ରାମ ମନ୍ଦିରକୁ ଆସିଲା ବିଶ୍ୱର ସବୁଠୁ ମହଙ୍ଗା ରାମାୟଣ

ରାମ ମନ୍ଦିରକୁ ଆସିଲା ବିଶ୍ୱର ସବୁଠୁ ମହଙ୍ଗା ରାମାୟଣ

ରାମମୟ ଅଯୋଧ୍ୟା ନଗରୀ । ନିଜ ପ୍ରିୟ ପ୍ରଭୁଙ୍କୁ ପାଇ ବେଶ୍ ଆନନ୍ଦିତ ସମଗ୍ର ବିଶ୍ୱବାସୀ । ଦୀର୍ଘ ବର୍ଷ ପରେ ପ୍ରଭୁଙ୍କ ଆଗମନକୁ ଐତହାସିକ କରିବା ପାଇଁ ଯେପରି ମନ୍ଦିର ଏବଂ ପୂରା ଅଯୋଧ୍ୟା ନଗରୀକୁ ସୁସଜ୍ଜିତ କରାଯାଇଥିଲା, ସେହିପରି ଭକ୍ତମାନେ ମଧ୍ୟ ଏହି ଉତ୍ସବ ପାଇଁ ଦୂର ଦୂରାନ୍ତରୁ ଅନେକ ଐତିହାସିକ ଉପହାର ନିଜ ହାତରେ ପ୍ରସ୍ତୁତ କରି ପ୍ରଭୁଙ୍କୁ ଭେଟି ଦେଇଥିଲେ । ଯାହା ରାମ ମନ୍ଦିରର ସୌନ୍ଦଯ୍ୟକୁ ଆହୁରି ଦ୍ୱିଗୁଣିତ କରିଦେଇଛି । ଏଥିରୁ କିଛି ଉପହାର ଏମିତି ଅଛି ଯାହା ଖୁବ୍ ଆଶ୍ଚଯ୍ୟକର । ଧୂପକାଠି ଠାରୁ ଆରମ୍ଭ କରି ତାଲା, ଘଣ୍ଟି, ଦ୍ୱୀପ ପରି ଅନେକ ଉପହାର ମନ୍ଦିରକୁ ପଠାଇଛନ୍ତି ଶ୍ରଦ୍ଧାଳୁ। କିନ୍ତୁ ସବୁଠାରୁ ବିଶେଷ ଉପହାର ଭାବରେ ରାମାୟଣ ଅଯୋଧ୍ୟାରେ ପହଁଞ୍ଚିଛି । ଏହାକୁ ବିଶ୍ୱର ବୃହତ୍ତମ ଏବଂ ମହଙ୍ଗା ରାମାୟଣ ମଧ୍ୟ କୁହାଯାଉଛି । ଯାହାର ଦାମ୍ ୧ ଲକ୍ଷ୍ୟ ୬୫ ହଜାର ରହିଛି । ଏହି ରାମାୟଣକୁ ପୁସ୍ତକ ବିକ୍ରେତା ମନୋଜ ସତୀ ରାମ ମନ୍ଦିରକୁ ଆଣିଛନ୍ତି । ବିଶେଷ ସାମଗ୍ରୀରୁ ଏହାକୁ ପ୍ରସ୍ତୁତ କରାଯାଇଥିବା ମନୋଜ କହିଛନ୍ତି । ଏହାର ଡିଜାଇନ ମଧ୍ୟ ନିର୍ମାଣାଧୀନ ରାମମନ୍ଦିର ଭଳି ହୋଇଛି । ରାମାୟଣର ବାହ୍ୟ ବାକ୍ସ ପ୍ରସ୍ତୁତ କରିବା ପାଇଁ ଆମେରିକୀୟ ବାଦାମ କାଠର ବ୍ୟବହାର କରାଯାଇଛି । କଭରରେ ଜାପାନର ଅରଗାନିକ ଇଙ୍କର ବ୍ୟବହାର କରାଯାଇଛି । ଖାସ କଥା ହେଉଛି ଏହି ରାମାୟଣରେ ବ୍ୟବହୃତ ହୋଇଥିବା କାଗଜ ଫ୍ରାନ୍ସର । ଯାହା ସମ୍ପୂଣ୍ଣ ଏସିଡ୍ ମୁକ୍ତ । ଏହାକୁ କେବଳ ରାମାୟଣ ପାଇଁ ବ୍ୟବହାର କରାଯାଇଛି । ଏହା କାଗଜ ବଜାରରେ ଉପଲବ୍ଧ ନାହିଁ । ରାମାୟଣର ପ୍ରତ୍ୟକ ପୃଷ୍ଠାକୁ ଏକ ଭିନ୍ନ ଡିଜାଇନ ଦିଆଯାଇଛି । ଯାହା ଦ୍ୱାରା ପାଠକମାନେ ଏକ ଉତ୍ତମ ଅଭିଜ୍ଞତା ପାଇପାରିବେ । ତେବେ ଏହି ପୁସ୍ତକ ୪ ଶହ ବର୍ଷ ପର୍ଯ୍ୟନ୍ତ ରହିପାରିବ ବୋଲି ସୂଚନା ମିଳିଛି। ଏହାର କଭର ମଧ୍ୟ ବିଶେଷ ଭାବରେ ପ୍ରସ୍ତୁତ କରାଯାଇଛି । ଏହି ରାମାୟଣ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ଆଲମିରୀ ପ୍ରସ୍ତୁତ କରାଯାଇଛି । ଯାହା ସାହାଯ୍ୟରେ ଏହାକୁ ସୁରକ୍ଷିତ ରଖାଯାଇପାରିବ । ତେବେ ଏହି ରାମାୟଣର ଅନେକ ଖାସ ଗୁଣ ରହିଥିବା ବେଳେ ଏହା ଦୁନିଆର ସବୁଠାରୁ ମହଙ୍ଗା ରାମାୟଣ ବୋଲି କୁହାଯାଉଛି।

author

Related Articles

Leave a Reply

Your email address will not be published. Required fields are marked *