ରାଜସ୍ଥାନରେ ବି ନୂଆ ମୁହଁ,ଭଜନଲାଲ ଶର୍ମା ହେବେ ମୁଖ୍ୟମନ୍ତ୍ରୀ

ରାଜସ୍ଥାନରେ ବି ନୂଆ ମୁହଁ,ଭଜନଲାଲ ଶର୍ମା ହେବେ ମୁଖ୍ୟମନ୍ତ୍ରୀ

ଛତିଶଗଡ଼ ଓ ମଧ୍ୟ ପ୍ରଦେଶ ଭଳି ରାଜସ୍ଥାନରେ ମଧ୍ୟ ଜଣେ ନୂଆ ଚେହେରାକୁ ମୁଖ୍ୟମନ୍ତ୍ରୀ କରିଛି ବିଜେପି। ପ୍ରଥମ ଥର ବିଧାୟକ ହୋଇଥିବା ଭଜନଲାଲ ଶର୍ମା ହେବେ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ। ଆଜି ରାଜସ୍ଥାନର ନବନିର୍ବାଚିତ ବିଜେପି ବିଧାୟକ ଦଳ ବୈଠକରେ ହୋଇଛି ଏହି ନିଷ୍ପତ୍ତି।
ସର୍ବସମ୍ମତିକ୍ରମେ ଭଜନଲାଲ ଶର୍ମାଙ୍କୁ ବିଜେପି ବିଧାୟକ ଦଳ ନେତା ଘୋଷଣା କରାଯାଇଥିଲା ବୋଲି ବୈଠକରେ ଉପସ୍ଥିତ ଅନ୍ୟତମ ପର‌୍ୟ୍ୟବେକ୍ଷକ ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି।


ଭଜନଲାଲ ଶର୍ମାଙ୍କ ଘର ରାଜସ୍ଥାନର ଭରତପୁରରେ। ସେ ସାଙ୍ଗାନେର ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି। ସେ ଏଥର ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସେ କଂଗ୍ରେସର ପୁଷ୍ପେନ୍ଦ୍ର ଭରଦ୍ୱାଜଙ୍କୁ ୪୮,୦୮୧ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ତାଙ୍କୁ ୧,୪୫,୧୬୨ ଖଣ୍ଡ ଭୋଟ୍ ମିଳିଥିଲା।
ଭଜନଲାଲ ଶର୍ମା ଏବେ ରାଜସ୍ଥାନ ବିଜେପିର ସାଧାରଣ ସଂପାଦକ ଅଛନ୍ତି। ସେ ବ୍ରାହ୍ମଣ ସଂପ୍ରଦାୟରୁ ପ୍ରତିନିଧିତ୍ୱ କରୁଛନ୍ତି। ଭଜନଲାଲ ୪ ଥର ରାଜ୍ୟ ବିଜେପିର ସାଧାରଣ ସଂପାଦକ ହୋଇଛନ୍ତି। ସେ ଆରଏସ୍ଏସ୍ ଓ ଏବିଭିପି ସହିତ ମଧ୍ୟ ଜଡ଼ିତ ଥିଲେ। ଛତିଶଗଡ଼ ଓ ମଧ୍ୟ ପ୍ରଦେଶ ଭଳି ରାଜସ୍ଥାନରେ ମଧ୍ୟ ଦୁଇ ଜଣଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରାଯାଇଛି। ସେମାନେ ହେଛନ୍ତି ଦୀୟା କୁମାରୀ ଓ ପ୍ରେମଚାନ୍ଦ ବୈରୱା। ସେହିପରି ବିଧାୟକ ବାସୁଦେବ ଦେବନାନୀ ବାଚସ୍ପତି ହେବେ ବୋଲି ଦଳ ନିଷ୍ପତ୍ତି ନେଇଛି। ବାସୁଦେବ ଦେବନାନୀ ଆଜମେର ନର୍ଥ ଆସନରୁ ନିର୍ବାଚିତ ହୋଇଛନ୍ତି। ସେ ୨୦୦୮ରୁ ଏହି ଆସନରୁ ନିର୍ବାଚନ ଜିତି ଆସୁଛନ୍ତି। ସେ ପୂର୍ବରୁ ରାଜ୍ୟର ଶିକ୍ଷା ମନ୍ତ୍ରୀ ଭାବେ କାର‌୍ୟ୍ୟ କରିଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *