କଡା ସୁରକ୍ଷା ବଳୟ ଭିତରେ ଅଯୋଧ୍ୟା ରାମମନ୍ଦିର । ୧୬ ଏବଂ ୧୭ ତାରିଖରେ ରାମମନ୍ଦିରରେ ହୋଇପାରେ ବଡ ବିସ୍ଫୋରଣ । ଏଭଳି କିଛି ଧମକ ଅଯୋଧ୍ୟା ରାମମନ୍ଦିରକୁ ଆସିଥିବା ସୂଚନା ମିଳିଛି । ଦିନକୁ ଦିନ ଖଲିସ୍ତାନୀ ଆତଙ୍କବାଦୀଙ୍କ ଉଗ୍ରରୂପ ସାମ୍ନାକୁ ଆସୁଥିବା ବେଳେ ଏବେ ଏବା ଶୀର୍ଷ ଛୁଇଁଛି । ଖଲିସ୍ତାନୀ ଆତଙ୍କବାଦୀ ଗୁରୁ ପତୱନ୍ତ ସିଂହ ପନ୍ନୁ ଏକ ଭିଡିଓ ଜାରି କରି ସିଧାସଳଖ ରାମମନ୍ଦିରକୁ ଉଡାଇ ଦେବା ନେଇ ଧମକ ଦେଇଥିବା ଜଣାପଡିଛି । ଯାହାକୁ ନେଇ ଏବେ ଅଯୋଧ୍ୟାରେ ଭୟର ବାତାବରଣ ଖେଳିଯାଇଛି । ତେବେ ସିଖ୍ ଫର୍ ଜଷ୍ଟିସ ନାମକ ଆତଙ୍କୀ ସଙ୍ଗଠନର ମୁଖ୍ୟ ପନ୍ନୁ ଏକ ଭିଡିଓ ଜାରି କରି ଧମକ ଦେଇଛି ଯେ, ଆସନ୍ତା ୧୬ ଓ ୧୭ ନଭେମ୍ବରରେ ଅଯୋଧ୍ୟା ରାମମନ୍ଦିରରେ ହିଂସାକାଣ୍ଡ ଘଟିବ ବୋଲି । ଏହା ସହ ହିନ୍ଦୁମାନଙ୍କ ପ୍ରମୁଖ ଧାର୍ମିକସ୍ଥଳୀ ଅଯୋଧ୍ୟାର ମୂଳଦୂଆ ହଲାଇଦେବେ ବୋଲି ଧମକ ଦିଆଯାଇଛି । ଏହା ସହ କାନାଡାରେ ରହୁଥିବା ଭାରତୀୟଙ୍କୁ ମଧ୍ୟ ପନ୍ନୁ ଚେତାଇ ଦେଇଥିବା ଭିଡିଓରେ ନଜର ଆସୁଛି । ତେବେ ଏହି ଭିଡିଓ ଭାଇରାଲ ହେବା ପରେ ଏବଂ ପୋଲିସ ପାଖରେ ପହଁଞ୍ଚିବା ପରେ ରାମମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦେଇଥିବା ସୂଚନା ମିଳିଛି । ତେବେ ପନ୍ନୁଙ୍କ ସଙ୍ଗଠନ ପଞ୍ଜାବକୁ ଭାରତଠାରୁ ଅଲଗା କରିବାକୁ ଦାବି କରୁଛି ଓ ପୂର୍ବରୁ ମଧ୍ୟ ଅନେକ ଥର ଏମିତି ଧମକ ଦେଇ ସାରିଛି। ତେବେ ପୋଲିସଙ୍କ କହିବା ଅନୁସାରେ, ଅଯୋଧ୍ୟାରେ ପୂର୍ବାପେକ୍ଷା ଅଧିକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୋଲିସ ତଥା ସୁରକ୍ଷାକର୍ମୀ ୨୪ ଘଣ୍ଟା ଯେକୌଣସି ଆତଙ୍କବାଦୀ ଆକ୍ରମଣର ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି। ତେବେ ପୋଲିସ ଭାଇରାଲ ହେଉଥିବା ପନ୍ନୁଙ୍କ ବାର୍ତ୍ତାର ଯାଞ୍ଚ କରୁଛି। ତେବେ ଅଯୋଧ୍ୟା ରାମମନ୍ଦିର ପ୍ରତିଷ୍ଠା ହେବା ଦିନଠାରୁ ଏହାକୁ ନଷ୍ଟ କରିବାକୁ ଏବଂ ହିନ୍ଦୁମାନଙ୍କ ଭାବାବେଗକୁ କ୍ଷତି ପହଞ୍ଚାଇବାକୁ ଅନେକ ଥର ଧମକ ମିଳିଛି । କିନ୍ତୁ ଏସବୁକୁ ପୋଲିସ ବିଫଳ କରିଛି । ଆଉ ଏବେ ଏହି ଧମକର ମଧ୍ୟ ପୋଲିସ ଉଚିତ୍ ଜବାବ ଦେବ ବୋଲି ଆଶଙ୍କା କରାଯାଉଛି ।
You can share this post!
author