ନୂଆପଡାରେ ହେବ ଜୋରଦାର ଫାଇଟ୍
ଡେରା ପକାଇଛନ୍ତି ମୋହନ,ମଇଦାନକୁ ଓହ୍ଲାଇବେ ନବୀନ
ସ୍ନେହାଙ୍ଗିନୀଙ୍କ ପାଇଁ ନୂଆପଡା ଯିବେ ବିଜେଡି ସୁପ୍ରିମୋ
ହଁ ଦର୍ଶକବନ୍ଧୁ ରାଜ୍ୟରେ ଧୀରେ ଧୀରେ ଶୀତର ପ୍ରଭାବ ବଢୁଛି କିନ୍ତୁ ଏପଟେ ରାଜ୍ୟ ରାଜନୀତିର ତାତି ସରଗରମ ହେବାରେ ଲାଗିଛି । ନିର୍ବାଚନ ଯେତିକି ପାଖଉଛି ଉଷ୍ଣତା ସେତିକି ବୃଦ୍ଧି ପାଉଛି । ନୂଆପଡା ଉପନିର୍ବାଚନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଶା । ମଇଦାନକୁ ଓହ୍ଲାଇଛନ୍ତି କଂଗ୍ରେସ ମୁଖିଆ ଭକ୍ତ ଦାସ ଓ ବିଜେପି ମୁଖିଆ ମୋହନ ମାଝୀ ଆଉ ଏପଟେ କେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇବେ ଚାହିଁ ରହିଛନ୍ତି ନୂଆପଡାବାସୀ । କାହିଁକିନା ବିଜେଡି ଗଡରେ ପଦ୍ମ ଫୁଟାଇବା ପାଇଁ ବିଜେପି ଆରମ୍ଭ କରିଛି ପ୍ରସ୍ତୁତି । ସେପଟେ ହାତ ଦଳ ମଧ୍ୟ ପଛରେ ପଡିନି । 24 ନିର୍ବାଚନର ପରାଜୟ ପରେ ବିଜେଡି ପାଇଁ ନୂଆପଡା ଉପନିର୍ବାଚନ ଜିତିବା କାଠିକର ପାଠ ହୋଇଥିବା ବେଳେ ଖୋଦ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜେ ଯଦି ମଇଦାନକୁ ଓହ୍ଲାନ୍ତି ତାହା ବିଜେପିକୁ ଏକପ୍ରକାର ମାଷ୍ଟରଷ୍ଟ୍ରୋକ ହୋଇପାରେ ଏବଂ ବିଜେଡିକୁ ପୁଣିଥରେ ଗଡ ବଜାୟ ରଖିବାରେ ସହଯୋଗ କରିପାରେ । ଆଉ ନିଜ ଗଡ ବଞ୍ଚାଇବା ପାଇଁ ଏଥର ନୂଆପଡା ଗସ୍ତରେ ଯିବେ ନବୀନ । କେବଳ ଗସ୍ତରେ ଯିବେନି ବରଂ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗୀନୀ ଛୁରିଆଙ୍କ ପାଇଁ ଦୁଇଦିନ ପ୍ରଚାର ମଧ୍ୟ କରିବେ । ନବୀନଙ୍କ ପ୍ରଚାର ପାଇଁ ଚୂଡାନ୍ତ ହୋଇଛି ଗସ୍ତ ସୂଚୀ । ନୂଆପଡା ପାଇଁ ଷ୍ଟାର କ୍ୟାମ୍ପେନର ତଥା ଜୁନାଗଡ଼ ବିଜେଡ଼ି ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଏହି ସୂଚନା ଦେଇଛନ୍ତି। ନୂଆପଡାରେ ନବୀନ ପହଂଚିବା ପରେ କଂଗ୍ରେସ ଓ ବିଜେପିର ସବୁ ଆକଳନ ଭୁଲ ହୋଇଯିବ। ନବୀନ ହାତ ହଲାଇ ଦେଲେ ସବୁ ଆକଳନ ଓଲଟି ଯିବ। ବିଜେଡ଼ି ସପକ୍ଷରେ ସବୁ ଭୋଟ ଯିବ ବୋଲି କହିଛନ୍ତି ଦିବ୍ୟଶଙ୍କର ମିଶ୍ର। ତେବେ ନବୀନଙ୍କ ଗସ୍ତ ଏବଂ ପ୍ରଚାର ନୂଆପଡାବାସୀଙ୍କ ଉପରେ କେଉଁ ପ୍ରଭାବ ପକାଉଛି ତାହା ଦେଖିବାର କଥା ।
