ଶଙ୍ଖ ଛାଡି ପଦ୍ମ ମୁହାଁ ଅରିନ୍ଦମ !

ଶଙ୍ଖ ଛାଡି ପଦ୍ମ ମୁହାଁ ଅରିନ୍ଦମ !

ଅଭିନେତା ତଥା ବିଜେଡି ନେତା ଅରିନ୍ଦମ ରାୟଙ୍କୁ ନେଇ ସରଗରମ ହେଲାଣି ରାଜ୍ୟ ରାଜନୀତି । ଅରିନ୍ଦମ ଶଙ୍ଖ ଛାଡି ଫୁଲ ଧରିବେ ବୋଲି ସବୁଆଡେ ଚର୍ଚ୍ଚା । ନିକଟରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଅରିନ୍ଦମଙ୍କ ଭେଟଘାଟ ହୋଇଥିଲା । ଅରିନ୍ଦମ କେନ୍ଦ୍ରମନ୍ତ୍ରୀଙ୍କୁ ଫୁଲତୋଡା ଦେବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି । ଯାହା ଏବେ ରାଜନୀତିରେ ହଲଚଲ ସୃଷ୍ଟି କରିଛି । ସାଧାରଣ ନିର୍ବାଚନକୁ ଆଉ ଅଳ୍ପ କେଇଦିନ ବାକି ଥିବା ବେଳେ ବିଜେଡି ଷ୍ଟାର ପ୍ରଚାରକଙ୍କ କେନ୍ଦ୍ରମନ୍ତ୍ରୀଙ୍କ ସହ ଏଭଳି ଭେଟଘାଟ ଏବଂ ରୁଦ୍ଧଦ୍ୱାର ବୈଠକକୁ ବିଜେଡି ନେତାମାନେ ସହଜରେ ହଜମ କରିପାରୁନାହନ୍ତି ।

ଅରିନ୍ଦମ ୨୦୦୯ରୁ ବିଜେଡି ସହ ରହିଥିବା ବେଳେ ଦଳରେ ସେ ଏକ ପ୍ରକାର କୋଣଠେସା ହୋଇଯାଇଛନ୍ତି । ଅରିନ୍ଦମ ବିଜେଡିର ସାଧାରଣ ସମ୍ପାଦକ ହୋଇଥିଲେ ମଧ୍ୟ ବିଜେଡି ତାଙ୍କୁ ଏତେଟା ଗୁରୁତ୍ୱ ଦେଇନଥିବା ଅନେକ ସ୍ଥାନରେ ଦେଖିବାକୁ ମିଳିଛି । ୨୦୧୯ରେ ବିଜେଡି କଟକ ବାରବାଟୀ ପାଇଁ ଅରିନ୍ଦମଙ୍କୁ ପ୍ରାର୍ଥୀ କରିନଥିଲା । ଏବଂ କଟକ ମେୟର ନିର୍ବାଚନ ବେଳେ ଅରିନ୍ଦମ ବିଜେଡିରୁ ପ୍ରାର୍ଥୀ ହେବା ନେଇ ଆଶା ରଖିଥିବା ବେଳେ ଦଳ ସୁବାସ ସିଂଙ୍କୁ ବାଛିଥିବାରୁ ଅରିନ୍ଦମ ଦଳ ଉପରେ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଥିଲା । ଆଉ ଏବେ ନିର୍ବାଚନ ପୂର୍ବରୁ କେନ୍ଦ୍ରମନ୍ତ୍ରୀଙ୍କ ସହ ନଜର ଆସିବା କିଛି ଅଲଗା ଦିଗକୁ ଇସାରା କରୁଛି । କାରଣ କିଛି ଦିନ ପୂର୍ବରୁ ଅରିନ୍ଦମ ଭିକେ ପାଣ୍ଡିଆନଙ୍କ ସହ ନୂଆ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଏକାଠି ନଜର ଆସିଥିଲେ । ଏହି ଘଟଣାର ୪୮ ଘଣ୍ଟା ନପୂରୁଣୁ ଏବେ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଳୋଚନା ରାଜନୈତକ ମହଲରେ ଚର୍ଚ୍ଚାକୁ ବଢାଇଦେଇଛି ।

ସେପଟେ ବିଜେପି ନେତା ଦିଲ୍ଲୀପ ମଲ୍ଲିକ କହିଛନ୍ତି, ଓଡିଶାରେ ମୋଦୀ ଗ୍ୟାରେଣ୍ଟି ପ୍ରଭାବ ପକାଇବା ଆରମ୍ଭ କଲାଣି । କିଏ ଚୋରାରେ ତ କିଏ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ବିଜେପି ସହ ଯୋଗାଯୋଗ କରିବା ଆରମ୍ଭ କଲେଣି । ମୋଦୀ ଗ୍ୟାରଣ୍ଟିରେ ଓଡିଶାରେ ବିଜେପି ସରକାର ଆସିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ବିଜେପି ନେତା । ତେବେ ଦୀର୍ଘ ବର୍ଷ ଧରି ବିଜେଡିରେ ଥାଇ ମଧ୍ୟ ଏକ ପ୍ରକାର ଅଲୋଡା ହୋଇଯାଇଥିବା ସିନେଷ୍ଟାର ଅରିନ୍ଦମ କଣ ବିଜେଡି ଛାଡିଦେବେ ନା ଦଳର ସୁପ୍ରିମୋଙ୍କ ଠାରୁ ଅରିନ୍ଦମଙ୍କର ଯେଉଁ ଆଶା ରହିଛି ଦଳ ତାକୁ ପୂରଣ କରିବ ତାହା ଦେଖିବାକୁ ବାକି ରହିଲା ।

author

Related Articles

Leave a Reply

Your email address will not be published. Required fields are marked *