ମନ ମୋହୁଛି ମାଣ୍ଡିଆ ଓ ରୁଦ୍ରାକ୍ଷ ଗଣେଶ

ମନ ମୋହୁଛି ମାଣ୍ଡିଆ ଓ ରୁଦ୍ରାକ୍ଷ ଗଣେଶ

ଅଗ୍ରପୂଜ୍ୟ ପ୍ରଭୁ ଗଜାନନଙ୍କୁ ଛୋଟ ଛୁଆଙ୍କ ଠାରୁ ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ଆଗ୍ରହର ସହିତ ପୂଜା କରିଥାନ୍ତି।ତେଣୁ ବିଭିନ୍ନ ଶିକ୍ଷାନୁଷ୍ଠାନ, ସଙ୍ଗଠନ ଓ କାର୍ଯ୍ୟାଳୟରେ ପ୍ରଭୁ ଗଣେଶଙ୍କ ପୂଜା ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଏ।ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ବିଭିନ୍ନ ପୂଜା ମଣ୍ଡପରେ ୩୫ରୁ ଉର୍ଦ୍ଧ୍ବ ଛୋଟବଡ଼ ଗଣେଶ ମୂର୍ତ୍ତି ପୂଜା ପାଉଛନ୍ତି।ପରସ୍ପର ଠାରୁ ନିଆରା ଢଙ୍ଗରେ ପୂଜା କରିବା ପାଇଁ ମୂର୍ତ୍ତି ଓ ସାଜସଜ୍ଜା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି ସମସ୍ତ ପୂଜା କମିଟି।ଅଧିକାଂଶ ସ୍ଥାନରେ ନୂତନ ଶୈଳୀରେ ନିର୍ମିତ ହୋଇଥିବା ଗଣେଶ ମୂର୍ତ୍ତି ଗୁଡ଼ିକ ବେଶ ଆକର୍ଷଣୀୟ ହୋଇ ପାରିଛି।ସେଥି ମଧ୍ୟରେ ଭେଜିପୁଟ ବଡଦାଣ୍ଡରେ ଏକ ବିରାଟ ମାଣ୍ଡିଆରେ ତିଆରି ଗଣେଶ ମୂର୍ତ୍ତି ରହିଛି।ଏଥିରେ ପ୍ରାୟ ୧୫କିଲୋଗ୍ରାମ ମାଣ୍ଡିଆ ବ୍ୟବହାର କରାଯାଇଛି।ଭଞ୍ଜନଗର ପ୍ରସିଦ୍ଧ ମୂର୍ତ୍ତି ଶିଳ୍ପୀ ଧ୍ରୁବ ମହାରଣା ଏହାକୁ ତିଆରି କରିଛନ୍ତି।ସେହିପରି ବାଉଁଶ ଲୁଣ୍ଡି ବାଇପାସ ଛକ ନିକଟ ବସ୍ତିରେ ମଧ୍ୟ ଏକ ଋଦ୍ରାକ୍ଷରେ ନିର୍ମିତ ଗଣେଶ ମୂର୍ତ୍ତି ପୂଜା ପାଉଛନ୍ତି।ଏହାକୁ ଭଞ୍ଜନଗର ମାଲ ସାହିର ମୂର୍ତ୍ତିଶିଳ୍ପୀ ବି. ଧର୍ମା ରାଓ ୭ଦିନ ପରିଶ୍ରମ କରି ତିଆରି କରିଛନ୍ତି।ଏହି ଗଣେଶ ମୂର୍ତ୍ତି ଓ ବାହାନ ମୂଷିକରେ ପ୍ରାୟ ୧୭ହଜାର ଋଦ୍ରାକ୍ଷ ମାଳି ଖଞ୍ଜା ଯାଇଛି।ଏଥି ନିମନ୍ତେ ୨୦ହଜାର ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଛି।ଏହାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳର ବହୁ ଲୋକଙ୍କ ଭିଡ଼ ଜମୁଛି।ଗତବର୍ଷ ମଧ୍ୟ ଏଠାରେ ଗୋଟା କାଜୁରେ ଗଣେଶ ମୂର୍ତ୍ତି ତିଆରି ହୋଇଥିଲା।ଯାହାକୁ ଦେଖି ଲୋକମାନେ ବେଶ ପ୍ରଶଂସା କରିଥିଲେ।ଆଗକୁ କିଛି ଅଲଗା କରିବାକୁ ଶିଳ୍ପୀ ଧର୍ମା ରାଓ ନିଜକୁ ପ୍ରସ୍ତୁତ କରୁଥିବା କହିଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *