ସମସ୍ତଙ୍କ ମନରେ ଆଶା ଥାଏ ବେଶୀ ନହେଲେ ମଧ୍ୟ ନିଜର ସର୍ବନିମ୍ନ ଆବଶ୍ୟକତା ପୂରଣ କରି ପରିବାର ସହ ହସଖୁସିରେ ଦିନ କାଟିବା।କିଭିଳି ନିଜ ସନ୍ତାନମାନେ ପାଠ ପଢି ବଡ଼ ମଣିଷ ହେବେ ଓ ବାପା ମାଆଙ୍କର ନାମ ରଖିବେ।ଏହାକୁ ଆଖି ଆଗରେ ରଖି ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ ନରେନ୍ଦ୍ର ପୁର ଗ୍ରାମର ହଜାରି ନାୟକ ଦାଦନ ଶ୍ରମିକ ଭାବେ ଗୁଜୁରାଟର ସୁରଟରେ ରହି କାମ କରୁଥିଲେ।ଘରେ ପତ୍ନୀ ସଙ୍ଗୀତା ନାୟକ,ବଡ଼ ଝିଅ ଅନ୍ନପୂର୍ଣ୍ଣା ଓ ସାନପୁଅ ସାଧୁ ରୁହନ୍ତି।ଝିଅ ଅନ୍ନପୂର୍ଣ୍ଣା ମାଟ୍ରିକ ପରୀକ୍ଷାରେ ୬୪% ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି।ବର୍ତ୍ତମାନ ସେ ପୋଚିଲିମା ଖମ୍ବେୟା ଦୋରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦ୍ଵିତୀୟ ବର୍ଷ ବିଜ୍ଞାନରେ ଅଧ୍ୟୟନ କରୁଛନ୍ତି।ଆଗକୁ ଜଣେ ଡାକ୍ତର ହେବାକୁ ଅନ୍ନପୂର୍ଣ୍ଣାର ଇଚ୍ଛା ଥିଲେ ମଧ୍ୟ ପ୍ରତିଦିନ ବ୍ରହ୍ମପୁର ଠାରୁ କଲେଜକୁ ଯିବା ଆସିବା ଖର୍ଚ୍ଚ, ଟ୍ୟୁସନ ଓ ଅନ୍ୟାନ୍ୟ ଖର୍ଚ୍ଚ ତୁଲାଇବା କଷ୍ଟକର ହୋଇପଡ଼ିଛି। ଉଚ୍ଚ ଶିକ୍ଷା ପାଇଁ ଅନ୍ନପୂର୍ଣ୍ଣା ଆଗ୍ରହୀ ଥିବା ବେଳେ ଅର୍ଥ ବାଧକ ସାଜିଛି। ପ୍ରାୟ ଦୁଇ ବର୍ଷ ହେଲା ହଜାରି କ୍ୟାନସର ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଛନ୍ତି।ଘରେ ଯାହା ଥିଲା ସେସବୁ ବିକ୍ରି କରିବା ସହ ଧାର ଉଧାର କରି ହଜାରିଙ୍କ ଚିକିତ୍ସାରେ ସବୁ ସରିଗଲା।ଶେଷରେ ବାଧ୍ୟ ହୋଇ ପିଲାଙ୍କ ପାଠ ପଢା ପାଇଁ ସଙ୍ଗୀତା ଘର ଛାଡ଼ି ବର୍ତ୍ତମାନ ବ୍ରହ୍ମପୁରରେ ଘରଭଡ଼ା ନେଇ ରହୁଛନ୍ତି।ପରଘରେ କାମ କରି ସଙ୍ଗୀତା ଯାହା ରୋଜଗାର କରୁଛନ୍ତି ସେଥିରେ ଘର ଚଳିବା, ପିଲାଙ୍କୁ ପଢ଼ାଇବା ସମ୍ଭବ ନୁହେଁ।ନିଜର ଘରଦ୍ୱାର କି ଜମିବାଡ଼ି ନଥିବାରୁ କିଛି ସରକାରୀ ସହାୟତା ଯୋଗାଇଦେବାକୁ ସଙ୍ଗୀତା ଭଞ୍ଜନଗର ଗସ୍ତରେ ଆସିଥିବା ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ସାକ୍ଷାତ କରି ନିଜ ଦୁଃଖ ଜଣାଇଛନ୍ତି।