ହାଇଟେକରେ ହାଇଡ୍ରାମା; ନିଜକୁ ଦିଲୀପ କହୁଥିବା ବ୍ୟକ୍ତି ଆଖି ବୁଜିଲେ

ହାଇଟେକରେ ହାଇଡ୍ରାମା; ନିଜକୁ ଦିଲୀପ କହୁଥିବା ବ୍ୟକ୍ତି ଆଖି ବୁଜିଲେ

ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟଣାରେ ଆଉ ଏକ ଦୁଃଖଦ ଘଟଣା । ଏହି ଘଟଣାରେ ଗୁରୁତର ଆହତ ହୋଇଥିବା ତୃତୀୟ ବ୍ୟକ୍ତିଙ୍କର ଆଜି ସକାଳେ ମୃତ୍ୟୁ ହୋଇଛି । ନିଜକୁ ଦିଲୀପ ସାମନ୍ତରାୟ କହୁଥିବା ବ୍ୟକ୍ତିଜଣକ ଆଖି ବୁଜି ସାରିଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କ ମୃତ୍ୟୁ ହୋଇଛି। ଏନେଇ ହାଇଟେକ୍ ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏସିରେ ଗ୍ୟାସ୍ ଭର୍ତ୍ତି ବେଳେ ବିସ୍ଫୋରଣ ଘଟି ଗତ ୨୯ ତାରିଖରେ ୪ ଜଣ ଗୁରୁତର ହୋଇଥିବା ବେଳେ ଏବେ ଯାଏ ୩ ଜଣଙ୍କର ମୃତ୍ୟୁ ହୋଇଛି । ଆଉ ଜଣେ ଏବେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ବିସ୍ଫୋରଣରେ ଗୁରୁତର ହୋଇ ଭେଣ୍ଟିଲେଟରରେ ଥିବା ବ୍ୟକ୍ତିଜଣକ ଗତ ଗୁରୁବାର ରାତିରେ ନିଜ ପରିଚୟ ଜ୍ୟୋତି ମଲ୍ଲିକ ନୁହଁ ଦିଲୀପ ସାମନ୍ତରାୟ ବୋଲି ଦେଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ହାଇଡ୍ରାମା। ଗତ ୬ ଦିନ ହେବ ଯେଉଁ ବ୍ୟକ୍ତିଙ୍କୁ ନିଜ ପୁଅ ଜ୍ୟୋତି ବୋଲି ଭାବୁଥିଲେ, ଏହା ଶୁଣି ସେମାନଙ୍କୁ ଶକ୍ତ ଝଟକା ଲାଗିଥିଲା।

ଅପରପକ୍ଷେ, ଦିଲୀପଙ୍କ ପରିବାର ଲୋକେ ଯେଉଁ ମୃତଦେହର ଅନ୍ତିମ ସତ୍କାର କରି ସାରିଛନ୍ତି ତାହା କାହାର ତା’ ଉପରୁ ଏଯାଏ ପରଦା ହଟିନି। ଅନ୍ୟପଟେ ଭେଣ୍ଟିଲେଟରରେ ଥିବା ଦିଲୀପ ନାମକ ବ୍ୟକ୍ତି ସୁସ୍ଥ ହେଉଥିବା ମେଡିକାଲ ପକ୍ଷରୁ କୁହାଯାଉଥିବା ବେଳେ ପରିବାର ଲୋକଙ୍କ ମଧ୍ୟରେ ନୂଆ ଆଶା ଦେଖାଦେଇଥିଲା। ହେଲେ ଏବେ ହଠାତ୍ ତାଙ୍କ ମୃତ୍ୟୁ ଖବରକୁ ପରିବାର ଲୋକେ ଗ୍ରହଣ କରି ପାରୁ ନାହାନ୍ତି। ମେଡିକାଲ କର୍ତ୍ତୃପକ୍ଷ ହିଁ ତାଙ୍କୁ ହତ୍ୟା କରିଥିବା ସେମାନେ ସାଂଘାତିକ ଅଭିଯୋଗ କରିଛନ୍ତି।


ତେବେ ଏବେ ମୃତଦେହ କାହାକୁ ହସ୍ତାନ୍ତର କରିବେ ତାକୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ। ମୃତଦେହକୁ ନେଇ ବିବାଦ ଦେଖାଦେବା ପରେ ଗତକାଲି ହସ୍ପିଟାଲ କର୍ତ୍ତୃପକ୍ଷ ଉକ୍ତ ଜୀବୀତ ଥିବା ବ୍ୟକ୍ତିଙ୍କ ଡିଏନଏ ଟେଷ୍ଟ କରିବା ନିମନ୍ତେ ପୁଲିସ୍ ନିକଟରେ ଅପିଲ କରିଥିଲେ। ତେବେ ଆଜି ତାଙ୍କ ମୃତ୍ୟୁ ପରେ ମୃତଦେହ କାହାକୁ ହସ୍ତାନ୍ତର କରାଯିବ, ନା ଡିଏନଏ ଟେଷ୍ଟ ପର‌୍ୟ୍ୟନ୍ତ ଅପେକ୍ଷା କରାଯିବ ତାହା ଉପରେ ସମସ୍ତଙ୍କ ନଜର।

author

Related Articles

Leave a Reply

Your email address will not be published. Required fields are marked *