ମୋହନ ସରକାରରେ ନ୍ୟାୟ ମାନେ କଣ କେବଳ ଗିରଫ । ଡବଲ ଇଞ୍ଜିନ ସରକାରରେ ପୀଡିତାଙ୍କୁ ନ୍ୟାୟ ପ୍ରଦାନ କଣ କେବଳ ଗିରଫରେ ହିଁ ସୀମିତ । ଏ ପ୍ରଶ୍ନ ଏବେ ପ୍ରତ୍ୟେକ ରାଜ୍ୟବାସୀଙ୍କ ମନରେ ଉଙ୍କି ମାରୁଛି । ହତ୍ୟା , ଦୁଷ୍କର୍ମ, ଗଣଦୁଷ୍କର୍ମ ଭଳି ସାଙ୍ଘାତିକ ଅପରାଧରେ ବି ନ୍ୟାୟ ମାନେ କେବଳ ଗିରଫଦାରୀରେ ସୀମିତ ରହିଯାଉଛି । କେବଳ କଠୋରରୁ କଠୋର ଦଣ୍ଡ ଦିଆଯିବ ବୋଲି ସରକାର ଲୋକଙ୍କ ଆଗରେ ଏବଂ ଗଣମାଧ୍ୟମ ସାମ୍ନାରେ ଗଳାଫଟେଇ ଚିତ୍କାର କରୁଛନ୍ତି । କିନ୍ତୁ ବାସ୍ତବରେ ଚିତ୍ର କଣ ତାହା କାହାକୁ ଅଛପା ନାହିଁ ।
ସେ ମାଆ କୋଳ ଛାଡିନଥିବା ଛୋଟ ଶିଶୁ କନ୍ୟାଟେ ହେଉ ବା ସ୍କୁଲରେ ପଢୁଥିବା ଛାତ୍ରୀଟିଏ ହେଉ ବା କାଯ୍ୟରତ ମହିଳାଟିଏ ହେଉ । ସମସ୍ତେ ନିଯ୍ୟାତନାର ଶିକାର ହେଉଛନ୍ତି । ନିଯ୍ୟାତନା ଏତେ ଭୟଙ୍କର ହେଉଛି ଯେ, କାହାର ଜୀବନ ଚାଲିଯାଉଛି ତ ଆଉ କିଏ ବାଧ୍ୟ ହେଇ ନିଜ ଜୀବନ ନେଇଯାଉଛି । ଏପରିକି ଯିଏ ସାହାସ ଜୁଟାଇ ନିଜ ସହ ହୋଇଥିବା ଅନ୍ୟାୟ ବିରୋଧରେ ସ୍ୱର ଉଠାଇ ସରକାରଙ୍କୁ ନ୍ୟାୟ ପ୍ରଦାନ ନେଇ ଦାବି କରୁଛି ସେଭଳି କ୍ଷେତ୍ରରେ ତାକୁ ଚୁପ୍ କରାଇ ଘଟଣାକୁ ଚାପି ଦିଆଯାଉଛି ଅଥବା ମାରି ଦିଆଯାଉଛି । କିନ୍ତୁ ସରକାର ନ୍ୟାୟ ପ୍ରଦାନରେ ଆଗରେ ରହିଥିବା ସୋସିଆଲ ମିଡିଆ , ଗଣମାଧ୍ୟମରେ ବୟାନବାଜି କରିଚାଲିଛନ୍ତି ।
କେବଳ ଏତିକି ନୁହେଁ ବିଧାନସଭାରେ ବି ବିଜେପି ମନ୍ତ୍ରୀ ମାନେ ମୋହନ ସରକାରରେ ସମସ୍ତଙ୍କୁ ଉଚିତ୍ ନ୍ୟାୟ ମିଳିବ କେହି ବର୍ତିବେନି ବୋଲି ବୟାନବାଜି କରୁଥିଲେ । ନବୀନଙ୍କ ସମୟରେ ଆଇନ ତା ବାଟରେ ଦୋଷୀ ତା ବାଟରେ ଚାଲିଯାଉଥିବା କହି ସମାଲୋଚନା କରିବା ସହିତ ମୋହନ ସରକାରରେ ଏପରି ହେବନି ବୋଲି ଦୃଢୋକ୍ତି ଦେଖାଉଥିଲେ । କିନ୍ତୁ ଏବେ ନ୍ୟାୟ ପାଇବା ପାଇଁ ୬ ମାସ ହେବ ସବୁ ମନ୍ତ୍ରୀ ସାଂସଦଙ୍କ ଦ୍ୱାରସ୍ଥ ହେବା ପରେ ବି ଆଜି ଜଣେ ୨୦ ବର୍ଷୀୟ ଛାତ୍ରୀ ଆତ୍ମାହୁତି ଦେଇଛି । ଆଉ ତାଙ୍କୁ ନ୍ୟାୟ ଦେବାକୁ ଯାଇ ଅଭିଯୁକ୍ତଙ୍କୁ କେବଳ ଗିରଫ କରି ବିଜେପି ବାହା ବାହା ସାଉଁଟୁଛି । ଏବଂ ଛାତ୍ରୀଙ୍କ ପାଇଁ ସରକାରୀ ସହାୟତା ଘୋଷଣା କରିବାକୁ ଯାଇ ସରକାର ୨୦ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି । ଯାହାକୁ ନେଇ ମୋହନ ସରକାରରେ ଗୋଟିଏ ଜୀବନର ମୂଲ୍ୟ କଣ ମାତ୍ର ୨୦ ଲକ୍ଷ ବୋଲି ସାଧାରଣ ଲୋକେ ପ୍ରଶ୍ନ କରିଛନ୍ତି ।
ଅନ୍ୟପଟେ ଦେଖିବାକୁ ଗଲେ ଖୋଦ ଶାସକ ଦଳର ନେତାମାନେ ବି ଏପରି ଅପରାଧ କରିବାକୁ ପଛାଉ ନାହାନ୍ତି । ମହିଳା ପୋଲିସ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ରାଜନୈତିକ ଦଳର ମହିଳା ନେତ୍ରୀଙ୍କୁ ବି ଛାଡୁନାହାନ୍ତି ଶାସକ ଦଳର ବିଧାୟକ । କିନ୍ତୁ ସେମାନଙ୍କ ବିରୋଧରେ କୌଣସି କାଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ମୋହନ ସରକାର । ଯାହା ଅନ୍ୟ ଅପରାଧୀଙ୍କ ମୁହଁ ବଢିଆ କରୁଥିବା ବିରୋଧୀ ଅଭିଯୋଗ କରୁଛନ୍ତି ।
