ହାତକୁ ଛାଡି ଫୁଲ ଧରୁଛନ୍ତି କଂଗ୍ରେସ ନେତା !

ହାତକୁ ଛାଡି ଫୁଲ ଧରୁଛନ୍ତି କଂଗ୍ରେସ ନେତା !

ଆସୁଛି ସାଧାରଣ ନିର୍ବାଚନ । କେମିତି କ୍ଷମତା ହାତ ମୁଠାକୁ ଆସିବ ସେନେଇ ତତ୍ପର ରାଜନୈତିକ ଦଳ । ଦୀର୍ଘ ଦଶନ୍ଧି ଧରି କ୍ଷମତାରୁ ଦୂରରେ ରହିଥିବା କଂଗ୍ରେସ ମଧ୍ୟ ଏଥର ନିର୍ବାଚନରେ ନିଜ ଅସଜଡା ଘରକୁ ସଜାଡିବାରେ ଲାଗି ପଡିଛି । ଯେଉଁ ଭାରତ ଯୋଡୋ ଯାତ୍ରା ବଳରେ କଂଗ୍ରେସ କର୍ଣ୍ଣାଟକ ଏବଂ ହିମାଚଳରେ ସରକାର ଗଢିଥିଲା ଏବେ ତାର ଦ୍ୱିତୀୟ ସଂସ୍କରଣ ଭାବେ ଭାରତେ ଯାଡୋ ନ୍ୟାୟ ଯାତ୍ରା ଆରମ୍ଭ କରିଛି । ସାଂସଦ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଦଳ ନୂଆ ରଣନୀତି ଆପଣାଇଛି । ତୃଣମୂଳ ସ୍ତରରେ ଜନତାଙ୍କ ସହ ଯୋଡି ହେବା ଲକ୍ଷ୍ୟରେ ମଣିପୁର ହିଂସା ପ୍ରସଙ୍ଗକୁ ନେଇ ବିଜେପିକୁ ଟାର୍ଗେଟ କରି ନିଜର ଯାତ୍ରା ଆରମ୍ଭ କରିଛି କଂଗ୍ରେସ । ଗୋଟିଏ ପଟେ ଭାରତ ଯୋଡୋ ନ୍ୟାୟ ଯାତ୍ରା କରି ଜନତାଙ୍କ ସହ ସିଧାସଳଖ ଯୋଡି ହେବାକୁ ଏବଂ ଦେଶବାସୀଙ୍କୁ ଏକାଠି ବାନ୍ଧି ରଖିବାକୁ କଂଗ୍ରେସ ନିଜର ମୂଳ ଲକ୍ଷ୍ୟ ବୋଲି କହୁଛି । କିନ୍ତୁ ସେପଟେ ଦଳ ଭିତର କନ୍ଦଳ ପଦାରେ ପଡୁଛି । ଜଣଙ୍କ ପରେ ଜଣେ ବରିଷ୍ଠ ନେତା ଦଳ ଛାଡି ଅନ୍ୟ ଦଳରେ ସାମିଲ ହେଉଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ହାରିବା ପରେ ବିପର‌୍ୟ୍ୟୟର ସମ୍ମୁଖୀନ ହେଉଛି । ୨୦୧୯ ମସିହାରୁ ଏବେ ସୁଦ୍ଧା ୧୧ ଜଣ ବରିଷ୍ଠ ନେତା କଂଗ୍ରେସ ଛାଡିସାରିଲେଣି । ସବୁଠୁ ବଡ କଥା ହେଉଛି ଦଳ ଛାଡିଥିବା ଅଧିକାଂଶ ନେତା କଂଗ୍ରେସର ପରମ ପ୍ରତିଦ୍ୱନ୍ଦୀ ବିଜେପିରେ ଯୋଗ ଦେଇଛନ୍ତି ।ଏହି ତାଲିକା ଲମ୍ବିବା କାରଣରୁ କଂଗ୍ରେସରେ ଅସନ୍ତୋଷ ଏବଂ ଅଣଦେଖାକୁ ନେଇ ଯେଉଁ ଚର୍ଚ୍ଚା ହୁଏ ସେକଥାକୁ ବଳ ମିଳୁଛି । ସେପଟେ କଂଗ୍ରେସ କିନ୍ତୁ ନିଜ ଢ଼ଙ୍ଗରେ ପ୍ରତିଥର ଜବାବ ରଖୁଛି । ଯେଉଁମାନେ ଦଳ ଛାଡୁଛନ୍ତି ସେମାନଙ୍କ ଭିତରୁ କାହାକୁ ବିଶ୍ୱାସଘାତକ ତ ଆଉ କାହାକୁ ସ୍ୱାର୍ଥପରର ଆଖ୍ୟା ଦେଉଛି କଂଗ୍ରେସ । ଏପରିକି ସେମାନଙ୍କଠୁ ଲକ୍ଷେଗୁଣ ଭଲ ଭାବମୂର୍ତି ଓ ଦକ୍ଷ ନେତା କଂଗ୍ରେସରେ ଯୋଗ ଦେବେ ବୋଲି ଦୃଢୋକ୍ତି ପ୍ରକାଶ କରୁଛି ଦଳ । ତେବେ ରାଜନୀତିର ଅଭିଜ୍ଞତା, ଅନୁଭୂତି ଓ କରାମତି ପାଇଁ ଯେଉଁମାନେ ଦଳ ପାଇଁ ବଳ ଥିଲେ ସେମାନେ ହାତ ଛାଡିବା ନିଶ୍ଚିତଭାବେ କଂଗ୍ରେସକକୁ ପ୍ରଭାବିତ କରିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଆଗାମୀ ନିର୍ବାଚନରେ ସେହି ନେତାଙ୍କ ପତିଆରାର ଅଭାବ ଦଳକୁ ଅନୁଭବ ହେବ ବୋଲି ଚର୍ଚ୍ଚା ହେଉଛି ।

author

Related Articles

Leave a Reply

Your email address will not be published. Required fields are marked *