ସମୀର ଦାସଙ୍କୁ ମୋହନ ଦେବେ ବଡ ଦାୟିତ୍ୱ !

ସମୀର ଦାସଙ୍କୁ ମୋହନ ଦେବେ ବଡ ଦାୟିତ୍ୱ !

ଖୁବଶୀଘ୍ର ବିଜେପି ନେତାଙ୍କୁ ଥଇଥାନ କରିବାକୁ ବିଜେପି ନେଲା ବଡ ନିଷ୍ପତ୍ତି । ସଦସ୍ୟତା ଅଭିଯାନ ପରେ ପରେ ବିଜେପି ନିଯୁକ୍ତ କରିବ ବିଭିନ୍ନ ବୋର୍ଡ ଏବଂ ନିଗମ ଅଧ୍ୟକ୍ଷ । ହଁ ଆଜ୍ଞା, ଏପରି କିଛି ଘୋଷଣା ବିଜେପି ରାଜ୍ୟ ସଭାପତି ମନମୋହନ ସମାଲ କରିଛନ୍ତି । ସରକାରକୁ ଆସିବାର ୩ ମାସ ପରେ ବି ଅନେକ ନେତା ଏବଂ କର୍ମୀଙ୍କୁ କିଛି ବି ଦାୟିତ୍ୱ ମିଳିନି । ଏପରିକି ଯେଉଁ ମାନଙ୍କ ଭୂମିକା ନିବାଚନ ସମୟରେ ବେଶ ଗୁରୁତ୍ୱ ବହନ କରିଥିଲା ଏବଂ ଯେଉଁମାନଙ୍କ ପରିଶ୍ରମ ପାଇଁ ବିଜେପି ସରକାରକୁ ଆସିଲା ସେମାନେ ଏବେ ବି ପ୍ରଚ୍ଛଦ ପଟରେ ରହିଛନ୍ତି । ତେଣୁ ସେମାନଙ୍କୁ ପୁରସ୍କୃତ କରିବା ପାଇଁ ବିଜେପି ଏବେ ଯୋଜନା ଚଳାଇଛି । ତେବେ ଯେଉଁମାନଙ୍କ ଭୂମିକା ବିଜେପିକୁ ସରକାରକୁ ଆଣିବାରେ ଗୁରୁତ୍ୱ ବହନ କରିଥିଲା ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଭେଟେରାନ ନେତା ସମୀର ରଞ୍ଜନ ଦାସ । ଗୋଟିଏ ଆସନରୁ ୪ ଥର ବିଧାୟକ ହେବା ପରେ ଗତ ନିର୍ବାଚନରେ ଟିକେଟ ପାଇଁ ତାଙ୍କୁ ବିଜେଡିରୁ ନିରାଶ ହେବାକୁ ପଡିଥିଲା । ଯେଉଁ କାରଣରୁ ପ୍ରତିଶୋଧର ନିଆଁରେ କୁହୁଳୁଥିବା ସମୀର ବିଜେଡି ଛାଡି ବିଜେପିକୁ ଆସିଲେ । କିନ୍ତୁ ପ୍ରାର୍ଥୀ ହେବା ବଦଳରେ ଜଣେ ସାଧାରଣ କର୍ମୀ ହୋଇ ବିଜେପିକୁ ଜିତାଇବା ପାଇଁ ରଣନୀତି ପ୍ରସ୍ତୁତ କଲେ । ଆଉ ଶେଷରେ ବିଜେଡିର ଅଭେଦ୍ୟ ଗଡ କୁହାଯାଉଥିବା ନିମାପଡା ବିଜେପି ଖାତାକୁ ଚାଲିଗଲା । କିନ୍ତୁ ଏହା ପରେ ସମୀର କୋଣଠେସା ହୋଇଯାଇଥିବା ସାଧାରଣରେ ଆଲୋଚନା ହେଉଥିଲା । ଏପରିକି ନିବାଚନ ପରେ ବିଜେପିରେ ସମୀରଙ୍କ ଗୁରୁତ୍ୱ କମୁଥିବା ଚର୍ଚ୍ଚା ମଧ୍ୟ ହେଲା । କିନ୍ତୁ ଏବେ ଦଳ ତାଙ୍କୁ ପୁରସ୍କାର ଦେବା ପାଇଁ ନିଷ୍ପତ୍ତି ନେଇଥିବା କୁହାଯାଉଛି । ଆଗକୁ ଯେଉଁ ବୋର୍ଡ ଏବଂ ନିଗମରେ ଖାଲି ପଡିଥିବା ପଦ ପଦବୀରେ ନିଯୁକ୍ତି ଦିଆଯିବ ସେଥିମଧ୍ୟରୁ ସମୀରଙ୍କୁ ମଧ୍ୟ ଏକ ବଡ ପଦବୀ ମିଳିବା ନେଇ ସମ୍ଭାବନା ରହିଛି । କାରଣ ନିବାଚନ ପରଠାରୁ ଏବେ ବି ସମୀର ଦଳକୁ ମଜବୁତ କରିବା ପାଇଁ ଅଣ୍ଟା ଭିଡିଛନ୍ତି । ସଦସ୍ୟତା ଅଭିଯାନ ମାଧ୍ୟମରେ ତୃଣମୂଳ ସ୍ତରରୁ ଲୋକଙ୍କୁ ଏକଜୁଟ କରି ବିଜେପିରେ ସାମିଲ କରିବାର ପ୍ରୟାସ ଜାରି ରଖିଛନ୍ତି । ଆଉ ଏସବୁକୁ ଦୃଷ୍ଟିରେ ରଖି ବିଜେପି ତାଙ୍କୁ ଏକ ବଡ ବିଭାଗ ଦେଇପାରେ ବୋଲି ସମ୍ଭାବନା ବଢିବଢି ଚାଲିଛି । ତେବେ ଦେଖାଯାଉ ଆଗକୁ ସମୀରଙ୍କ ଖାତାରେ କେଉଁ ଦାୟିତ୍ୱ ବିଜେପି ହସ୍ତାନ୍ତର କରୁଛି ନା ଏହା କେବଳ ଚର୍ଚ୍ଚାରେ ରହିଯାଉଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *