ହ୍ବାଟ୍ସଆପକୁ ସୁପ୍ରିମକୋର୍ଟଙ୍କ ଚେତାବନୀ !

ହ୍ବାଟ୍ସଆପକୁ ସୁପ୍ରିମକୋର୍ଟଙ୍କ ଚେତାବନୀ !

ହ୍ବାଟ୍ସଆପକୁ ସୁପ୍ରିମକୋର୍ଟଙ୍କ କଡା ଚେତାବନୀ । ହ୍ବାଟ୍ସଆପ ପ୍ରାଇଭେସି ପଲିସି ପ୍ରସଙ୍ଗରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । ମାର୍କ ଜୁକରବର୍ଗଙ୍କ ସଂସ୍ଥା ହ୍ବାଟ୍ସଆପକୁ ବ୍ୟବସାୟ ପାଇଁ ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟ ବ୍ୟବହାରକୁ ନେଇ କଡା ଚେତାବନୀ ଦେଇଛନ୍ତି । ଏପରିକି ଭାରତୀୟ ସମ୍ବିଧାନକୁ ଅନୁସରଣ ନକରିପାରିଲେ , ନିୟମ ପାଳନ ନକରିପାରିଲେ ଭାରତ ଛାଡି ଚାଲିଯିବାକୁ କମ୍ପାନୀକୁ ତାଗିଦ କରିଛନ୍ତି । ଭାରତୀୟଙ୍କ ମୌଳିକ ଅଧିକାର ସହିତ କୌଣସି ପ୍ରକାର ସାଲିସ କରାଯିବନି ଏବଂ କୌଣସି ଆନ୍ତର୍ଜାତୀୟ କମ୍ପାନୀର ଲାଭ ପାଇଁ ଅଧିକାରଗୁଡିକୁ ବଳିଦାନ ଦିଆଯିବନି ବୋଲି ସଫା ସଫା କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ତେବେ ସୁପ୍ରିମକୋର୍ଟଙ୍କ ଏପରି ହ୍ବାଟ୍ସଆପ କମ୍ପାନୀ ଉପରେ ବିରକ୍ତ ହେବାର କାରଣ ହେଉଛି, 2021 ଜାନୁଆରୀରେ ହ୍ବାଟ୍ସଆପରେ ଲାଗୁ ହୋଇଥିବା ପ୍ରାଇଭେସି ପଲିସି । ଏଥିରେ ଗୋପନୀୟତା ନୀତିର ସଂଶୋଧନ କରିବା ସହିତ କମ୍ପାନୀ ଉଲ୍ଲେଖ କରିଥିଲା ଯେ, କେବଳ ବ୍ୟକ୍ତିଗତ ଓ ପରିବାର ସଦସ୍ୟଙ୍କ ସହ ବାର୍ତ୍ତାଳାପକୁ ଛାଡ଼ି ଦେଲେ ବ୍ୟବହାରୀମାନଙ୍କ ଅନ୍ୟ ସବୁ ତଥ୍ୟ ‘ମେଟା’ ଅଧୀନରେ ଥିବା ଅନ୍ୟ କମ୍ପାନିଗୁଡ଼ିକୁ ଦିଆଯିବ। ସେହି ନୀତିକୁ ଗ୍ରହଣ କରିବାକୁ ବ୍ୟବହାରକାରୀ ଏକପ୍ରକାର ବାଧ୍ୟ । କାରଣ ଉକ୍ତ ସର୍ତ୍ତକୁ ଗ୍ରହଣ ନ କଲେ ହ୍ବାଟସ୍‌ଆପ୍‌ ବ୍ୟବହାର କରି ହେବନାହିଁ। ତେଣୁ ତଥ୍ୟ ଆଦାନପ୍ରଦାନକୁ ଅଟକାଇବା ଲାଗି ବ୍ୟବହାରକାରୀମାନଙ୍କୁ କମ୍ପାନି ଅନ୍ୟ କୌଣସି ବିକଳ୍ପ ଦେଇନଥିବାରୁ ସୁପ୍ରିମକୋର୍ଟ କ୍ଷୁବ୍ଧ ହୋଇଛନ୍ତି।

କାରଣ ଭାରତରେ 50 କୋଟିରୁ ଅଧିକ ଲୋକ ହ୍ବାଟ୍ସଆପ ବ୍ୟବହାର କରୁଛନ୍ତି । ଦୈନିକ ଏଥିରେ ଚାଟ୍ ଠାରୁ ଆରମ୍ଭ କରି ବିଜନେସ ସମ୍ପର୍କୀତ ସୂଚନା ସେୟାର କରାଯାଉଛି । ଏହି ଆପ୍ ମାଧ୍ୟମରେ ଅନେକ କାମ ସହଜ ହେଉଥିବାରୁ ଏହାକୁ ଛାଡିବା କଷ୍ଟକର ହୋଇପଡୁଛି । କିନ୍ତୁ କମ୍ପାନୀ ଏହାର ଫାଇଦା ଉଠାଇ ୟୁଜର୍ସଙ୍କ ଡାଟା ନିଜ ଲାଭ ପାଇଁ ବ୍ୟବହାର କରିବାକୁ ପଲିସି ଆଣିଥିବାରୁ ଏହାକୁ ନେଇ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି । ଏବଂ ଭାରତୀୟଙ୍କ ମୌଳିକ ଅଧିକାରକୁ ସୁରକ୍ଷିତ ରଖିବା ନେଇ କମ୍ପାନୀକୁ ଏପରି ନକରିବାକୁ ରୋକଠୋକ ଶୁଣାଇଛନ୍ତି ।

administrator

Related Articles

Leave a Reply

Your email address will not be published. Required fields are marked *