୨୦୨୪ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ । ଆସନ୍ତା ଜାନୁଆରୀ ୨୬ରେ ଦିଲ୍ଲୀର କର୍ତ୍ତବ୍ୟ ପଥରେ ଉପସ୍ଥିତ ରହି ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବେ । ଭାରତ ପରୁ ତାଙ୍କୁ ଆମନ୍ତ୍ରଣ କରାଯିବା ପରେ ମାକ୍ରନ ଏଥିରେ ସମ୍ମତି ଜଣାଇଛନ୍ତି । ଏହା ସହ ସୋସିଆଲ ମିଡିଆରେ ମୋଦିଙ୍କୁ ପ୍ରିୟ ବନ୍ଧୁ ବୋଲି ସମ୍ବୋଧନ କରିଛନ୍ତି । ଏହା ସହ ନିମନ୍ତ୍ରଣ ପାଇଁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ଦେଶବାସୀଙ୍କ ଉଦ୍ଦେଶ୍ୟରେ ସେ ଲେଖିଛନ୍ତି ଯେ, ଭାରତ, ମୁଁ ଆପଣଙ୍କ ସହ ଗଣତନ୍ତ୍ର ଦିବସ ପାଳନ କରିବି ।
ଗତ ଜୁଲାଇ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତରେ ଯାଇ ଜାତୀୟ ଦିବସ ବାଷ୍ଟିଲ୍ ଡେ’ ପରେଡରେ ସାମିଲ ହୋଇଥିଲେ । ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ବୋଲି ସୂଚନା ମିଳିଥିଲା । କିନ୍ତୁ ଜାନୁଆରୀ ମାସରେ ବ୍ୟସ୍ତ ବହୁଳ କାର୍ୟ୍ୟସୂଚୀ ଯୋଗୁ ସେ ଭାରତ ଆସିପାରିବେ ନାହିଁ । ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବାରେ ମାକ୍ରନ୍ ହେବେ ଷଷ୍ଠ ଫ୍ରାନ୍ସ ଶୀର୍ଷନେତା ।