ଭୁବନେଶ୍ୱର:
ନୂଆ ଯୋଜନା ମୋ ଘରର ଶୁଭାରମ୍ଭ କଲେ ରାଜ୍ୟ ସରକାର | ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ପରିବାର ପାଇଁ ମୋ ଘର ଯୋଜନାକୁ ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ୍ । ଏଥିରେ ବର୍ତ୍ତମାନର ଗୃହ ନିର୍ମାଣ ଯୋଜନାର କଠୋର ଚୟନ ମାନଦଣ୍ଡରେ ବାଦ୍ ପଡିଥିବା ପରିବାର ଉପକୃତ ହେବେ।
ସେହିପରି ପୂର୍ବରୁ ସ୍ବଳ୍ପ ଗୃହ ନିର୍ମାଣ ସହାୟତା ପାଇଥିବା ପରିବାର ମଧ୍ୟ ଏହି ଯୋଜନାରେ ଘରର ଉନ୍ନତିକରଣ ବା ସଂପ୍ରସାରଣ କରିପାରିବେ । ଯୋଜନାରେ ହିତାଧିକାରୀ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ପାଇପାରିବେ । ପ୍ରଥମ ବର୍ଷ ରିହାତି ଅବଧିକୁ ବାଦ ଦେଇ ପରବର୍ତ୍ତୀ ୧୦ବର୍ଷ ମଧ୍ୟରେ ଋଣ ପରିଶୋଧ କରିବାକୁ ହେବ। ପରିବାର କଚ୍ଚା ଘରେ କିମ୍ବା ଗୋଟିଏ କୋଠରୀ ଥିବା କଂକ୍ରିଟ୍ ଛାତ ଘରେ ରହୁଥିଲେ ଏହି ଯୋଜନାରେ ସାମିଲ ହୋଇପାରିବେ ।
ସେହିପରି ପରିବାର ପୂର୍ବରୁ ସରକାରଙ୍କଠାରୁ କୌଣସି ଗୃହ ନିର୍ମାଣ ଯୋଜନା ଅଧୀନରେ ସହାୟତା ପାଇନଥିଲେ କିମ୍ବା ୭୦ହଜାରରୁ କମ ପରିମାଣର ସହାୟତା ରାଶି ପାଇଥିବେ। ପରିବାରର ମାସିକ ଆୟ ୨୫ହଜାରରୁ କମ୍ ଥିବ । ପରିବାରର ବ୍ୟକ୍ତିଗତ ବ୍ୟବହାର ପାଇଁ ଏକ ଅଣବ୍ୟବସାୟିକ ମୋଟର ଚାଳିତ ଚାରି ଚକିଆ ଯାନ ନଥିବ । ପରିବାରର କୌଣସି ସଦସ୍ୟ ସରକାରୀ କିମ୍ବା ସରକାରୀ ଉଦ୍ୟୋଗରେ ନିୟମିତ କର୍ମଚାରୀ କିମ୍ବା ପେନସନଭୋଗୀ ହୋଇନଥିବେ । ୫ଏକର ଜଳସେଚିତ କିମ୍ବା ୧୫ଏକର ଅଣଜଳସେଚିତ ଜମିରୁ କମ ଜମି ଥିବା ପରିବାର ଯୋଜନାରେ ଲାଭ ପାଇପାରିବେ ।