ବିହାର ନିର୍ବାଚନ ପୂର୍ବରୁ ବିହାର ରାଜନୀତିରେ ଦେଖିବାକୁ ମିଳୁଛି ରୋଚକ ଦୃଶ୍ୟ । କେତେବେଳେ ବିହାରବାସୀ ମନ୍ତ୍ରୀଙ୍କ ଗାଡି କାଚ ଭାଙ୍ଗି ଦେଉଛନ୍ତି ତ ଆଉ କେତେବେଳେ ମନ୍ତ୍ରୀଙ୍କ ଉପରକୁ ଆକ୍ରମଣ କରୁଛନ୍ତି । ହଁ ଆଜ୍ଞା, ନିର୍ବାଚନ ପୂର୍ବରୁ ଗାଁରେ ହଟହଟା ମନ୍ତ୍ରୀ । ମନ୍ତ୍ରୀଙ୍କ ପଦଟିଏ କଥା ଶୁଣି ଚିହିକି ଉଠିଲେ ଗ୍ରାମବାସୀ । ଠେଙ୍ଗାଧରି ଗୋଡାଇଲେ ଗାଁ ଲୋକେ…ଭୟରେ ଝାଳନାଳ ହୋଇ ଗୋଟେ କିଲୋମିଟର ଯାଏଁ ଧୋତି ଟେକି ଦୌଡିଲେ ମନ୍ତ୍ରୀ । ହଁ ଦର୍ଶକବନ୍ଧୁ, ଥରେ ଭଲକି ଦେଖନ୍ତୁ ଏହି ଭିଡିଓଟିକୁ । କିପରି ଧଇଁ ସଇଁ ହୋଇ ଗ୍ରାମବାସୀଙ୍କ ଆକ୍ରମଣରୁ ବଞ୍ଚିବା ପାଇଁ ଜୀବନ ବିକଳେ ଦୌଡୁଛନ୍ତି ମନ୍ତ୍ରୀ । ତେବେ ଭିଡିଓରେ ଯେଉଁ ମନ୍ତ୍ରୀଙ୍କ କଥା ଆମେ କହୁଛୁ, ସେ ହେଉଛନ୍ତି ବିହାରର ଗ୍ରାମୀଣ ବିକାଶ ମନ୍ତ୍ରୀ ତଥା ଜେଡିୟୁ ନେତା ଶ୍ରବଣ କୁମାର । ଏବଂ ତାଙ୍କ ସହିତ ହିଲସା ବିଧାୟକ କ୍ରୀଷ୍ଣ ମୁରାରୀ ଶରଣଙ୍କୁ ମଧ୍ୟ ଆକ୍ରମଣ ହୋଇଛି । ଗ୍ରାମବାସୀଙ୍କୁ ସହାନୁଭୂତି ଦେବା ପାଇଁ ଯାଇ ଏପରି ଆକ୍ରମଣର ଶିକାର ହୋଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ ହେଉଛି ।
ତେବେ ସୂଚନା ଅନୁସାରେ, ବୁଧବାର ମନ୍ତ୍ରୀ ଶ୍ରବଣ କୁମାର ଏବଂ ବିଧାୟକ କ୍ରୀଷ୍ଣ ମୁରାରୀ ନାଳନ୍ଦାର ମାଲବାନ ଗାଁକୁ ଯାଇଥିଲେ । ନିକଟରେ ଉକ୍ତ ଗାଁରେ ଏକ ସଡକ ଦୁର୍ଘଟଣାରେ ୮ ଜଣ ମହିଳାଙ୍କ ସମେତ ୯ ଜଣ ପ୍ରାଣ ହରାଇଥିବା ବେଳେ ନିଜର ପ୍ରିୟଜନକୁ ହରାଇଥିବା ପରିବାରକୁ ଭେଟି ସହାନୁଭୂତି ଦେବାକୁ ଗାଁକୁ ଯାଇଥିଲେ ମନ୍ତ୍ରୀ । ଏବଂ ଏହି ସମୟରେ ଗାଁ ଲୋକମାନେ ପୀଡିତଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରି ମନ୍ତ୍ରୀଙ୍କ ଆଗରେ ନାରାବାଜି କରିଥିଲେ । କିନ୍ତୁ ମନ୍ତ୍ରୀ ସେମାନଙ୍କ ଦାବି ସଙ୍ଗେ ସଙ୍ଗେ ପରିବର୍ତେ ପରବର୍ତୀ ସମୟରେ ବିଚାର କରାଯିବା ନେଇ କହିଥିଲେ । ଆଉ ମନ୍ତ୍ରୀଙ୍କ ଏହି ପଦଟିଏ କଥା ଶୁଣି ଚିହିକି ଉଠିଥିଲେ ଗ୍ରାମବାସୀ । ପଥର ଠେଙ୍ଗା ଧରି ମନ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ । ଯେଉଁଥିରୁ ବଞ୍ଚିବା ପାଇଁ ମନ୍ତ୍ରୀ ଧୋତି ଟେକି ଦୌଡି ପଳାଇଥିଲେ । ପୋଲିସ ଏବଂ ଅଙ୍ଗରକ୍ଷୀ ଥିବା ସତ୍ୱେ ମନ୍ତ୍ରୀଙ୍କୁ ଏପରି ଆକ୍ରମଣ କରାଯାଇଥିବା ଦେଖିବାକୁ ମିଳିଛି । ସେପଟେ ଏହାକୁ ରାଜନୈତିକ ରୂପ ଦେଇଛି ଜେଡିୟୁ । ବିରୋଧୀ ଏପରି କରିଥିବା ଅଭିଯୋଗ ଆଣିଛି ଦଳ ।
ତେବେ କିଛି ଦିନ ତଳେ ବିହାରରେ ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେଙ୍କ ଗାଡିକୁ ଆକ୍ରମଣ କରି କାଚ ଭାଙ୍ଗିଦେଇଥିଲେ ଅଞ୍ଚଳବାସୀ । ଆଉ ଏବେ ଆଉ ଜଣେ ମନ୍ତ୍ରୀଙ୍କୁ ଆକ୍ରମଣ କରାଯାଇଛି । ଯାହାକୁ ନେଇ ବିହାର ରାଜନୀତିରେ ଏଥର ସତ୍ତା ପରିବର୍ତନ ହେବା ନେଇ ଆଶଙ୍କା ବୃଦ୍ଧି ପାଇଲାଣି ।
