ସମୀରଙ୍କୁ ଡାକିଲେନି ମୋହନ…

ସମୀରଙ୍କୁ ଡାକିଲେନି ମୋହନ…

ଉତ୍ସବ ପାଳିଲେ ମୋହନ ସରକାର । ହେଲେ ନଥିଲେ ସମୀର ଭାଇନା । ପ୍ରଭାତୀଙ୍କ ପାଇଁ ସମୀରଙ୍କୁ ଡାକିଲେନି କି ମୋହନ ? ଏଭଳି କିଛି ଦ୍ୱନ୍ଦ୍ୱ ଏବେ ବିଜେପି ଉତ୍ସବରେ ସମୀରଙ୍କ ଅନୁପସ୍ଥିତିକୁ ନେଇ ସୃଷ୍ଟି ହୋଇଛି । ନା ସମୀର ଏହି ଉତ୍ସବରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି ନା ଉତ୍ସବକୁ ନେଇ ସମୀର ନିଜ ସୋସିଆଲ ମିଡିଆ ପେଜରେ କିଛି ସେୟାର କରିଛନ୍ତି । ଯେଉଁଥିରୁ ମୋହନ ସମୀରଙ୍କୁ କୋଣଠେସା କରିଦେଇଥିବା ସମ୍ଭାବନା ବଢି ବଢି ଚାଲିଛି ।

ତେବେ ଏହା ପଛରେ ସମୀରଙ୍କ ବିସ୍ଫୋରକ ବୟାନ ଥିବା ଆଶଙ୍କା କରାଯାଉଛି । ନିକଟରେ ସମୀର ନିମାପଡାରେ ମୋହନ ସରକାରଙ୍କର ଏକ ବର୍ଷ ପୂର୍ତି ପାଳନ କରିବା ଅବସରରେ ପ୍ରଭାତୀ ପରିଡାଙ୍କ ବିରୋଧରେ ବିସ୍ଫୋରକ ବୟାନ ଦେଇଥିଲେ । ନିମାପଡାରେ ଏକ ବର୍ଷ ଭିତରେ କିଛିନୂଆ କାମ ହୋଇନଥିବା, ବିଜେପି ସରକାରରେ ନିମାପଡାରେ ମାଟି ପଡିନଥିବା ଏବଂ ନିମାପଡାରେ ଯାହା ବି ହୋଇଛି ତାହା ପୂର୍ବ ସରକାରର ଅର୍ଥରେ ହୋଇଥିବା ଗଣମାଧ୍ୟମରେ ବଡ ବୟାନ ଦେଇଥିଲେ ସମୀର ଦାସ । ଯାହା ପରେ ନିମାପଡା ରାଜନୀତି ସରଗରମ ହୋଇଥିଲା । ଉଭୟ ପ୍ରଭାତୀ ଏବଂ ସମୀରଙ୍କ ମଧ୍ୟରେ ତୁତୁ ମେମେ ପରିସ୍ଥିତି ସୃଷ୍ଟି ହେବା ସହ ଆରୋପ ପ୍ରତ୍ୟାରୋପ ଚାଲିଥିଲା । ଆଉ ଏହାକୁ ନେଇ ସମୀର ବିଜେପିରେ ଅତିଷ୍ଠ ହୋଇପଡିଥିବା ଏବଂ ଖୁବଶୀଘ୍ର ୟୁଟଣ୍ଣ ମାରିବା ନେଇ ଚର୍ଚ୍ଚା ବଢିଥିଲା ।

ତେବେ ସମୀରଙ୍କ ଏହି ଅସନ୍ତୋଷ ପ୍ରକାଶ ପଛରେ ବର୍ଷେ ହେବ କୌଣସି ପଦପଦବୀ ମିଳିନଥିବା ଏବଂ ହାତ ଖାଲି ଥିବା ମଧ୍ୟ ଆଲୋଚନା ଚାଲିଛି । ଏହା ସହ ଜିତିବା ପରେ ସମୀରଙ୍କ ପ୍ରତି ପ୍ରଭାତୀଙ୍କ ଆଚରଣ ପରିବର୍ତନ ଥିବା ଏବଂ ପ୍ରଭାତୀ ସମୀରଙ୍କୁ ଅଣଦେଖା କରିବା ମଧ୍ୟ ଆକଳନ କରାଯାଉଛି । ଯାହାକୁ ଦୃଷ୍ଟିରେ ରଖି ସମୀର ଏକ ବର୍ଷ ପରେ ନିଜ ନିରବତା ଭାଙ୍ଗିଥିବା ଏବଂ ବିଜେପି ବିରୋଧରେ ବିଷ ଓଗାଳିଥିବା କୁହାଯାଉଛି । କିନ୍ତୁ ଏବେ ଏହା ସମୀରଙ୍କ ଉପରେ ହିଁ ଭାରି ପଡିଛି । ତେବେ ସମୀର ବିଜେପିରେ ଆଉ କେତେ ଦିନ ତିଷ୍ଠି ରହୁଛନ୍ତି ନା ଖୁବଶୀଘ୍ର ୟୁଟଣ୍ଣ ମାରୁଛନ୍ତି ତା ଉପରେ ରହିଛି ସମସ୍ତଙ୍କ ନଜର ।

author

Related Articles

Leave a Reply

Your email address will not be published. Required fields are marked *