ନବୀନଙ୍କ ବେଳେ ଯାହା ମୋହନଙ୍କ ବେଳେ ତାହା । ଆଜି ବି ଅବହେଳିତ ଗର୍ଭବତୀ ମହିଳା । ସହରର ଉନ୍ନତିବାଟରେ ଉପାନ୍ତ କିମ୍ୱା ଅପହଞ୍ଚ ଅଞ୍ଚଳକୁ ପଚାରେ କିଏ ? 24 ବର୍ଷପରେ ବଦଳିଛି ଓଡିଶାର ରାଜନୈତିକ ମାହୋଲ । ସରକାର ପରିବର୍ତ୍ତନ ହେଲା କିନ୍ତୁ ଆଜି ବି ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତା । ଉପାନ୍ତ ଅଞ୍ଚଳରେ ନାହିଁ ପକ୍କା ରାସ୍ତା କି ସ୍ୱାସ୍ଥ୍ୟକେନ୍ଦ୍ର ଖଟିଆରେ ବୁହା ହେଉଛନ୍ତି ରୋଗୀ । ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳୁଛି । ହଁ ଆଜ୍ଞା ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି କେନ୍ଦୁଝର ଜିଲ୍ଲାର ପଇତାପାଣି ଗ୍ରାମରେ । ଜଣେ ଗର୍ଭବତୀ ମହିଳାକୁ ଏକ କିଲୋମିଟର ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ଆଣିଛନ୍ତି ପରିବାର ଲୋକେ । ଓଡିଶାରେ ଏବେ ବି ଏପରି ଜିଲ୍ଲା ରହିଛି ଯେଉଁଠାରେ ସାଧାରଣ ଜନତା ଟିଏ ନିଜର ମୌଳିକ ଅଧିକାର ପାଇ ପାରୁନାହାନ୍ତି । ସୂଚନା ଅନୁଯାୟୀ ପଇତାପାଣି ଗାଁର ସୁକୁରା ସାହିର 27 ବର୍ଷୀୟ ଗାଙ୍ଗୀ ହୋ ଗଭର୍ବତୀ ରହିଥିବା ବେଳେ ଶୁକ୍ରବାର ସକାଳୁ ଗାଙ୍ଗୀ କଷ୍ଟ ଅନୁଭବ କରିବାରୁ ତାଙ୍କ ପରିବାର ଲୋକେ ଆମ୍ୱୁଲାନ୍ସ ଡକାଇଥିଲେ । ଗାଁ ଠୁ ଏକ କିଲୋମିଟର ଦୂର ପଇତାପାଣି ମାଣିକ ସାହି ପାଖରୁ ରାସ୍ତାଟି ଶେଷ ହୋଇଥିବା ରୁ ଆମ୍ବୁଲାନ୍ସ ଆସି ଏକ କିଲୋମିଟର ଦୂରରେ ଠିଆ ହୋଇ ରହିଥିଲା l ମହିଳା ଜଣଙ୍କ ବହୁ କଷ୍ଟ ଯନ୍ତ୍ରଣା ପାଉଥିଲେ ସୁଦ୍ଧା ଖଟିଆରେ କାନ୍ଧେଇ କାନ୍ଧେଇ ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇ ଥିଲେ ଗ୍ରାମବାସୀ l ଏହାକୁ ନେଇ ଗ୍ରାମବାସୀମାନେ ଏକପ୍ରକାର ଉଦବେଗ ପ୍ରକାଶ କରିବା ସହିତଗlଙ୍ଗୀ ହୋଙ୍କ ସ୍ଵାମୀ ଶିବ ହୋ କହିଛନ୍ତି ଘର ପାଖକୁ ରାସ୍ତା ଥିଲେ ମୋ ପତ୍ନୀ ଏତେ କଷ୍ଟ ଯନ୍ତ୍ରଣାରେ ଏକ ଖଟିଆରେ ଯାଇ ନଥାନ୍ତେ l ତେବେ ଭାରତ ସ୍ୱାଧୀନତାକୁ ଦୀର୍ଘ 78 ବର୍ଷ ବିତିଯାଇଥିଲେ ସୁଦ୍ଧା ଓଡିଶାର ବିକାଶ ଦିଗରେ କାର୍ଯ୍ୟ କରୁଥିବା ସରକାରଙ୍କର ଏ ଅଭାବନୀୟ ଘଟଣାଟି କାହିଁକି ଦୃଷ୍ଟିଗୋଚର ହେଉନାହିଁ କାହିଁକି ଏ ଦିଗରେ ରାଜ୍ୟ ସରକାର ଉଚିତ ପଦକ୍ଷେପ ନେଉନାହାନ୍ତି ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
You can share this post!
author