ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ହତ୍ୟା ଷଡଯନ୍ତ୍ର

ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ହତ୍ୟା ଷଡଯନ୍ତ୍ର


ବିଜେପି ଜାତୀୟ ଉପସଭାପତି ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ ମିଳିଛି । ମନ୍ତ୍ରୀ ନବ ଦାସଙ୍କ ପରି ବୈଜୟନ୍ତ ପଣ୍ଡାଙ୍କ ଅବସ୍ଥା ହେବ ବୋଲି ତାଙ୍କର ସହାୟକଙ୍କୁ କେହି ଜଣେ ଫୋନ ଜରିଆରେ ଧମକ ଦେଇଛନ୍ତି । ହଁ ଆଜ୍ଞା ଆମେ କହୁଛି କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ କଥା । ଶ୍ରୀ ପଣ୍ଡା ଏବେ ବିଜେପିର ଜାତୀୟ ଉପସଭାପତି ଭାବେ କାର‌୍ୟ୍ୟ କରିବା ସହ ଦଳର ମୁଖ୍ୟ ପର‌୍ୟ୍ୟବେକ୍ଷକ ଭାବେ ଆସାମ ଓ ଦିଲ୍ଲୀ ଦାୟିତ୍ୱରେ ମଧ୍ୟ ଅଛନ୍ତି । କିନ୍ତୁ କେହି ଜଣେ ବ୍ୟକ୍ତି ତାଙ୍କୁ ଧମକପୂର୍ଣ୍ଣ ଫୋନ କଲ କରି ହତ୍ୟା କରିବାକୁ ଟାର୍ଗେଟ କରିଛି । ଯାହାକୁ ନେଇ ବୈଜୟନ୍ତ ପଣ୍ଡା ଦିଲ୍ଲୀ ପୁଲିସରେ ଏତଲା ଦାୟର କରିଛନ୍ତି । ବିଜେପି ଉପସଭାପତି ଶ୍ରୀ ପଣ୍ଡାଙ୍କ କାର‌୍ୟ୍ୟାଳୟର ଏକଜ୍ୟୁଟିଭ ସେକ୍ରେଟେରୀ ରାଜେଶ୍ୱର ଅରୋରା ଏକ ପ୍ରେସ୍ ରିଲିଜ୍ ଜାରି କରି ଏହି ହତ୍ୟା ଧମକ ଦିଆଯାଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବିଜେପି ଜାତୀୟ ଉପସଭାପତି ଶ୍ରୀ ପଣ୍ଡାଙ୍କ ସହାୟକଙ୍କୁ କେହି ଜଣେ କଲ୍ କରି ଏହି ଧମକ ଦେଇଛି । ‘ନବ ଦାସଙ୍କ ଅବସ୍ଥା ଯାହା ହେଲା ତାହା ପଣ୍ଡାଙ୍କର ହେବ’ ବୋଲି ଧମକ ଦେଇଛି । ସୂଚନାନୁସାରେ, ବ୍ୟକ୍ତିଜଣକ ହିନ୍ଦୀ ଭାଷାରେ ଧମକ ଦେଉଥିବା ବେଳେ ସେ କେଉଁଠିକାର ବାସିନ୍ଦା ତାହା ସ୍ପଷ୍ଟ ହୋଇ ପାରିନି। ତେବେ ଏହା ବ୍ୟକ୍ତିଗତ ଆକ୍ରୋଶ ନା ଏହା ପଛରେ ଆଉ କିଏ ଷଡଯନ୍ତ୍ର କରୁଛି ତାହା ବି ଜଣାପଡ଼ିନି । ଓଡ଼ିଶାର କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କୁ ଚଳିତବର୍ଷ ସ୍ପଷ୍ଟ ଦିବାଲୋକରେ ହତ୍ୟା କରାଯାଇଥିଲା । ଏବେ ବି ନବ ଦାସ ମାମଲା କୋର୍ଟରେ ଚାଲିଛି । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି କିଏ ଓ କାହିଁକି ବୈଜୟନ୍ତ ପଣ୍ଡାଙ୍କୁ ମାରିବ ? ବିରୋଧିରେ ଥିବା ବୈଜୟନ୍ତ ପଣ୍ଡାଙ୍କୁ ମାରିଲେ କଣ ସ୍ୱାର୍ଥ ହାସଲ ହେବ ? କିଏ ସାଜିବ ବୈଜୟନ୍ତ ପଣ୍ଡାଙ୍କୁ ମାରିବାର ଖଳନାୟକ ? ଏମିତି ଅନେକ ପ୍ରଶ୍ନ ଏବେ ଲୋକଙ୍କ ମନରେ ଉଙ୍କି ମାରୁଛି ।

author

Related Articles

Leave a Reply

Your email address will not be published. Required fields are marked *