ରାଜ୍ୟପାଳଙ୍କ ସକ୍ରିୟତାକୁ ନେଇ ଚିନ୍ତାରେ ମୁଖ୍ୟମନ୍ତ୍ରୀ !

ରାଜ୍ୟପାଳଙ୍କ ସକ୍ରିୟତାକୁ ନେଇ ଚିନ୍ତାରେ ମୁଖ୍ୟମନ୍ତ୍ରୀ !

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଟେନସନ ସାଜିଛନ୍ତି ରାଜ୍ୟପାଳ ରଘୁବର ଦାସ । ରାଜଧାନୀରୁ ବାହାରି ଜିଲ୍ଲା ପରେ ଜିଲ୍ଲା ଗସ୍ତ କରୁଛନ୍ତି ରାଜ୍ୟପାଳ । ରାଜନୈତିକ ଦଳର ଜନ ପ୍ରତିନିଧିଙ୍କ ଭଳି ଲୋକଙ୍କ ସମସ୍ୟା ପଚାରି ବୁଝୁଛନ୍ତି । ଗାଁ ଗାଁ ବୁଲି ଲୋକଙ୍କ ପାଖରେ ପହଁଞ୍ଚୁଛନ୍ତି ରାଜ୍ୟପାଳ ରଘୁବର ଦାସ । କିନ୍ତୁ ରାଜ୍ୟପାଳଙ୍କ ଏପରି ସକ୍ରିୟତା ଶାସକଦଳକୁ ଚିନ୍ତାରେ ପକାଇ ଦେଇଛି । ରାଜ୍ୟରେ ବିକାଶର ଅନେକ ଚିତ୍ର ମୁଖ୍ୟମନ୍ତ୍ରୀ ଦେଖାଇଥିବା ବେଳେ ଏହି ସଫଳତା ପଛରେ ଥିବା ଗଦା ଗଦା ବିଫଳତାକୁ ଅଣ୍ଡାଳି ବାହାର କରୁଛନ୍ତି ରାଜ୍ୟପାଳ । ରାଜ୍ୟରେ ସବୁଠି ବିକାଶ ହେଉଛି ବୋଲି କହୁଥିବା ବିଜେଡିକୁ ଆଇନା ଦେଖାଉଛନ୍ତି ରାଜ୍ୟପାଳ । ଲୋକଙ୍କୁ ମୌଳିକ ବ୍ୟବସ୍ଥା ଯୋଗାଇବାରେ ମୁଖ୍ୟମନ୍ତ୍ରୀ କେତେ ବିଫଳ ତାର ବିକଳ ଚିତ୍ର ସାମ୍ନାକୁ ଆଣୁଛନ୍ତି ।

ରାଜ୍ୟପାଳଙ୍କର ଏପରି ପଦକ୍ଷେପ ଲୋକମାନଙ୍କୁ ପସନ୍ଦ ଆସୁଥିବା ବେଳେ ଶାସକ ଦଳ ପାଇଁ ଏହା ଏବେ ଟେନସନ ପାଲଟିଛି । ଆଗକୁ ନିର୍ବାଚନ ଥିବାରୁ ବିଜେଡି ଘନ ଘନ ଜିଲ୍ଲା ଏବଂ ନିବାଚନ ମଣ୍ଡଳୀ ଗସ୍ତ କରୁଛି । ସେଠାରୁ ଲୋକଙ୍କ ଅଭିଯୋଗ ପତ୍ର ଗ୍ରହଣ କରି ଲୋକଙ୍କ ସମସ୍ୟାର ସମାଧାନ ହେଉଛି ବୋଲି ଯୁକ୍ତି ବାଢୁଛି ବିଜେଡି । କିନ୍ତୁ ରାଜ୍ୟପାଳଙ୍କ ଗସ୍ତରେ ବିକାଶର ଯେଉଁ ଚିତ୍ର ସାମ୍ନାକୁ ଆସୁଛି ତାହା ମୁଖ୍ୟମନ୍ତ୍ରୀଙ୍କ ଅନେକ ବିକାଶମୂଳକ ଯୋଜନା ଉପରେ ଆଙ୍ଗୁଠି ଉଠାଇଛି । ଲୋକଙ୍କ ପାଖକୁ ବିକାଶର ଅନେକ ଯୋଜନା ଯାଉଛି କିନ୍ତୁ ବିକାଶ ହେଉନାହିଁ । ଅନେକ ଯୋଜନା ବାଟାମାରଣା ହେଉଥିବାର ଚିତ୍ର ରାଜ୍ୟପାଳଙ୍କ ସାମ୍ନାକୁ ଆସିଛି । ତେବେ ଏହି ତଥ୍ୟ ଯଦି ବିରୋଧୀ ଦଳ ସାମ୍ନାକୁ ଆଣିଥାନ୍ତା ତେବେ ବିକାଶକୁ ନେଇ ରାଜନୀତି କରାଯାଉଥିବା କୁହାଯାଇଥାନ୍ତା । କିନ୍ତୁ ନିଜେ ରାଜ୍ୟପାଳ ଏସବୁ ସାମ୍ନାକୁ ଆଣୁଥିବାରୁ ମୁଖ୍ୟମନ୍ତ୍ରୀ କିମ୍ବା ତାଙ୍କ ସମର୍ଥକମାନେ ଏହାକୁ ଅପବାଦ କହିିପାରିବେ ନାହିଁ ।

ସେପଟେ ରାଜ୍ୟପାଳ ଲୋକଙ୍କ ପାଖକୁ ଯାଇ ସମସ୍ୟା ବୁଝିବା ଓ ସମାଧାନ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଉଥିବାରୁ ଲୋକେ ରାଜଭବନ ଉପରେ ଆସ୍ଥା ପ୍ରକଟ କଲେଣି । ନବୀନ ଅପହଁଚ ଥିବା ବେଳେ ରାଜ୍ୟପାଳ ଲୋକଙ୍କ ଦୁଆରେ ପହଁଞ୍ଚିବା ଶାସକ ଦଳକୁ ଟେନସନରେ ପକାଇଲାଣି । ତେବେ ରାଜ୍ୟପାଳଙ୍କ ଏଭଳି ପଦକ୍ଷେପ ଆଗାମୀ ନିର୍ବାଚନରେ ବିଜେଡି ଉପରେ କି ପ୍ରଭାବ ପକାଇବ ତାହା ଦେଖିବାକୁ ବାକି ରହିଲା ।

author

Related Articles

Leave a Reply

Your email address will not be published. Required fields are marked *