ପୁଣି ଥରେ ଚର୍ଚ୍ଚାରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କ ପୁପ୍ ସୁଟକେସ୍ । ଭାରତ ଗସ୍ତରେ ବି ନିଜ ପୁପ୍ ସୁଟକେସ ନେଇକି ଆସିଛନ୍ତି ପୁଟିନ୍ । ଗତକାଲିଠାରୁ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ । ଦିଲ୍ଲୀର ପାଲମ୍ ବିମାନବନ୍ଦରରେ ପୁଟିନ୍ଙ୍କୁ ମୋଦି ସ୍ୱାଗତ କରିବା ସହିତ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ସହିତ ପାଛୋଟି ଆଣିଥିଲେ । କିନ୍ତୁ ଏ ସବୁ ଭିତରେ ସମସ୍ତଙ୍କ ଧ୍ୟାନ ପୁଟିନ୍ଙ୍କ ଫେମସ୍ ପୁପ୍ ସୁଟକେସ ଉପରେ ଥିଲା । ଯେଉଁ ସୁଟକେସକୁ ପୁଟିନଙ୍କ ବଡିଗାର୍ଡ ପୁଟିନଙ୍କ ବିଦେଶ ଗସ୍ତ ସମୟରେ ଆଣିବା ସହିତ ବେଶ୍ ଚର୍ଚ୍ଚାରେ ରହିଥାଏ ।
ତେବେ ପୁଟିନଙ୍କ ଏହି ଫେମସ ସୁଟକେସ ସମ୍ପର୍କରେ ୨୦୧୭ରେ ତାଙ୍କର ଫ୍ରାନ୍ସ ଗସ୍ତ ସମୟରେ ବିଶ୍ୱବାସୀ ଜାଣିବାକୁ ପାଇଥିଲେ । ୨୦୧୯ରେ ସାଉଦି ଆରବ ଏବଂ ନିକଟରେ ଆମେରିକାର ଆଲାସ୍କା ଗସ୍ତ ସମୟରେ ମଧ୍ୟ ଏହା ଦେଖିବାକୁ ମିଳିଥିଲା ।
ସେ ଅନୁସାରେ, ବିଦେଶ ଯାତ୍ରା ସମୟରେ ପୁଟିନ୍ ଶୌଚାଳୟରୁ ବାହାରିବା ପରେ ତାଙ୍କର ସୁରକ୍ଷାଟିମ୍ ଏକ ସ୍ୱତନ୍ତ୍ର ସୁଟକେସ୍ ନେଇ ସେଠାକୁ ଯାଇଥାନ୍ତି । ସେଥିରେ ତାଙ୍କର ମଳକୁ ସଂଗ୍ରହ କରାଯାଏ । ତାକୁ ମସ୍କୋ ଫେରାଇ ନିଆଯାଇଥାଏ । ଆୟୋଜକ ଦେଶ ଯେପରି ତାଙ୍କର ସ୍ୱାସ୍ଥ୍ୟର ଯାଞ୍ଚ କରିପାରିବେ ନାହିଁ ସେଥିଲାଗି ଏହି ପଦକ୍ଷେପ ଗ୍ରହଣ କରାଯାଏ । କେବଳ ସେତିକି ନୁହେଁ, ବିଦେଶ ଗସ୍ତ ସମୟରେ ପୁଟିନ୍ ପାଣି ପିଉଥିବା ଗ୍ଲାସ୍, ବ୍ୟବହାର କରୁଥିବା ତଉଲିଆ, ଟିସ୍ୟୁ କିମ୍ବା ଅନ୍ୟ କିଛି ଜିନିଷକୁ ତାଙ୍କ ଟିମ୍ ତୁରନ୍ତ ଉଠାଇ ନିଅନ୍ତି । ଏପରିକି ସେ ରହୁଥିବା ହୋଟେଲ୍ର ନଳାକୁ ମଧ୍ୟ ସିଲ୍ କରିଦିଆଯାଏ ବୋଲି କିଛି ବିଶେଷ ସୂତ୍ରରୁ ଜଣାପଡିଛି ।
ତେବେ କେବଳ ଯେ, ଏହି ପୁପ୍ ସୁଟକେସ ପାଇଁ ପୁଟିନ୍ ବେଶ୍ ଚର୍ଚ୍ଚାରେ ରହିଥାନ୍ତି ତାହା ନୁହେଁ । ବିଶ୍ୱ ରାଜନୀତିରେ ତାଙ୍କର ଏକ ଭିନ୍ନ ଖ୍ୟାତି ଥିବା ବେଳେ ଆଧୁନିକ ଦୁନିଆରେ ସେ ମୋବାଇଲ ଏବଂ ଇଣ୍ଟରନେଟ୍ ଠାରୁ ଦୂରରେ ରହିବା ମଧ୍ୟ ତାଙ୍କୁ ସମସ୍ତଙ୍କ ଠାରୁ ଏକ ଭିନ୍ନ ପରିଚୟ ଦେଇଛି ।
