ରାଜ୍ୟରେ ଚିର ନିଦ୍ରାରେ ଶୋଇଛି କଂଗ୍ରେସ !

ରାଜ୍ୟରେ ଚିର ନିଦ୍ରାରେ ଶୋଇଛି କଂଗ୍ରେସ !

ଆସନ୍ତା ଜୁଲାଇ ୨୨ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ବିଧାନସଭା ଅଧିବେଶନ । ନୂତନ ଭାବେ ଦାୟିତ୍ୱ ଭାର ନିଜ କାନ୍ଧ ଉପରକୁ ନେଇଥିବା ଶାସକ ବିଜେପିକୁ ଘେରିବେ ଦୁଇ ବିରୋଧୀ ଦଳ । କିନ୍ତୁ ବିଜେଡିର ବିରୋଧୀ ଦଳ ନେତା ଚୟନ ହୋଇସାରିଥିବା ବେଳେ ଏବେ ବି କଂଗ୍ରେସର କିଏ ଏହି ପଦ ସମ୍ଭାଳିବେ ତାକୁ ନେଇ ଛକାପଞ୍ଝା ଲଢେଇ ଚାଲିଛି । ଚଳିତ ଥର କଂଗ୍ରେସର ୧୪ ଜଣ ବିଧାୟକ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ରାଜ୍ୟରେ କଂଗ୍ରେସର ସ୍ଥିତି ଆଗ ଅପେକ୍ଷା ସୁଧୁରିଛି । କିନ୍ତୁ ଗତ କିଛି ଦିନ ଧରି କଂଗ୍ରେସ ଶିବିରରେ ଯେଉଁ ମାନସ ମନ୍ଥନ ଚାଲିଛି ତାକୁ ନେଇ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ଗୋଟିଏ ପଟେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ବିରୋଧ କରାଯାଉଥିବା ଦୃଶ୍ୟ ସାମ୍ନାକୁ ଆସୁଥିବା ବେଳେ ଅନ୍ୟପଟେ ବିଧାନସଭାରେ କଂଗ୍ରେସର ମଙ୍ଗ କିଏ ଧରିବେ ତାକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ଉପୁଜିଛି । ପ୍ରଥମେ ଶରତ ପଟ୍ଟନାୟକଙ୍କୁ ପିସିସି ସଭାପତିରୁ ଇସ୍ତଫା ଦେବା ପାଇଁ ଅନେକ ନେତା ଦାବି କରୁଥିଲେ । ଏବଂ ତାଙ୍କ ବଦଳରେ ଅନ୍ୟ କାହାକୁ ଏହି ପଦ ମିଳୁ ବୋଲି ମତପ୍ରକାଶ କରୁଥିଲେ । କିନ୍ତୁ ସେ ଦିଗରେ ସେତେଟା ପ୍ରଭାବ ପରିଲକ୍ଷିତ ହେଲା ନାହିଁ । କି ପିସିସି ସଭାପତି ପଦରୁ ଶରତ ପଟ୍ଟନାୟକ ଇସ୍ତଫା ଦେଲେନାହିଁ । କିନ୍ତୁ ପଦରେ ଥାଇ ବି ତାଙ୍କୁ ଆଉ ଦଳରେ ସେତେ ଗୁରୁତ୍ୱ ଦିଆଯାଉଥିବା ଦେଖିବାକୁ ମିଳୁନି । ନା ତାଙ୍କ ନିର୍ଦ୍ଦେଶରେ ଦଳରେ କିଛି କାମ କରାଯାଉଛି ନା ତାଙ୍କ ଉପସ୍ଥିତିରେ ଦଳ କିଛି ପ୍ରେସମଟ୍ କରୁଛି । ଏପରିକି କଂଗ୍ରେସ ଭବନ ସାମ୍ନାରେ ବିଜେପି ଏବଂ କଂଗ୍ରେସ କର୍ମୀ ଯେପରି ମୁହାଁମୁହିଁ ହୋଇଥିଲେ ସେତେବେଳେ ମଧ୍ୟ ଶରତ ପଟ୍ଟନାୟକଙ୍କ ବଦଳରେ ଦଳର ବରିଷ୍ଠ ନେତା ତାରା ବାହିନୀ ପତି ଏବଂ ରମେଶ ଜେନା ସାମ୍ନାକୁ ଆସିଥିଲେ । ଯାହାକୁ ନେଇ ଆଲୋଚନା ଚାଲିଲା ଯେ. କଂଗ୍ରେସ ଏବେ ମୁରବୀ ଶୂନ୍ୟ ହୋଇପଡିଛି । ତେବେ ଆଗକୁ କଂଗ୍ରେସର ସ୍ଥିତି ଯଦି ଏହିପରି ରୁହେ ତେବେ ରାଜ୍ୟରୁ କଂଗ୍ରେସର ଚିହ୍ନବର୍ଣ୍ଣ ଲିଭିଯିବାର ସମ୍ଭାବନା ଅଧିକ ରହିଛି ବୋଲି ରାଜନୈତିକ ସମୀକ୍ଷକମାନେ ମତପ୍ରକାଶ କରୁଛନ୍ତି । ତେବେ ଦେଖାଯାଉ ବିଧାନସଭାରେ କଂଗ୍ରେସର ନେତୃତ୍ୱ କିଏ ନେଉଛନ୍ତି ଏବଂ ବିଧାନସଭାରେ ତାଙ୍କ ଭୂମିକା କିପରି ରହୁଛି ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *