ରାସ୍ତା ମରାମତି ନ ହେବାରୁ କ୍ଷୁବ୍ଧ ହୋଇ ରାସ୍ତାରୋକ କରିଛନ୍ତି ଅଞ୍ଚଳବାସୀ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ପଞ୍ଚାୟତ ଅଧିନ ଜିରଜିରା ଗ୍ରାମରେ। ଦୀର୍ଘଦିନ ହେଲା ଗ୍ରାମାଞ୍ଚଳର ରାସ୍ତା ଖାଲଖାମ ହୋଇ ରହିଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏସଂପର୍କରେ ଅଞ୍ଚଳବାସୀ ବ୍ଲକ୍ ପ୍ରଶାସନକୁ ବାରମ୍ବାର ଗୁହାରି କରି ଆସୁଥିବା ବେଳେ ପ୍ରଶାସନ ନୀରବ ଦ୍ରଷ୍ଟା। ବାରମ୍ବାର ଉକ୍ତ ରାସ୍ତାରେ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଥିବା ନେଇ ଅଭିଯୋଗ କରାଯିବା ପରେ ମଧ୍ୟ ପ୍ରଶାସନ କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ଗ୍ରହଣ ନ କରିବାରୁ ଶେଷରେ ବାଧ୍ଯ ହୋଇ ରାସ୍ତାରୋକ କରିଛନ୍ତି ଗ୍ରାମବାସୀ। ଏ ସଂକ୍ରାନ୍ତରେ ଖବର ପାଇ ରାୟଗଡ ଥାନା ଓ ଜିରାଙ୍ଗ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରାଜିବା ପରେ ଯୁଦ୍ଧ କାଳୀନ ଭିର୍ତ୍ତିରେ ରାସ୍ତା ମରାମତି କରାଯିବା ପରେ ଗ୍ରାମବାସୀ ରାସ୍ତାରୋକରୁ ହଟିଥିଲେ। ତେବେ ବାରମ୍ବାର ଅଭିଯୋଗ ହୋଇ ଆସୁଥିବା ବେଳେ ମଧ୍ୟ ପୂର୍ବରୁ ନିମ୍ନମାନର କାର୍ଯ୍ୟ ହୋଇଥିବାରୁ ଜିରାଙ୍ଗଠାରୁ କଇଁପୁର ରାସ୍ତାରେ ବାରମ୍ବାର ଖାଲଖମା ରାସ୍ତା ଯୋଗୁଁ ଦୁର୍ଘଟଣା ଘଟି ଚାଲିଛି। ତେଣୁ ବର୍ତ୍ତମାନ ଚାଲୁ ରହିଥିବା କାମ ଯେମିତି ନିମ୍ନମାନର ନ ହେବ ସେଥିପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି।