ରାଜଭବନ ଆଗରେ ବିଜେଡିର ପ୍ରତିବାଦ

ଗୋଟିଏ ପଟେ ନବ ଦାସ ହତ୍ୟାକାଣ୍ଡ ଏବଂ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ନେଇ ଭାଜପା ଯୁବମୋର୍ଚ୍ଚା ବିଧାନସଭା ଘେରାଉ ଡାକରା ଦେଇଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଦାନରେ କେନ୍ଦ୍ର ସରକାର ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ଦେଖାଉଥିବା ବିଜେଡି ଅଭିଯୋଗ କରିଛି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି, ମଙ୍ଗଳବାର ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ବିଧାନସଭା ଘେରାଉ କରାଯିବ। ନବ ଦାସ ହତ୍ୟା ମାମଲାରେ ସରକାରଙ୍କ ଜବାବ ଦାବି ନେଇ ଏହି ଘେରାଉ ହେବ। ରାଜ୍ୟର ପ୍ରତ୍ୟେକ ଜିଲାର ଯୁବତୀ, ଯୁବକମାନେ ଏକାଠି ହୋଇ ଏହି ଘେରାଉ କରିବେ। ଏ ପର୍ଯ୍ୟନ୍ତ ସରକାର ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର କାରଣ ସ୍ପଷ୍ଟ କରିପାରିଲେ ନାହିଁ। ଦିନକୁ ଦିନ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଏଭଳି ପରିସ୍ଥିତିରେ ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଯେଉଁ ତଥ୍ୟ ରଖିଛନ୍ତି ତାହା ସମସ୍ତଙ୍କୁ ଚକିତ କରୁଛି। ମନ୍ତ୍ରୀଙ୍କ ଉତ୍ତର ଅନୁସାରେ ଅଭିଯୁକ୍ତ ଗୋପାଳ ଦାସ ୧୩ ବର୍ଷ ଧରି ଝାରସୁଗୁଡାରେ ପୋଲିସ ଭାବେ କାର୍ଯ୍ୟରତ ଥିଲେ। ଏପରିକି ପ୍ରତ୍ୟେକ ବର୍ଷ ଗୋପାଳ ବିଭିନ୍ନ ଆର୍ଥିକ ପୁରସ୍କାର ସହ ବିଭାଗ ତରଫରୁ ପୁରସ୍କୃତ ହୋଇଛନ୍ତି। ଥରେ ପଦୋନ୍ନତି ମଧ୍ୟ ପାଇଛନ୍ତି। ଅର୍ଥାତ୍‌ ଏତେଦିନ ଧରି ପୋଲିସ ବିଭାଗ ଆଉ ଗୋଇନ୍ଦା କିଭଳି ଗୋପାଳ ସମ୍ପର୍କରେ ଜାଣିପାରିଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଅପରପକ୍ଷେ ମନ୍ତ୍ରୀଙ୍କ ଉତ୍ତର ଦର୍ଶାଉଛି ଗୋପାଳ ଦାସ ପାଗଳ ନୁହେଁ। ହତ୍ୟା କିଏ କରିଛି ଆଉ କ’ଣ ପାଇଁ କରିଛି, ତାହା ସରକାର ସ୍ପଷ୍ଟ କରୁନାହାନ୍ତି। ତେଣୁ ଏହାର ଜବାବ ଦାବି କରି ଭାଜପା ଯୁବ ମୋର୍ଚ୍ଚା ବିଧାନସଭା ଘେରିବ ବୋଲି ଗୋଲକ କହିଛନ୍ତି। ସେହିପରି ବିଜୁ ମହିଳା ଜନତା ଦଳ ପକ୍ଷରୁ ମଙ୍ଗଳବାର ରାଜଭବନ ସମ୍ମୁଖରେ ପ୍ରତିବାଦ କରାଯିବ ବୋଲି ଦଳ ତରଫରୁ ସୂଚନା ଦିଆଯାଇଛି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ଯେତିକି ଘର ଦେବା କଥା ସେତିକି ଯୋଗାଇ ଦେଇନାହାନ୍ତି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାକୁ କମ୍‌ ଘର ପ୍ରଦାନ କରିଛନ୍ତି। ଗତ ୩ ବର୍ଷ ହେଲା କେନ୍ଦ୍ର ସରକାର ଜମା ବି ଘର ଦେଇ ନ ଥିବାବେଳେ ଏବେ ଯେତିକି ଘର ଆବଶ୍ୟକ ତାଠାରୁ କମ୍‌ ପ୍ରଦାନ କରିଛନ୍ତି। ତେଣୁ ଏହା ବିରୋଧରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ସହିତ ପ୍ରତିବାଦ କରିବାକୁ ଦଳ ତରଫରୁ ସୂଚୀତ କରାଯାଇଛି।

author

Related Articles

Leave a Reply

Your email address will not be published. Required fields are marked *