ସରୁନି ସାର ସଙ୍କଟ । ରକ୍ତମୁଖା ହୋଇଉଠିଲେଣି ଚାଷୀ । ସାର ପାଇଁ ରାସ୍ତା ଛାଡି ବିଧାୟକଙ୍କ ଗେଷ୍ଟ ହାଉସ ଆଗରେ ଡେରା ପକାଇଛନ୍ତି ଚାଷୀ । ହଁ ଆଜ୍ଞା, ସାର ସାର ସାର ସବୁଠି ଏବେ ସାର ପାଇଁ ହଇଚଇ । ଭଲ ଫସଲ ପାଇଁ ଚାଷୀମାନେ ସାର ପାଇଁ ଅପେକ୍ଷା କରିଛନ୍ତି । କିନ୍ତୁ ଡବଲ ଇଞ୍ଜିନ ସରକାରରେ ସେତିକି ବି ଚାଷୀଙ୍କୁ ମିଳୁନି । ମହିଳା, ଯୁବଗୋଷ୍ଠୀଙ୍କୁ ହଇରାଣ କରିବା ପରେ ଏବେ ସରକାର ଚାଷୀଙ୍କୁ ବି ଛାଡିନାହାନ୍ତି । ଓଡିଶା ଇତିହାସରେ ସାର ପାଇଁ ଏଭଳି ପରିସ୍ଥିତି କେବେ ବି ସୃଷ୍ଟି ହୋଇନଥିବା ବେଳେ ମାତ୍ର ୧୫ ମାସର ସରକାରରେ ଏ ସମସ୍ୟା ଶୀର୍ଷ ଛୁଇଁଲାଣି । ଗୋଟିଏ ପଟେ ମନ୍ତ୍ରୀ କେତେବେଳେ ସାର ଚୋରାଚାଲାଣ ହେଉଥିବା ସ୍ୱୀକାର କରୁଛନ୍ତି ତ ଆଉ କେତେବେଳେ ରାଜ୍ୟରେ ଯଥେଷ୍ଟ ସାର ଅଛି ଚାଷୀଙ୍କୁ ସାର ମିଳୁଛି ବୋଲି ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ମନ୍ତ୍ରୀଙ୍କ କଥାରେ ସତ୍ୟତା ନଥିବା ପ୍ରତିଦିନ ସାମ୍ନାକୁ ଆସୁଛି । ରାଜ୍ୟର ବିଭିନ୍ନ ଜିଲ୍ଲା ରେ ସାର ପାଇଁ ଚାଷୀମାନେ ହଇରାଣ ହେଉଥିବା, ଖରା ବର୍ଷାରେ ଛିଡା ହୋଇ ବସ୍ତାଏ ସାର ପାଇଁ ଲାଇନରେ ଲାଗିଥିବା , ରାସ୍ତାରେ ଆନ୍ଦୋଳନ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଆଉ ଏବେ ସିଧାସଳଖ ବିଧାୟକଙ୍କ ଘର ଆଗରେ ସାର ପ।।ଇଁ ଲମ୍ବା ଲାଇନ ଲାଗିଥିବା ଦେଖିବାକୁ ମିଳିଛି । ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟଙ୍କ ଗେଷ୍ଟ ହାଉସ ଆଗରେ ସାର ପାଇଁ ଚାଷୀଙ୍କ ଲମ୍ବା ଲାଇନ ଲାଗିଥିବା ଭିଡିଓ ଏବେ ଭାଇରାଲ ହେଉଛି ।
ତେବେ କେବଳ ଏତିକି ନୁହେଁ, ସୁକିନ୍ଦାରେ ମଧ୍ୟ ରାତି ଅଧରେ ସାର ପାଇଁ ଚାଷୀଙ୍କ ଲମ୍ବା ଲାଇନ ଲାଗିଛି । ଏବଂ ହାତବିରିଶି କରି ଜଣାଶୁଣା ଲୋକଙ୍କୁ ଆଗ ସାର ମିଳୁଥିବା ଚାଷୀ ଅଭିଯୋଗ କରିଛନ୍ତି । ଏବଂ ସରକାର ଚାଷୀଙ୍କୁ ଜାଣିଜାଣି ହଇରାଣ କରୁଥିବା ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ।
