ଭଞ୍ଜନଗରରୁ ଗଡ଼ିଲା ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ

ଭଞ୍ଜନଗରରୁ ଗଡ଼ିଲା ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ

ଗଞ୍ଜାମ ଜିଲ୍ଲାର ଭକ୍ତଙ୍କୁ ପୁରୀ ଠାରେ ଜଗନ୍ନାଥ ଦର୍ଶନ କରିବାର ଅପୂର୍ବ ସୁଯୋଗ ଦେଇଛନ୍ତି ରାଜ୍ୟ ସରକାର। ଭଞ୍ଜନଗର ବସଷ୍ଟାଣ୍ଡ ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଭଞ୍ଜନଗର ଠାରୁ ପୁରୀ ଭାୟା ଆସିକା ଦେଇ ଏକ ନୂତନ ଭଲଭୋ ବସ୍ ଲୋକାର୍ପଣ କରିଛନ୍ତି।ରାଜ୍ୟର ୧୨ ଟି ଜିଲ୍ଲାରେ ଜିଲ୍ଲା ମୁଖ୍ୟାଳୟ ଠାରେ ଲକ୍ଷ୍ମୀ ଯୋଜନାରେ ଏହି ବସ୍ ସେବା ଆରମ୍ଭ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲା ପାଇଁ ଏକ ମାତ୍ର ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ଭଞ୍ଜନଗର ଉପଖଣ୍ଡ ଠାରେ ଆରମ୍ଭ ହୋଇଛି।

୩କୋଟି ୨୦ଲକ୍ଷ ଟଙ୍କା ମୂଲ୍ୟର ଅତ୍ୟାଧୁନିକ ସମସ୍ତ ସୁବିଧା ଥାଇ ୮ଚକିଆ ଏହି ବସରେ ଯାତ୍ରୀଙ୍କ ପାଇଁ ମୋଟ ୫୧ଟି ସିଟ ରହିଛି।ଗଞ୍ଜାମ ଜିଲ୍ଲାର ପ୍ରମୁଖ ସହରକୁ ସଂଯୋଗ କରୁଥିବା ଏହି ବସ କିଲୋମିଟର ପିଛା ୨ଟଙ୍କା ୪୪ପଇସା ଦେୟରେ ଯାତ୍ରୀ ମାନେ ଭଞ୍ଜନଗର ଠାରୁ ଭୋର ୫ଟା ୪୫ମିନିଟ ସମୟରେ ବାହାରି ଆସିକା, ହିଞ୍ଜିଳି, ବ୍ରହ୍ମପୁର, ଛତ୍ରପୁର,ଭୁବନେଶ୍ୱର ଦେଇ ପୁରୀରେ ଦିନ ୧୧ଟା ୪୫ମିନିଟରେ ପହଞ୍ଚିବେ।ପୁଣି ସେଠାରୁ ସନ୍ଧ୍ୟା ୫ଟା ୩୦ରେ ବାହାରି ଭଞ୍ଜନଗରରେ ରାତି ସାଢ଼େ ୧୧ଟାରେ ପହଞ୍ଚି ପାରିବେ।ଗୁରୁବାର ସନ୍ଧ୍ୟାରେ ଭଞ୍ଜନଗର ବସ ଷ୍ଟାଣ୍ଡରେ ସ୍ଥାନୀୟ ବିଧାୟକ ତଥା ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସବୁଜ ପତାକା ଦେଖାଇ ଏହି ବସର ଶୁଭାରମ୍ଭ କରିଥିଲେ। ଭଞ୍ଜନଗର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଆରୁଖଙ୍କ ସମେତ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା,ଗଞ୍ଜାମ ଜିଲ୍ଲା ପରିବହନ ଅଧିକାରୀ ମାନସ ରଞ୍ଜନ ସାହୁ,ଓଏସଆରଟିସି ଜିଲ୍ଲା ପରିଚାଳକ ଅଶୋକ ସାହୁ, ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ,ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ।

author

Related Articles

Leave a Reply

Your email address will not be published. Required fields are marked *