱିକେଟ ବି ସାମି ନେଇଥିଲେ । ନ୍ୟୁଜିଲାଣ୍ଡ ୩୨୭ ରନ କରି ଅଲଆଉଟ ହୋଇଯାଇଥିଲା ।

author

Related Articles

Leave a Reply

Your email address will not be published. Required fields are marked *