ସରିଲା ପ୍ରଚାର, ନିଶବ୍ଦ ହୋଇଗଲା ଓଡିଶା

ସରିଲା ପ୍ରଚାର, ନିଶବ୍ଦ ହୋଇଗଲା ଓଡିଶା

ଚଳିତ ନିର୍ବାଚନ ପାଇଁ ସରିଲା ପ୍ରଚାର । ଆଉ ଗୋଟିଏ ପର୍ଯ୍ୟାୟ ମତଦାନ ବାକି ଥିବାରୁ ଏବେ ରାଜ୍ୟରେ ଆରମ୍ଭ ହୋଇଯାଇଛି ସାଇଲେଣ୍ଟ ପିରିୟଡ । ଆଜିଠାରୁ ଆଉ ଶୁଭିବନି ପ୍ରାର୍ଥୀଙ୍କ ପାଇଁ ଜିନ୍ଦାବାଦ ନାରା । କି ରାସ୍ତାରେ ଦେଖିବାକୁ ମିଳିବନି ନିର୍ବାଚନ ପ୍ରଚାର ଗାଡି । ନିର୍ବାଚନ କମିଶନଙ୍କ ନିୟମ ଅନୁସାରେ, ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଏପ୍ରିଲ ମାସରୁ ଆରମ୍ଭ ହୋଇଥିବା ପ୍ରଚାର ଗୁରୁବାର ସନ୍ଧ୍ୟାରୁ ଶେଷ ହୋଇଯାଇଛି । ରାଜ୍ୟର ଚତୁର୍ଥ ପର‌୍ୟ୍ୟାୟ ସହ ଶେଷ ହୋଇଛି ଦେଶର ସପ୍ତମ ପର‌୍ୟ୍ୟାୟ ନିର୍ବାଚନ ପାଇଁ ପ୍ରଚାର । ପ୍ରଚାର ଶେଷ ହେବା ସହ ମତଦାନ ପାଇଁ ଆରମ୍ଭ ହୋଇଯାଇଛି କାଉଂଟଡାଉନ । ଶେଷ ପର‌୍ୟ୍ୟାୟରେ ହେବାକୁ ଥିବା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁର ଲୋକସଭା ଓ ୪୨ଟି ବିଧାନସଭା ଆସନରେ ଆସନ୍ତାକାଲି ନୂଆ ନେତା ବାଛିବେ ଭୋଟର । ୯୯ଲକ୍ଷ ୬୧ ହଜାର ଭୋଟର ୪୬୦ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ତେବେ ଏହି ସବୁ ଆସନ ମଧ୍ୟରେ ଅଧିକାଂଶ ଆସନରେ ବିଜେଡିର ଶାସନ ଚାଲିଥିବା ବେଳେ ଚଳିତ ଥର ବିରୋଧୀ ଏହାକୁ କବଜା କରିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ ଆଗରେ ରହିଛି କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର । ଏଠାରେ ୧୯୯୮ ମସିହାରୁ ବିଜେଡି ଶାସନ ଗାଦିରେ ବସୁଥିବା ବେଳେ ଚଳିତ ଥର ଉଭୟ ବିଜେଡି ଏବଂ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ସାଜିଛି । କାରଣ ଏହି ଆସନରୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ବିଜେଡି ପ୍ରାର୍ଥୀ ଅଂଶୁମାନ ମହାନ୍ତି ଲଢ଼ୁଥିବାରୁ ଜନତା କାହାକୁ ନେତା ବାଛୁଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି । ବାଲେଶ୍ୱର ଲୋକସଭା ଆସନରେ ଦୁଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ ଓ ଶ୍ରୀକାନ୍ତ ଜେନା ପ୍ରାର୍ଥୀ ହୋଇଥିବାରୁ ବଡ ଲଢ଼େଇ ହେଉଛି । ଏପଟେ ବିଜେଡି ମଧ୍ୟ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ କରି ମହିଳା କାର୍ଡ ଖେଳିଛି ।ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜିଲ୍ଲା ମୟୂରଭଞ୍ଜରେ ଏଥର ବିଜେପି ପ୍ରାର୍ଥୀ ନବ ଚରଣ ମାଝୀ ଓ ବିଜେଡି ପ୍ରାର୍ଥୀ ସୁଦାମ ମାର୍ଣ୍ଡିଙ୍କ ମଧ୍ୟରେ ହାଇଭୋଲଟେଜ୍ ଲଢ଼େଇ ହେଉଛି । ତେବେ ଭୋଟର କାହା ମୁଣ୍ଡରେ ସୁନାକଳସ ଢ଼ାଳିବେ ତା’ ଉପରେ ରହିଛି ସାରା ରାଜ୍ୟର ନଜର ।

author

Related Articles

Leave a Reply

Your email address will not be published. Required fields are marked *