ସରକାରକୁ ଫେରିବାର ଅଙ୍କ କଶୁଛି ବିଜେଡି
ରାଜ୍ୟସଭା ସାଂସଦ ମୁନା ଖାଁଙ୍କ ବୟାନ ବଢାଇଲା ଚର୍ଚ୍ଚା
ମୁନାଙ୍କ ଲିଙ୍କରେ ଥିବା କିଏ ସେହି 14 ବିଧାୟକ ?
ଜାଣିଛନ୍ତି କି ମୋହନ-ନବୀନ ?
କ୍ଷମତାରୁ ହଟିବା ପରେ ଫାଟିବାରେ ଲାଗିଛି ଶଙ୍ଖ ଶିବିର । ଶଙ୍ଖପତିଙ୍କ ନାଲି ଆଖିକୁ ଆଉ କାହାର ଖାତିର ନାହିଁ । ଦୁଇ ରାଜ୍ୟସଭା ସାଂସଦଙ୍କ ପଛେ ପଛେ ଦଳର ବରିଷ୍ଠ ନେତାଙ୍କ ଠାରୁ ଆରମ୍ଭ କରି ଯେ ସାଧାରଣ କର୍ମୀମାନେ ମଧ୍ୟ ଦଳରୁ ଇସ୍ତଫା ଦେଉଛନ୍ତି ଏବଂ ଗେରୁଆ ରଙ୍ଗରେ ରଙ୍ଗେଇ ହେଉଛନ୍ତି । ଯାହା ନବୀନଙ୍କୁ ଦେଉଛି ଶକ୍ତ ଝଟକା । କିନ୍ତୁ ନିଜ ଦଳକୁ ମଜଭୁତ କରିବା ପାଇଁ ଏବେ ବି ଅଣ୍ଟା ଭିଡୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନିକଟରେ ମଧ୍ୟ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଦଳରେ ଅଣଦେଖା କରିବାର ଅଭିଯୋଗ ଆଣି ଦଳ ଛାଡିଛନ୍ତି ଏବଂ ଆସନ୍ତା ତିନି ତାରିଖରେ ବିଜେପିରେ ସାମିଲ ହେବାକୁ ଥିବା ବେଳେ ଗତକାଲି ଏକ ସଭା ମଞ୍ଚରେ ବିଜେଡିର ରାଜ୍ୟସଭା ସାଂସଦ ମୁନା ଖାଁଙ୍କ ବୟାନ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ମୁନାଁ ଖାଁ କହିଛନ୍ତି କି ନିର୍ବାଚନ ସମୟରେ ବିଜେଡି ଛାଡି ଯାଇଥିବା 22 ନେତାଙ୍କ ମଧ୍ୟରୁ ବର୍ତ୍ତମାନ 14 ବିଧାୟକ ବିଜେଡି ଲିଙ୍କରେ ରହିଛନ୍ତି ଯାହା ବିଜୁ ଜନତା ଦଳକୁ ପୁଣିଥରେ କ୍ଷମତାକୁ ଆଣିବା ପାଇଁ ରାସ୍ତା ଫିଟାଉଛି । ବିଜେପି ନିର୍ବାଚନ ସମୟରେ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହାକୁ ପୂରଣ କରିବା ଅସଫଳ ହେଉଛି ଏବଂ ଲୋକମାନେ ମୋହନ ସରକାରକୁ ନାପସନ୍ଦ କରୁଛନ୍ତି । ଏବେ ନିର୍ବାଚନ ହେଲେ ବିଜେଡି 100 ସିଟ ଜିତିବ ବୋଲି ମଧ୍ୟ ଦମ୍ଭୋକ୍ତି ବାଡିଛନ୍ତି ରାଜ୍ୟସଭା ସାଂସଦ ମୁନା ଖାଁ । ତେବେ ଚର୍ଚ୍ଚା କିଏ ସେହି 14 ବିଜେପି ବିଧାୟକ ? ଦେବାସିଷଙ୍କ ଉପନିର୍ବାଚନ ଫର୍ମୁଲା ପରେ ମୁନାଙ୍କ ଏ କି ରଣନୀତି ? ମୋହନ ସରକାରଙ୍କୁ ଡରେଇବା ପାଇଁ ଏପରି କହିଛନ୍ତି ମୁନା ନା ଦଳୀୟ କର୍ମୀଙ୍କ ମନୋବଳ ବଢାଇବା ପାଇଁ କହିଛନ୍ତି ? ଏ ସବୁ ପ୍ରଶ୍ନ ଏବେ ରାଜ୍ୟ ରାଜନୀତିରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ବେଳେ ମୁନାଙ୍କ ଜବାବର କଡା କାଉଣ୍ଟର ରଖିଛନ୍ତି ସମ୍ୱଲପୁର ବିଧାୟକ ଜୟନାରାୟଣ ମିଶ୍ର ।