ସୁନା-ରୂପା ଦର ଶୁଣି ଉଡିଲାଣି ଗ୍ରାହକଙ୍କ ହୋସ୍ । ସାଧାରଣ ଲୋକଙ୍କ ପାଇଁ ସ୍ୱପ୍ନ ପାଲଟିଯିବ ସୁନା-ରୂପା ଅଳଙ୍କାର । କିଛି ଦିନର ବ୍ୟବଧାନ ପରେ ରାଜଧାନୀରେ ପୁଣି ଐତିହାସିକ ଦର ଛୁଇଁଲାଣି ସୁନା ଏବଂ ରୂପା । ରାଜଧାନୀରେ ରୂପା ଦର ଐତିହାସିକ ଦୁଇ ଲକ୍ଷ ଟଙ୍କା ମାଇଲଖୁଣ୍ଟ ଅତିକ୍ରମ କରିଛି । ବୁଧବାର ଏହା କେଜି ପିଛା ଦାମ୍ ୫୦୦୦ ଟଙ୍କା ବଢିବାରୁ ମୋଟ୍ ରୂପା ଦର ୨ ଲକ୍ଷ ୧୦୦୦ ଟଙ୍କା ହୋଇଛି । ତେବେ ଗତ ନଭେମ୍ବର ୨୫ରୁ ରୂପା ଦାମ୍ ଲଗାତାର ଭାବେ ବଢିଚାଲିଛି । ଗତ ୯ ଦିନରେ ରୂପା ଦାମରେ ୩୦ ହଜାର ଟଙ୍କାର ବୃଦ୍ଧି ହୋଇଛି ।
ତେବେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ କମ୍ ହେବା କାରଣରୁ ରୂପା ସହିତ ସୁନା ଦର ମଧ୍ୟ ହୁ ହୁ ହୋଇ ବଢିଚାଲିଛି । ବୁଧବାର ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ଦାମ୍ ୬୫୦ ଟଙ୍କା ବୃଦ୍ଧି ପାଇ ୧ ଲକ୍ଷ ୧୯ ହଜାର ୭୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୧୦ ଟଙ୍କା ବୃଦ୍ଧି ପାଇ ୧ ଲକ୍ଷ ୩୦ ହଜାର ୫୮୦ ଟଙ୍କା ହୋଇଛି । ଏବଂ ଆଗାମୀ ଦିନରେ ମଧ୍ୟ ଏହାର ଦର ଉପରମୁହାଁ ହେବା ନେଇ ସମ୍ଭାବନା ବଢି ବଢି ଚାଲିଛି । ତେବେ ପୂର୍ବରୁ ଏହି ଦର ଉପରମୁହାଁ ହେବା ପଛରେ ଅନେକ କାରଣ ଦର୍ଶାଯାଉଥିବା ବେଳେ ଏବେ କିନ୍ତୁ ଏହା ପଛରେ ଟଙ୍କାର ମୂଲ୍ୟ ଦୁର୍ବଳ ହେବାକୁ ଦର୍ଶାଯାଉଛି । ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଦୁର୍ବଳ ହେଉଥିବାରୁ ରୂପା ସୁନା ଦାମ୍ ବଢୁଥିବା ବିଶେଷଜ୍ଞମାନେ ମତପ୍ରକାଶ କରୁଛନ୍ତି ।
