ବାଲିରେ ତିଆରି ହେଲା ପ୍ରଭୁଶ୍ରୀରାମଙ୍କ ଭବ୍ୟ ମନ୍ଦିର

ବାଲିରେ ତିଆରି ହେଲା ପ୍ରଭୁଶ୍ରୀରାମଙ୍କ ଭବ୍ୟ ମନ୍ଦିର

ନବବଧୂ ପରି ସଜେଇ ହୋଇଛି ଅଯୋଧ୍ୟା ନଗରୀ । ଆଉ ମାତ୍ର ଗୋଟିଏ ଦିନ ପରେ ନିଜ ଜନ୍ମସ୍ଥଳୀକୁ ଆସିବେ ପ୍ରଭୁ ଶ୍ରୀରାମ । କିଏ ନିଜ ପ୍ରଭୁଙ୍କୁ ଟିକେ ଦେଖିବା ପାଇଁ ଦୂର ଦୂରାନ୍ତରୁ ଧାଇଁ ଆସୁଛି ତ ଆଉ କିଏ ପ୍ରଭୁଙ୍କ ପାଇଁ ମନଲାଖି ଉପହାର ଟିଏ ପଠାଉଛି । ଏହାରି ମଧ୍ୟରେ ସରଜୁ ନଦୀ କୂଳରେ ଥିବା ରାମ ଉଦ୍ୟାନରେ ନିଜ ବାଲୁକା କଳା ମାଧ୍ୟମରେ ପ୍ରଭୁ ଶ୍ରୀରାମଙ୍କ ବାଲୁକା କଳା ତିଆରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଶ୍ରୀରାମ ମନ୍ଦିର ପାଇଁ ଚାଲିଥିବା ୫୦୦ ବର୍ଷର ସଂଘର୍ଷକୁ ଏଥିରେ ସ୍ଥାନୀତ କରାଯାଇଛି। ୫୦୦ଟି ଛୋଟ ଛୋଟ ମନ୍ଦିରକୁ ନେଇ ତିଆରି କରିଛନ୍ତି ବଡ଼ ଶ୍ରୀରାମ ମନ୍ଦିର। ଆଉ ସେହି ମନ୍ଦିରରେ ସ୍ମିତହାସ୍ୟ ପ୍ରଭୁ ଶ୍ରୀରାମ ବିରାଜି ଛନ୍ତି। ପ୍ରଭୁ ଶ୍ରୀରାମଙ୍କୁ ନମସ୍କାର ମୁଦ୍ରାରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ।

ବାଲୁକା କଳାକୁ ନେଇ ଶ୍ରୀ ପଟ୍ଟନାୟକ କହିଛନ୍ତି, ଭଗବାନ ଶ୍ରୀରାମଙ୍କ ଆଶୀର୍ବାଦ ଯୋଗୁ ଆମେ ଏଠାକୁ ଆସି ପାରିଛୁ। ଶ୍ରୀରାମ ମନ୍ଦିର ନିର୍ମାଣ ପୂର୍ବରୁ ପୁରୀ ବିଚ୍ରେ ବାଲୁକା କଳା କରିଥିଲୁ। ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦ ଆମକୁ ପୁରୀ ବେଳାଭୂମିରୁ ଆଯୋଧ୍ୟା ସରଜୁ ନଦୀର ରାମ ପାର୍କକୁ ଟାଣି ଆଣିଛି। ଆଶା କରୁଛି, ଅଯୋଧ୍ୟାକୁ ଆସୁଥିବା ଶ୍ରଦ୍ଧାଳୁମାନେ ପ୍ରଭୁଙ୍କ କଳାକୃତିକୁ ଦେଖି ଉପଭୋଗ କରିପାରିବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।


ସେ କହିଛନ୍ତି, ବାଲୁକା କାଳ ନିର୍ମାଣ ପାଇଁ ଉତ୍ତରପ୍ରଦେଶ ସଂସ୍କୃତି ବିଭାଗ ଓ ଲଳିତକଳା ଏକାଡେମୀ ତରଫରୁ ଆମକୁ ନିମନ୍ତ୍ରଣ କରାଯାଇଥିଲା। ମୋ ସହିତ ମୋର ୮ ଜଣ ଛାତ୍ର ଏହି କଳାକୃତି ତିଆରି ପାଇଁ ଆସିଥିଲେ। ଏଥିପାଇଁ ୨ ଦିନ ଲାଗିଛି। ଏହା ନିଶ୍ଚିତ ବିଶ୍ୱ ରେକର୍ଡ ହେବ। କାରଣ ୫୦୦ଟି ଛୋଟ ଛୋଟ ମନ୍ଦିରକୁ ଯୋଡ଼ି ବଡ଼ ମନ୍ଦିର ତିଆରି କରିବା ହେଉଛି ବିରଳ। ସେଥିପାଇଁ ସରକାରଙ୍କ ତରଫରୁ ଆମକୁ ସବୁ ପ୍ରକାର ସହାଯ୍ୟ ଓ ସହଯୋଗ ଦିଆଯାଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *