କଣ ଆପଣ ଗୁଜୁରାତି ଖାଇବାକୁ ପସନ୍ଦ କରନ୍ତି କି ? ଗୁଜୁରାତି ଆମ ସ୍ୱାସ୍ଥ୍ୟ ପକ୍ଷେ କେତେ ଉପକାରୀ ଆପଣ ଜାଣନ୍ତି ? ରୋଷେଇ ଘରେ ଥିବା ଅନେକ ଗୁଡିଏ ମସଲା ଭିତରେ ଗୁଜୁରାତି ବା ଇଲାଇଚି ଅନ୍ୟତମ । ଚା ଠାରୁ ଆରମ୍ଭ କରି ଖିରି, ବିରିୟାନି ସବୁ ଗୁଜୁରାତି ବିନା ସତେ ଯେପରି ଅଧୁରା । କିନ୍ତୁ କେବଳ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ନୁହେଁ ବରଂ ଏହା ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅନେକ ଉପକାରୀ ହୋଇଥାଏ । ଦିନକୁ ମାତ୍ର ଦୁଇଟି ଗୁଜୁରାତୀ ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଗୁଜୁରାତିର ଉପକାରିତା ସମ୍ପର୍କରେ ।
ଗୁଜୁରାତିର ପ୍ରକୃତି ସାଧାରଣତ ଗରମ ରହିଥିବାରୁ ଏହା ଶରୀରରେ ଉଷ୍ମତା ବଜାୟ ରଖିବାରେ ସାହାଯ୍ୟ କରେ । ଏହା ସହିତ ଏହାକୁ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ମଧ୍ୟ ଉନ୍ନତ ହୋଇଥାଏ । ଗ୍ୟାସ, ଏସିଡିଟି, କୋଷ୍ଠକାଠିନ୍ୟ ଭଳି ସମସ୍ୟାରେ ପୀଡିତ ଥିବା ବ୍ୟକ୍ତି ଗୁଜୁରାତିକୁ ସେବନ କରିବା ଉଚିତ୍ । ରାତିରେ ଶୋଇବା ପୂର୍ବରୁ ୨ଟି ଗୁଜୁରାତିକୁ ଭଲ ଭାବରେ ଚୋବାଇ ଉଷୁମ ପାଣି ପିଇଲେ ଏହା ସମସ୍ତ ପେଟ ସମ୍ବନ୍ଧୀୟ ସମସ୍ୟାରୁ ଆରାମ ଦେଇଥାଏ ।
ସେହିପରି ଏହା ନିଦ ପାଇଁ ମଧ୍ୟ ଭଲ ହୋଇଥାଏ । ଯଦି ଆପଣଙ୍କୁ ଠିକ ସେ ନିଦ ହଉନି କିମ୍ବା ଅନିଦ୍ରା ସମସ୍ୟା ରହିଛି, ତେବେ ଗୁଜୁରାତି ଏହି ସମସ୍ୟା ଦୂର କରିବାରେ ସହାୟକ ହେବ । ଏଥିରେ ଥିବା ଆଣ୍ଟି-ଡିପ୍ରେସାଣ୍ଟ ଗୁଣ ମାନସିକ ଚାପ କମାଇ ମନକୁ ଶାନ୍ତ କରିଥାଏ, ଯାହା ଫଳରେ ନିଦ୍ରା ଭଲ ହୋଇଥାଏ ।
ଏହା ଏକ ମାଉଥ ଫ୍ରେଶନର ଭାବେ ମଧ୍ୟ କାମ ଦେଇଥାଏ । ପାଟିର ଦୁଗନ୍ଧ ଦୂର କରିବା ସହ ପାଟିରେ ଥିବା କ୍ଷତିକାରକ ବ୍ୟାକ୍ଟେରିଆ ଦୂର କରିବାରେ ସାହାଯ୍ୟ କରେ । ଦାନ୍ତ ଏବଂ ମାଢିକୁ ସୁସ୍ଥ ରଖେ । ଓଜନ ନିୟନ୍ତ୍ରଣ କରିବାରେ ମଧ୍ୟ ଗୁଜୁରାତିର ଭୂମିକା ରହିଛି । ରାତିରେ ଗୁଜୁରାତି ଖାଇବା ଦ୍ୱାରା ମେଟାବୋଲିଜିମ୍ ବୃଦ୍ଧି ପାଏ । ଶରୀରରେ ଥିବା ଅତିରିକ୍ତ ଚର୍ବିକୁ ତରଳାଇଥାଏ । ଯାହା ଫଳରେ ଓଜନ ନିୟନ୍ତ୍ରିତ ରହିଥାଏ । ଏଥିରେ ଥିବା ପୋଟାସିୟମ ଏବଂ ମ୍ୟାଗ୍ନେସିୟମ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଏହା ହୃଦରୋଗ ଆଶଙ୍କାକୁ ମଧ୍ୟ କମାଇଥାଏ ।
