ଗତକାଲି ଶଙ୍ଖଭବନରେ ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନକୁ ନେଇ ଯେଉଁ ହଙ୍ଗାମା ସୃଷ୍ଟି ହୋଇଥିଲା ତାକୁ ନେଇ ଏବେ ନାନା ଚର୍ଚ୍ଚା ଚାଲିଛି । ନବୀନ ନିବାସରେ ନବୀନ ବଡ ବୈଠକ ଡାକିଥିବା ବେଳେ ଏପଟେ ଦଳର ପାର୍ଟି ଅଫିସ ଶଙ୍ଖ ଭବନରେ କିନ୍ତୁ ହୋ ହଲ୍ଲା ଦେଖିବାକୁ ମିଳିଥିଲା ।
ପାଟକୁରାରୁ ଅରବିନ୍ଦଙ୍କ ହଜାର ହଜାର ସମର୍ଥକ ଶଙ୍ଖଭବନ ସାମ୍ନାରେ ଯୁଦ୍ଧଂ ଦେହିଂ ଡାକରା ଦେଇଥିଲେ । ନବୀନଙ୍କ ନିଷ୍ପତ୍ତିକୁ ବିରୋଧ କରି ଶଙ୍ଖ ଭବନ ସାମ୍ନାରେ ହୋହଲ୍ଲା ଓ ନାରାବାଜି କରିଥିଲେ । ନିଲମ୍ବନ ନିଷ୍ପତ୍ତି ପ୍ରତ୍ୟାହାର ନକଲେ ଦଳ ନିଶ୍ଚିହ୍ନ ହୋଇଯିବ ବୋଲି ଚେତାଇଦେଇଥିଲେ । ଆଉ କର୍ମୀଙ୍କ ଏପରି ଶକ୍ତି ପ୍ରଦର୍ଶନ ସହ ଦଳର ସଭାପତିଙ୍କୁ ଧମକାଇବାକୁ ନେଇ ପୁଣି ଥରେ ବିଜେଡିରେ ବଡ ଧରଣର ହଇଚଇ ସୃଷ୍ଟି ହୋଇଛି । ବିଜେଡି ଇତିହାସରେ ଦଳୀୟ କାର୍ଯ୍ୟାଳୟ ସାମ୍ନାରେ ଏଭଳି ପ୍ରତିବାଦ କ୍ବଚିତ ଦେଖିବାକୁ ମିଳିଥିବା ବେଳେ ନବୀନଙ୍କ ନିଷ୍ପତ୍ତି ବିରୋଧରେ ଅଧିକାଂଶ ସମୟରେ କେହି ମୁହଁ ଖୋଲନ୍ତିନି । ହେଲେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିନାହାନ୍ତି ଦଳୀୟ କାର୍ଯ୍ୟକର୍ତ୍ତା । ପାଟକୁରାରୁ ଆସି ରାଜଧାନୀରେ ରଣହୁଙ୍କାର ଦେଇଛନ୍ତି ଶହ ଶହ ସମର୍ଥକ। ଗୋଟିଏ ଦାବି, ଆମ ବିଧାୟକ ଅରବିନ୍ଦଙ୍କ ନିଲମ୍ବନ ନିଷ୍ପତ୍ତିକୁ ପ୍ରତ୍ୟାହାର କର । ଏବଂ କୁଚକ୍ରୀଙ୍କ ବିରୋଧରେ ଆକ୍ସନ୍ ନିଅ । ନଚେତ ସମୂହ ଇସ୍ତଫା ଦେବା ନେଇ ସଭାପତିଙ୍କୁ 7 ଦିନର ସମୟ ଦେଇଛନ୍ତି ପାଟକୁରା ବିଜେଡି କର୍ମୀ । ତେବେ କିଛି ଦିନ ତଳେ ନବୀନ ଅରବିନ୍ଦଙ୍କ ନିଲମ୍ବନକୁ ନେଇ ମୁହଁ ଖୋଲିବା ସହ ଏହାର କାରଣ ଦର୍ଶାଇଥିଲେ । ଏବଂ ଦଳ ବିରୋଧୀ କାମ କଲେ ସେ କାହାରିକୁ ଛାଡିବେନି ବୋଲି ଖୋଲାଖୋଲି ଚେତାଇ ବି ଦେଇଥିଲେ ।
କିନ୍ତୁ ଏହା ସତ୍ବେ ଅରବିନ୍ଦଙ୍କ ସମର୍ଥକ ତଥା ବିଜେଡି କର୍ମୀ ଏପରି ଦଳର ସଭାପତିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବା ଏବଂ ଦଳ ନିଶ୍ଚିହ୍ନ ହୋଇଯିବା ନେଇ ଧମକ ଦେବା । ଆଗକୁ ସେମାନଙ୍କ ପାଇଁ ବିପଦ ଆଣିପାରେ ବୋଲି ଆଭାସ ବଢିଗଲାଣି ।
ଅନ୍ୟପଟେ ଏଭଳି ଶହ ଶହ ବିଜେଡି କର୍ମୀଙ୍କ ନାରାବାଜି ପରେ ନବୀନ ନିଜ ନିଷ୍ପତ୍ତି ବଦଳାଇପାରନ୍ତି ଏବଂ ଅରବିନ୍ଦ ପୁଣି ଦଳକୁ ଫେରିପାରନ୍ତି ବୋଲି ଅନେକ ମହଲରେ ଚର୍ଚ୍ଚା ହେଉଛି । କିନ୍ତୁ ନିଜ ନିଷ୍ପତ୍ତିରେ ଅଟଳ ରହୁଥିବା ନବୀନ ଅରବିନ୍ଦଙ୍କୁ ନେଇ ନିଜ ନିଷ୍ପତ୍ତି ବଦଳାଇବାର ସମ୍ଭାବନା କ୍ଷୀଣ ଥିବା କୁହାଯାଉଛି। କାହିଁକି ନା ଅନ୍ୟ କାହା କଥାରେ ନୁହେଁ ନିଜ ହିସାବରେ ଦଳ ପାଇଁ ନିଷ୍ପତ୍ତି ନେଇଥାନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେଣୁ ଏ ଶକ୍ତି ପ୍ରଦର୍ଶନ ନବୀନଙ୍କୁ କାଟୁ ନକରିପାରେ ବୋଲି କୁହାଯାଉଛି ।
