ବଢିଲା ମୋଦି ଓ ମୋହନଙ୍କ ଟେନସନ
ଫେଲ ମାରିଲେ ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରୀମଣ୍ଡଳ
ରାଜରାସ୍ତାରେ ଗର୍ଜୁଛନ୍ତି ଲୋକେ ଶୁଣୁନାହାନ୍ତି ସରକାର
କାହାକୁ ଭରସା କରିବେ ସାଧାରଣ ଜନତା ?
ରାଜ୍ୟରେ ଭାରତୀୟ ଜନତା ପାର୍ଟି ସରକାରକୁ ପାଞ୍ଚମାସ ବିତିଯାଇଛି । କିନ୍ତୁ ବାରମ୍ୱାର ରାଜ୍ୟର ସମସ୍ୟାକୁ ନେଇ ହଟ୍ଟହଟ୍ଟା ହେଉଛନ୍ତି ବିଜେପିର ମନ୍ତ୍ରୀମଣ୍ଡଳ । ହଁ ଦର୍ଶକବନ୍ଧୁ ଥରେ ନୁହେଁ କି ଦୁଇ ଥର ନୁହଁ ବରଂ ଅନେକ ଥର ମୋହନଙ୍କ ମନ୍ତ୍ରୀ ମଣ୍ଡଳ ଉପରକୁ କାଦୁଅ ଫିଙ୍ଗୁଛନ୍ତି ବିରୋଧୀଙ୍କ ଠାରୁ ଯେ ସାଧାରଣ ଜନତା । କେତେବେଳେ ମନ୍ତ୍ରୀମାନଙ୍କ ବିବାଦୀୟ ବୟାନ ମୋହନଙ୍କୁ ହରଡଘଣାରେ ପକାଉଛି ତ ଆଉ କେତେବେଳେ ନିଜ ବ୍ୟବହାରକୁ ନେଇ ସମାଲୋଚିତ ହେଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଯଦି ଆମେ ଦେଖିବା ନିର୍ବାଚନ ପରଠାରୁ ଆଜି ପର୍ଯ୍ୟନ୍ତ ବିଜେପି ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପାଳନ ଦିଗରେ ତତ୍ପର ଥିଲେ ସୁଦ୍ଧା ବିଜେପିର ମନ୍ତ୍ରୀମଣ୍ଡଳ ଉପରେ ବାରମ୍ୱାର ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ନିକଟରେ ବିଷାକ୍ତ ମଦ ପିଇ କିଛି ଲୋକଙ୍କ ମୃତ୍ୟ ପରେ ବିବାଦ ଘେରକୁ ଟାଣି ହୋଇଯାଇଥିଲେ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ଏହାପରେ ଆରଆଇ ଓ ଅମିନ ପରୀକ୍ଷାରେ ବାରମ୍ୱାର ଅନିୟମିତତା ନେଇ ଆଭିଯୋଗ ଆସୁଥିବା ସତ୍ତ୍ୱେ ଏବେ ପର୍ଯ୍ୟନ୍ତ ଚୁପ ବସି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ବାରମ୍ୱାର ଆନ୍ଦୋଳନ କରି ନ୍ୟାୟ ମାଗୁଛନ୍ତି ଛାତ୍ରଛାତ୍ରୀ । ଭିନ୍ନ ଭିନ୍ନ ଧରଣରେ ଛାତ୍ରଛାତ୍ରୀଙ୍କ ପ୍ରତିବାଦ ଦେକିବାକୁ ମିଳୁଛି । କେବଳ ଆଇନ ମନ୍ତ୍ରୀ କି ଉଚ୍ଚଶିକ୍ଷା ମନ୍ତ୍ରୀ ନୁହଁନ୍ତି ବରଂ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଏକ ବିବାଦୀୟ ବୟାନକୁ ନେଇ ଏବେ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି ହୋଇଛି । ନିକଟରେ ଦାରିଙ୍ଗବାଡି ଅଞ୍ଚଳରେ ଆମ୍ୱଟାକୁଆ ଖାଇ ଦୁଇ ଜଣଙ୍କ ଜୀବନ ଚାଲିଯିବା ଏବଂ ଛଅ ଜଣ ଗୁରୁତର ହେବା ଖବର ଆସିଥିଲା । ଯେଉଁଥିରେ ସ୍ୱାସ୍ଥ୍ୟବିଭାଗର ତର୍ପରତା ଦେଖିବାକୁ ମିଳିଥିଲେ ସୁଦ୍ଧା ଏହାକୁ ନେଇ ରାଜନୈତିକ ବୟାନ ବାଜି ଆରମ୍ଭ ହୋଇଯାଇଛି । ଲୋକଙ୍କ ପାଖରେ ଠିକ ଭାବରେ ରାସନ ନ ପହଞ୍ଚିବାରୁ ଏବଂ ପ୍ରଶାସନର ଏପରି ଅବହେଳା ପାଇଁ ଖାଇବାକୁ ନପାଇବାରୁ ବାଧ୍ୟ ହୋଇ ଆମ୍ୱ ଟାକୁଆ ଖାଇବା ଦ୍ୱାରା ଏପରି ଘଟଣା ଘଟିଛି । ଖାଦ୍ୟ ସୁରକ୍ଷାକୁ ନେଇ ଗତ ସରକାରଙ୍କ ସମୟରେ ଯେଉଁ କାର୍ଯ୍ୟ ହେଉଥିଲା ତାକୁ ଅଟକାଇବା ଦ୍ୱାରା ଏପରି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କୁହାଯାଉଛି । ତେବେ ଆଗକୁ ନିଜ ମନ୍ତ୍ରୀ ମଣ୍ଡଳ ସୁଧାରିବାକୁ ମୋହନ କେଉଁ ନିଷ୍ପତ୍ତି ନେଉଛନ୍ତି କେବଳ ତାହାର ଅପେକ୍ଷା ।