ବିହାରରେ ପୁଣି ଏନଡିଏ ସରକାର

ବିହାରରେ ପୁଣି  ଏନଡିଏ ସରକାର

ବିହାର ନିର୍ବାଚନକୁ ଆଉ ମାତ୍ର କେଇଟା ଦିନ ବାକି ରହିଲା । ନଭେମ୍ୱର 6ରେ ପ୍ରଥମ ପର୍ଯ୍ୟାୟ ଓ 11ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପଡିବାକୁ ଯାଉଛି । ଯଦି ଦେଖିବା ଦୁଇ ମେଣ୍ଟ ପାଖରେ ପ୍ରଚାର ପାଇଁ ମଝିରେ ମାତ୍ର 17ଦିନ ବାକି ରହିଲା । ଏନଡିଏର ସିଟ୍ ବୁଝାମଣା ଶେଷ ହେବା ସହିତ ଜୋରଦାର ପ୍ରଚାର ମଧ୍ୟ ଲାଗିରହିଛି । ବିହାରରେ ମୋଟ 243 ଆସନରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ 121 ଆସନରେ 1698ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଜେଡିୟୁ ନେତା ନୀତିଶ କୁମାର ବିହାରବାସୀଙ୍କ ମନ କିଣିବାକୁ ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି । ରାତିନପାହୁଣୁ ଜନତାଙ୍କ ପାଖରେ ନେତାଙ୍କ ଭିଡ ଜମୁଛି କାହିଁକିନା ନିର୍ବାଚନ ଆସୁଛି । ସେପଟେ ଏନଡିଏ ସହଯୋଗୀ ବିଜେପି ମଧ୍ୟ ନିଜର ପ୍ରଚାରକୁ ଜୋରଦାର କରିଛି । ବିଜେପିର ବରିଷ୍ଠ ନେତାମାନେ ଘନ ଘନ ବିହାର ଗସ୍ତ କରି ପ୍ରଚାର କରୁଛନ୍ତି । କେନ୍ଦ୍ରମନ୍ତ୍ରୀ ଅମିତ ଶାହ ନିକଟରେ ତିନିଦିନ ଧରି ବିହାରରେ ଡେରା ପକାଇଥିଲେ । ଆଉ ଏବେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ଟୋବର ୨୩ରୁ ଆରମ୍ଭ କରି ୧୨ଟି ରାଲିରେ ଯୋଗଦେବେ । ମହାଗଠବନ୍ଧନ ବିରୋଧରେ ଜୋରଦାର ପ୍ରଚାର ପାଇଁ ଏନଡିଏ ନେତାମାନେ ଅଣ୍ଟା ଭିଡ଼ିଛନ୍ତି । ପୁଣିଥରେ ବିହାର ଦଖଲ କରିବା ପାଇଁ ଏନଡିଏ ଜୋରଦାର କସରତ ଆରମ୍ଭ କରିଛି ।

 

ସେପଟେ ଅଡୁଆରେ ପଡ଼ିଛି ମହାଗଠବନ୍ଧନ। ୧୦ଟି ଆସନରେ ମହାଗଠବନ୍ଧନର ବିଭିନ୍ନ ଦଳ ପରସ୍ପର ବିରୋଧରେ ପ୍ରାର୍ଥୀ ଦେଇଛନ୍ତି । କଂଗ୍ରେସ ଓ ଆରଜେଡି ପକ୍ଷରୁ ୫ଟି ଆସନ, ୩ଟି ଆସନରେ ସିପିଆଇ ଏବଂ କଂଗ୍ରେସ, ଆଉ ଗୋଟିଏ ଆସନରେ ପ୍ରାର୍ଥୀ ଦେଇଛନ୍ତି ଭିଆଇପି ଏବଂ  ଆରଜେଡି । ଏଭିଳି କ୍ଷେତ୍ରରେ ମହାଗଠବନ୍ଧନର ଅଂଶୀଦାର ଦଳଗୁଡ଼ିକ କିପରି  ପରସ୍ପର ବିରୋଧରେ ପ୍ରଚାର କରି ନିଜ ପାଇଁ ଭୋଟ୍ ମାଗିବେ, ସେନେଇ ଦ୍ୱନ୍ଦ୍ବରେ ପଡ଼ିଛନ୍ତି । ରାହୁଲ ଗାନ୍ଧୀଙ୍କ ସହ ମହାଗଠବନ୍ଧନ ନେତାମାନଙ୍କର ବାରମ୍ବାର ଆଲୋଚନା ସତ୍ତ୍ୱେ ସମସ୍ୟାର ସମାଧାନ ହୋଇପାରିନାହିଁ । ପ୍ରାର୍ଥିପତ୍ର ପ୍ରତ୍ୟାହାର ପୂର୍ବରୁ ଏହି ସମସ୍ୟାର ସମାଧାନ ନହେଲେ ମହାଗଠବନ୍ଧନର ସ୍ଥିତି ଜଟିଳ ହେବ । ଗୋଟିଏପଟେ ଏନଡିଏ ପୁଣିଥରେ କ୍ଷମତାକୁ ଆସିବାକୁ ଅଙ୍କ କଶୁଥିବା ବେଳେ ମହାଗଠବନ୍ଧନରେ ବଢୁଥିବା ଅଡୁଆ ଏନଡିଏକୁ ପୁଣିଥରେ ସରକାର ଗଢିବାରେ ସହାୟକ ହୋଇପାରେ ।

author

Related Articles

Leave a Reply

Your email address will not be published. Required fields are marked *