ଯାଜପୁରରେ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି । ଗୋଟିଏ ପଟେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ । ଆଉ ଗୋଟିଏ ପଟେ ବିଜେଡି ନେତ୍ରୀ ତଥା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ । ଗୋଟିଏ ଦିନରେ ଯାଜପୁରରେ ଦୁଇ ଦଳ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ । ବିଜେପି ମିଶ୍ରଣ ପର୍ବ ପରି ବିଜେଡି ନେତାଙ୍କୁ ଦଳକୁ ଛାଣି ଆଣିଥିବା ବେଳେ ଏପଟେ ସରକାରଙ୍କ ବିରୋଧରେ ବିଜେଡି ପ୍ରତିବାଦ କରିଥିଲା । ଆଉ ଏହି ସମୟରେ ଉଭୟ ଦଳର ନେତାଙ୍କ ମଧ୍ୟରେ କଥା କଟାକଟି ହୋଇଥିବା ଶୁଣିବାକୁ ମିଳୁଛି ।
ତେବେ ଧର୍ମଶାଳାରେ ବିଜେପି ମହାମିଶ୍ରଣ ପର୍ବ କରି ନିଜର ଲୋକପ୍ରିୟତା କେତେ ବଢୁଛି ତାହା ଦର୍ଶାଇବାକୁ ଚେଷ୍ଟା କରିଥିଲା । ବିରାଟ ସମ୍ବର୍ଦ୍ଧିତ ସଭା କରି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ଧର୍ମଶାଳା ବିଧାୟକଙ୍କ ଉପସ୍ଥିତିରେ ଏକ ହଜାରରୁ ଉର୍ଦ୍ଧ୍ୱ ବିଜେଡି କର୍ମୀଙ୍କୁ ନିଜ ଦଳକୁ ଟାଣି ନେଇଛି ବିଜେପି । ବିଜେଡିର ବହୁ ନେତା ଦଳ ପରିବର୍ତ୍ତନ କରି ପଦ୍ମ ଧରିଛନ୍ତି । ବିଜେଡିର ଜିଲ୍ଲାପରିଷଦ ସଦସ୍ୟ, ସରପଞ୍ଚ, ପଞ୍ଚାୟତ ସମିତି ସଦସ୍ୟ ଓ ପୂର୍ବତନ ସରପଞ୍ଚଙ୍କ ସମେତ ଏକ ହଜାରରୁ ଅଧିକ ନେତା ଓ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି। ଏବଂ ଏହି ମିଶ୍ରଣ ପର୍ବକୁ ଦେଖି ଆଗକୁ ଯାଜପୁରର ସବୁ ଅଞ୍ଚଳରୁ ଲୋକେ ବିଜେପିକୁ ବାଛିବେ ବୋଲି ଦୃଢୋକ୍ତି ଦେଖାଇଥିଲେ ବିଜେପି ନେତା । ଏହା ସହ ବିଜେଡକୁ ବି ଟାର୍ଗେଟ କରିଥିଲେ । ଯାହାକୁ କାଉଣ୍ଟର କରିଥିଲେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ।
ଯିଏ ନିଜେ ନିର୍ବାଚନରେ ଜିତି ନାହାନ୍ତି ସେ କଣ ମିଶ୍ରଣ ପର୍ବ କରିବେ କହି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଟାର୍ଗେଟ କରିଥିଲେ । ଏହା ସହ ବିଜେପିର ମହାମିଶ୍ରଣ ପର୍ବର ଗୁମର ବି ଖୋଲିଥିଲେ । ବିଜେଡିର ରିଜେକ୍ଟ ମାଲ କୁ ଦଳର ମିଶାଇ ବିଜେପି ବାହା ବାହା ନେଉଥିବା କହି କଟାକ୍ଷ କରିଥିଲେ ପ୍ରମିଳା । ଏହା ସହ ଯେଉଁମାନେ ଦଳ ସହ ବିଶ୍ୱାସ ଘାତକତା କରି ବିଜେପିକୁ ଭିତ୍ତିରି ଭୋଟ ଦେଇଥିଲେ ସେମାନେ ହିଁ ବିଜେପିକୁ ଯାଇଥିବା କହିଥିଲେ ପ୍ରମିଳା । ତେବେ ପ୍ରମିଳାଙ୍କ ଏପରି ଆଟାକର ଜବାବ ଏଯାଏଁ ବିଜେପିର କୌଣସି ନେତା ଦେଇଥିବା ଶୁଣିବାକୁ ମିଳିନି । ତେବେ ଦେଖାଯାଉ ଆଗକୁ ଯାଜପୁର ରାଜନୀତିରେ କେଉଁ ପରିବର୍ତନ ଆସୁଛି ଏବଂ ନବୀନ -ମୋହନ ଙ୍କ ଭିତରୁ ଲୋକଙ୍କ ପସନ୍ଦ କିଏ ସାଜୁଛି ତା ଉପରେ ରହିଛି ସମସ୍ତଙ୍କ ନଜର ।
