ଓଡିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ଏବେ ବି ଚର୍ଚ୍ଚା ଚାଲିଛି । ତାଙ୍କ ମୃତ୍ୟୁ ପଛରେ କଣ କଣ କାରଣ ରହିଛି ତାହା ମଧ୍ୟ ସାମ୍ନାକୁ ଆସୁଛି । ଆଉ ଏହି କ୍ରମରେ ହ୍ୟୁମାନ ଙ୍କ ମୃତ୍ୟୁକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି । ହ୍ୟୁମାନଙ୍କ ହ୍ୱାଟ୍ସଆପ୍ ଚାଟ୍ ଆଉ ଏକ ଗୁମର ଉପରୁ ପରଦା ହଟାଇଛି । ହ୍ୟୁମାନ ବାହାରେ ଗୀତ ଗାଇ ସମସ୍ତଙ୍କ ମୁହଁରେ ହସ ଫୁଟାଉଥିବା ବେଳେ ନିଜ ଭିତରେ କିନ୍ତୁ ସେ ଜଳି ଜଳି ବଞ୍ଚୁଥିବା ଏବଂ ନିଜ ମୃତ୍ୟୁକୁ ଅପେକ୍ଷା କରିଥିବା ହ୍ୱାଟ୍ସଆପ ଚାଟରୁ ଜଣାପଡିଛି । ଦୁଖ ଯନ୍ତ୍ରଣାରେ ଛଟପଟ ହେବା ସହିତ ମରିବାକୁ ବି ସେ ପ୍ରସ୍ତୁତ ଥିଲେ । ପ୍ରଚଣ୍ଡ ବିଷାଦଗାର ଭିତରେ ହ୍ୟୁମାନ ବଞ୍ଚୁଥିବା ତାଙ୍କର ଦୁଇ ଧାଡିର ହ୍ୱାଟ୍ସଆପ ମେସେଜରୁ ଜଣାପଡିଛି । ଗୀତିକାର ତଥା ପ୍ରଯୋଜକ ଶ୍ରୀକାନ୍ତ ଗୌତମଙ୍କୁ ସେ କରିଥିବା ମେସେଜରୁ ଏହା ସ୍ପଷ୍ଟ ହୋଇଛି । ଯେଉଁ ମେସେଜରେ ସେ ଲେଖିଥିଲେ , ମୁଁ ବଞ୍ଚିବାକୁ ଚାହେଁନା, ମରିବାକୁ ଚାହେଁ । ଆଉ ଏ ମେସେଜ ସାମ୍ନାକୁ ଆସିବା ପରେ ଶ୍ରୀକନ୍ତ ଗୌତମ ଏହାକୁ ନେଇ ମୁହଁ ବି ଖୋଲିଛନ୍ତି । ହ୍ୟୁମାନ କିଛି ମାସ ପୂର୍ବରୁ ହିଁ ଡିପ୍ରେସନରେ ଥିବା ସହିତ ତାଙ୍କର ଦେହ ଏବଂ ମନ ଭଲ ନଥିଲା । ଏବଂ ଡିପ୍ରେସନ କାରଣରୁ ଏମିତି ଏକ ଦିନ ଆସିବା ନେଇ ସେ ପୂର୍ବରୁ ଅନୁମାନ ବି କରିଥିଲେ । ଯାହାକୁ କେନ୍ଦ୍ର କରି ତାଙ୍କ ମୃତ୍ୟୁ ପଛରେ ସ୍ୱାସ୍ଥ୍ୟଗତ ଅବହେଳା ଏବଂ ଅଣଦେଖା ହୋଇଥିବା ଶ୍ରୀକାନ୍ତ ଅଭିଯୋଗ ଆଣିଛନ୍ତି । ଏଥିପାଇଁ ହ୍ୟୁମାନ ନିଜେ ଦାୟୀ ସହିତ ତାଙ୍କ ମ୍ୟାନେଜର ଏବଂ ପରିବାର ବି ଦାୟୀ ବୋଲି କହିଛନ୍ତି ଶ୍ରୀକାନ୍ତ । ଏହା ସହିତ ଅସୁସ୍ଥତା ଭିତରେ ତାଙ୍କୁ ନେଇ କିପରି ଷେ୍ଟଜ ସୋ କରାଯାଉଥିଲା , ଚିକିତ୍ସା ପ୍ରତି କିପରି ଅବହେଳା କରାଯାଉଥିଲା ସେନେଇ ତଦନ୍ତ କରି ସତ୍ୟାସତ୍ୟ ବାହାର କରିବାକୁ କହିଛନ୍ତି ପ୍ରଯୋଜକ ଶ୍ରୀକାନ୍ତ ଗୌତମ ।
ତେବେ ଶ୍ରୀକାନ୍ତଙ୍କ କହିବା ଅନୁଯାୟୀ, କିଛି ମାସ ତଳେ ହ୍ୟୁମାନଙ୍କ ସହିତ ଶ୍ରୀକାନ୍ତ ଗୌତମ ଗୀତ କରିବାକୁ ଇଚ୍ଛା କରିଥିବା ବେଳେ ଏଥିପାଇଁ ତାଙ୍କୁ ନିଜ ଷ୍ଟୁଡିଓକୁ ଡାକିଥିଲେ । କିନ୍ତୁ ହ୍ୟୁମାନ ବାରମ୍ବାର ତାରିଖ ମିସ୍ କରୁଥିଲେ । ଶେଷରେ ତାଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ହ୍ୟୁମାନ ହ୍ୱାଟ୍ସଆପ ଜରିଆରେ ତାଙ୍କୁ କିଛି ମେସେଜ କରିଥିଲେ । ସାର୍ ମୁଁ ବଞ୍ଚବାକୁ ଚାହୁଁନି, ମରିବାକୁ ଚାହେଁ । ଏବଂ ଆଇ ଲବ୍ ୟୁ ସାର୍ ଲେଖିଥିଲେ ହ୍ୟୁମାନ । ଆଉ ହ୍ୟୁମାନଙ୍କ ଏଭଳି ମେସେଜ ଦେଖି ଶ୍ରୀକାନ୍ତ ବିଚଳିତ ହୋଇପଡିଥିଲେ । ସେ ଆଉ ହ୍ୟୁମାନଙ୍କୁ ଡାକି ନଥିଲେ । କିନ୍ତୁ ହ୍ୟୁମାନ ଦୁଖରେ ଥିବା ସେ ଜାଣିପାରିଥିଲେ ।
