ରାଜ୍ୟ ସହ ରାଜ୍ୟ ବାହାରେ ଏବେ ବି ପ୍ରକୃତିର କରାଳ ରୂପ ଦେଖିବାକୁ ମିଳୁଛି । ବିଭିନ୍ନ ରାଜ୍ୟରେ ଭୟଙ୍କର ବର୍ଷା ବିନାଶର ଝଲକ ଦେଖାଉଛି । କେଉଁଠି ଭୂସ୍ଖଳନ, ତ ଆଉ କେଉଁଠି ବାତ୍ୟା, ତ ଆଉ କେଉଁଠି ବନ୍ୟା । ଆଉ ଏହି ସବୁ ଦୃଶ୍ୟରୁ ଆଗକୁ ପ୍ରକୃତି ଯେ, କେତେ ଭୟଙ୍କର ହୋଇପାରେ ତାହା ଏବେ ଠୁ ହିଁ ଆକଳନ କରାଯାଉଛି । ତେବେ ନିକଟରେ ଉତ୍ତରାଖଣ୍ଡ, ମହାରାଷ୍ଟ୍ର, ବିହାର ପଶ୍ଚିମବଙ୍ଗ ଭଳି ରାଜ୍ୟରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଥିବା ବେଳେ ପଞ୍ଜାବରେ ମଧ୍ୟ ସମାନ ସ୍ଥିତି ପରିଲକ୍ଷିତ ହୋଇଛି । ପଞ୍ଜାବରେ ଭୟଙ୍କର ବର୍ଷା ୭୦ ବର୍ଷର ରେକର୍ଡ ଭାଙ୍ଗିଥିବା କୁହାଯାଉଛି ।
ମଙ୍ଗଳବାର ଦିନ ପଞ୍ଜାବର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଚାଷୀଙ୍କ ଚିନ୍ତାକୁ ପୁଣି ଥରେ ବଢ଼ାଇ ଦେଇଛି। ପ୍ରବଳ ପବନ ସହିତ ବର୍ଷା ହେବା ଫଳରେ ପାଚିଲା ଧାନ ଫସଲ କ୍ଷେତରେ ବିଛାଡ଼ି ହୋଇଯାଇଛି । ବଜାରକୁ ଆସୁଥିବା ଅଧିକାଂଶ ଧାନ ଓଦା ହୋଇଯାଇଛି। ରାଜ୍ୟରେ ଅକ୍ଟୋବର ମାସରେ ବର୍ଷା ଗତ ୭୦ ବର୍ଷର ରେକର୍ଡ ଭାଙ୍ଗିଛି। ପାଣିପାଗ ବିଭାଗ ଅନୁଯାୟୀ, ୧୯୫୫ରୁ ୨୦୨୪ ପର୍ୟ୍ୟନ୍ତ, ଅକ୍ଟୋବର ୭ ରେ କେବେ ଏତେ ବର୍ଷା ହୋଇନାହିଁ। କିମ୍ବା ଅକ୍ଟୋବରର ପ୍ରଥମ ସପ୍ତାହରେ କୌଣସି ଗୋଟିଏ ଦିନରେ ଏତେ ବର୍ଷା ହୋଇନାହିଁ।
ଅକ୍ଟୋବର ୧ ରୁ ୭ ତାରିଖ ପର୍ୟ୍ୟନ୍ତ ପଞ୍ଜାବରେ ସ୍ୱାଭାବିକ ୨.୫ ମିମି ତୁଳନାରେ ୨୦.୭ ମିମି ବର୍ଷା ହୋଇଛି। ଏହାର ଅର୍ଥ ହେଉଛି ଏହି ବର୍ଷ ୭୨୭ ପ୍ରତିଶତ ଅଧିକ ବର୍ଷା ହୋଇଛି।
