ବିଜୁ ଜୟନ୍ତୀରେ ଛୁଟି ମନା କରିଦେଲେ ମୋହନ, କିନ୍ତୁ ମୋଦିଙ୍କ ଓଡିଶା ଗସ୍ତ ପାଇଁ ଛୁଟି କରିଦେଲେ । ମୋଦି ଆସୁଥିବା ଜାଣି କଟକ ଭୁବନେଶ୍ୱରର ସମସ୍ତ ସ୍କୁଲ ଛୁଟି କରିଦେଲା ବିଜେପି । ଯାହାକୁ ନେଇ ଏବେ ମୋହନ ସରକାରଙ୍କୁ ସମାଲୋଚନା କରାଯାଉଛି । କାହିଁକି ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ହିଁ ଆସନ୍ତା ୨୦ ତାରିଖରେ ଖୋଲିବାକୁ ଥିବା ସମସ୍ତ ସ୍କୁଲକୁ ବାତିଲ କରିଛନ୍ତି ମୋହନ ସରକାର । ଫଳରେ ୨୦ ତାରିଖରେ ଟ୍ୱିନ ସିଟିରେ ସମସ୍ତ ସ୍କୁଲ ବନ୍ଦ ରହିବା ନେଇ ସୂଚନା ମିଳିଛି ।
ତେବେ କିଛି ମାସ ପୂର୍ବରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଥିବା ବେଳେ ମୋହନ ସରକାର ଏଥିରେ ଅନେକ ପରିବର୍ତନ ଆଣିଥିଲେ । ଦଶନ୍ଧି ଦଶନ୍ଧି ଧରି ମାର୍ଚ୍ଚ ୫ ତାରିଖକୁ ରାଜ୍ୟରେ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଥିବା ବେଳେ ଏହି ତାରିଖରେ ଆଉ ପଞ୍ଚାୟତିରାଜ ଦିବସ ପାଳନ ହେବନି ବୋଲି ଘୋଷଣା କରିଥିଲେ ମୋହନ ସରକାର । ଏପରିକି ଏହି ଦିନରେ ରାଜ୍ୟରେ ସରକାରୀ ଛୁଟି ମିଳୁଥିବା ବେଳେ ଏହାକୁ ମଧ୍ୟ ବାତିଲ କରିଥିଲେ ମୋହନ । ଏହା ସହ ଦୀର୍ଘ ବର୍ଷ ଧରି ମାର୍ଚ୍ଚ ୫ ତାରିଖରେ ପାଳିତ ହୋଇ ଆସୁଥିବା ପଞ୍ଚାୟତିରାଜ ଦିବସକୁ ଘୁଞ୍ଚାଇ ଏପ୍ରିଲ ୨୪ତାରିଖରେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ନେଇ ସେ ସମୟରେ ଅନେକ ବିବାଦ ମୁଣ୍ଡ ଟେକିଥିଲା । ଏବଂ ବିଜେପି ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେଡିକୁ ଟାର୍ଗେଟ କରୁଥିବା ଏବଂ ବିଜୁ ବାବୁଙ୍କୁ ଅପମାନ କରୁଥିବା ଚର୍ଚ୍ଚା ବଢିଥିଲା । କିନ୍ତୁ ବିଜେପି ନିଜ ଜିଦରେ ଅଟଳ ରହିଥିଲା ।
କିନ୍ତୁ ଏବେ ପ୍ରଧାନମନ୍ତ୍ରୀ ବିଜେପିର ବର୍ଷ ପୂର୍ତି ଉତ୍ସବରେ ସାମିଲ ହେବାକୁ ଆସୁଥିବା ବେଳେ ମୋଦିଙ୍କ ସୁରକ୍ଷା ପାଇଁ ଭୁବନେଶ୍ୱର ଏବଂ କଟକର ସମସ୍ତ ସ୍କୁଲ ବନ୍ଦ କରି ଦେଇଛନ୍ତି । ଯାହାକୁ ନେଇ ବିଜେପିକୁ ତୀବ୍ର ସମାଲୋଚନା କରାଯାଉଛି । ଗୋଟିଏ ପଟେ ରାଜ୍ୟର ବର ପୁତ୍ରଙ୍କୁ ଅସମ୍ମାନ କରିଥିବା ବେଳେ ଏବେ ଦଳର ସୁପ୍ରିମୋଙ୍କୁ ଖୁସି କରିବାକୁ ଆଦୌ ପସନ୍ଦ କରାଯାଉନାହିଁ ।